ଅସଜଡ଼ା କଂଗ୍ରେସକୁ ସଜାଡ଼ିବା ଭକ୍ତଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ

ଭୁବନେଶ୍ବର ; କଂଗ୍ରେସର ନୂଆ ମୁରବୀ ଭକ୍ତ ଦାସ । ଓଡ଼ିଶା କଂଗ୍ରେସର ନୂଆ କମାଣ୍ଡାଣ୍ଟ ଭକ୍ତ ଦାସ । ୮ ମାସ ପରେ କଂଗ୍ରେସକୁ ମିଳିଛି ନୂଆ ମୁଖିଆ। ଦଳକୁ ସଂଗଠିତ କରିବା ଅନେକ ଚ୍ୟାଲେଞ୍ଜ । ବିଧାୟକ ଓ ନେତାଙ୍କ ଭିନ୍ନ ଭିନ୍ନ ପରାମର୍ଶ । କଂଗ୍ରେସର ଆହ୍ବାନ `ଏକ ହୋଇ କରିବା କାମ’ ।  ହାଇକମାଣ୍ଡଙ୍କ ବିଶ୍ବାସ ଜିଣିଲେ କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ । ୧୪ ତମ ପିସିସି ସଭାପତି ଭାବେ ସେ ଓଡ଼ିଶା କଂଗ୍ରେସର ମଙ୍ଗୁଆଳ ସାଜିଛନ୍ତି । ଦୀର୍ଘ ବର୍ଷର ରାଜନୈତିକ ଅଭିଜ୍ଞତାକୁ ପାଥେୟ କରି ଦୁର୍ବଳ ହୋଇପଡିଥିବା ହାତ ଶିବିରକୁ ଟାଣ କରିବେ ଭକ୍ତ । ୨୦୨୪ ନିର୍ବାଚନ ଫଳାଫଳା ପରେ ୮ ମାସ ଧରି ପିସିସି ସଭାପତି ପଦ ଖାଲି ପଡ଼ିଥିଲା । ଏଆଇସିସି ସଂପାଦକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ପ୍ରଚାର କମିଟିର ଅଧ୍ୟକ୍ଷ ତଥା ବିଭିନ୍ନ ରାଜ୍ୟର ପ୍ରଭାରୀ ଦାୟିତ୍ବ ତୁଲାଇଥିବା ଭକ୍ତ ଦାସଙ୍କୁ ଓଡ଼ିଶା କଂଗ୍ରେସ ସଂଗଠନ ସଜାଡ଼ିବା ଦାୟିତ୍ବ ଦିଆଯାଇଛି । ରାଜ୍ୟ କଂଗ୍ରେସକୁ ସଜାଡିବା ପାଇଁ ଏଆଇସିସି ତାଙ୍କୁ ଦାୟିତ୍ବ  ଦେଇଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି ।

ଏବେ ନଜର ପକାଇବା  ଭକ୍ତଙ୍କ ପାଇଁ  କି କି ବଡ଼ ଚ୍ୟାଲେଞ୍ଜ ରହିଛି ? ସବୁ ଗୋଷ୍ଠୀକୁ ସାଙ୍ଗରେ ନେଇ ଚାଲିବା  ଭକ୍ତଙ୍କ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ । ଏହାସହ ତୃଣମୂଳ ସ୍ତରରେ ଅସଜଡ଼ା କଂଗ୍ରେସ ସଙ୍ଗଠନକୁ ସଜାଡ଼ିବା ହେବ ଦ୍ବିତୀୟ ଚ୍ଯାଲେଞ୍ଜ । ତା ସାଙ୍ଗକୁ ରାଜ୍ୟର ପରିବର୍ତ୍ତିତ ରାଜନୀତି ପରିସ୍ଥିତିରେ କଂଗ୍ରେସକୁ ଶକ୍ତିଶାଳୀ କରିବା ଓ  ଦଳୀୟ କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ କରିବା ହେବ ବଡ଼ ଟାସ୍କ । କଂଗ୍ରେସକୁ ରାଜ୍ୟରେ ତୃତୀୟ ସ୍ଥାନରୁ ଉପରକୁ ଉଠାଇବା ଏବଂ  ଦଳ ସହ ମହିଳା, ଯୁବ, ଛାତ୍ରଙ୍କୁ କଂଗ୍ରେସ ଦଳ ସହ ଯୋଡ଼ିବା ବି ତାଙ୍କ ପାଇଁ ଚ୍ଯାଲେଞ୍ଜ ହେବ ।  ଦଳ ଛାଡ଼ିଥିବା ପ୍ରମୁଖ ନେତାଙ୍କୁ ଘରବାହୁଡ଼ା କରିବା ବି ହେବ ମୁସ୍କିଲ କାମ ।

ସେପଟେ ୮ମାସ ପରେ କଂଗ୍ରେସକୁ ନୂଆ ମଙ୍ଗୁଆଳ ମିଳିଥିବାରୁ କଂଗ୍ରେସ ଶିବିର ଉତ୍ସାହିତ । ଦଳର ବରିଷ୍ଠ , ବିଧାୟକ ଓ ଯୁବନେତାମାନେ ଭକ୍ତଙ୍କ ନେତୃତ୍ବରେ କଂଗ୍ରେସ ସଂଗଠନକୁ ମଜଭୁତ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ଯେ ଭକ୍ତ ଦାସ ଜଣେ ଅଭିଜ୍ଞ ରାଜନେତା । ଦଳକୁ ଆଗକୁ ନେବାରେ ତାଙ୍କୁ ପୂର୍ଣ୍ଣ ସହଯୋଗ କରିବେ । ପିସିସି ସଭାପତି କଂଗ୍ରେସ ପାଇଁ କାମ କରୁ୍‌ଥିବା ନେତାଙ୍କୁ ନେଇ ଛୋଟିଆ ନୂଆ ଟିମ ଗଠନ କରିବାକୁ ପରାମର୍ଶ ଦେଇଛନ୍ତି ଜୟଦେବ । ଅନ୍ୟପଟେ ଦଳ ଭିତରେ ଯେମିତି ଗୋଷ୍ଠୀ ତିଆରି ନହେବ ତାହା ଉପରେ ପିସିସି ସଭାପତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ବିଧାୟକ ଦାଶରଥୀ ଗମାଙ୍ଗ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ପିସିସି ସଭାପତିଙ୍କ ନେତୃତ୍ବରେ ଦଳ ଶକ୍ତିଶାଳୀ ହେବ ବୋଲି କହିଛନ୍ତି । ଭକ୍ତ ଦାସ ଖୁବଶୀଘ୍ର ଓଡ଼ିଶା ଫେରିବା ପରେ ବିଶାଳ ପଟୁଆରରେ ନୂଆ ପିସିସି ସଭାପତିଙ୍କୁ ସ୍ବାଗତ କରିବାକୁ କଂଗ୍ରେସ ନେତା ଓ କର୍ମୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।