ସୁସ୍ଥ ସମାଜ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ
ଭଦ୍ରକ: ଆଜିର ଛାତ୍ରଛାତ୍ରୀ କାଲିର ଭବିଷ୍ୟତ । ସୁସ୍ଥ ସମାଜ ଗଠନରେ ସେମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ତେଣୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାକୁ ନେଇ ସଚେତନତା ସୃଷ୍ଟି ହେବା ଆବଶ୍ୟକ । ଏପରି ଉଦ୍ଦେଶ୍ୟ ନେଇ ଭଦ୍ରକ ଆର୍ଯ୍ୟ ସମାଜ ଆଚାର୍ଯ୍ୟ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡାଙ୍କ ମାର୍ଗଦର୍ଶନ ଓ ଆର୍ଯ୍ୟ ସମାଜ ଭଦ୍ରକର ତତ୍ତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନୈତିକ ଶିକ୍ଷା ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।
ପିତା, ମାତା, ଆଚାର୍ଯ୍ୟ, ଅତିଥିଙ୍କୁ ଯଥା ଯୋଗ୍ୟ ସମ୍ମାନ ଓ ଶୃଙ୍ଖଳିତ ଦିନଚର୍ଯ୍ୟାର ଶିକ୍ଷା ପ୍ରଦାନ ସମ୍ପର୍କରେ ହରିଆଣା ଜମୁନାନଗର କନ୍ୟା ଗୁରୁକୂଳରୁ ଆସିଥିବା ଆଚାର୍ଯ୍ୟା ବିଦୁଷୀ ଆର୍ଯ୍ୟାଶା ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ । ବିନ୍ଦୁ ମାଧବ ବାଗୁରାଇ ଉଚ୍ଚ ବିଦ୍ୟାଳୟ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଓ ମଠସାହିର ଏସଟି ଜାଭିୟର ଗ୍ଲୋବାଲ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନୈତିକ ଶିକ୍ଷାଦାନ ଦିଆଯିବା ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଛି ।
ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଆଚାର୍ଯ୍ୟା ସୁଶ୍ରୀ ରୋଜାଲିନ, ପ୍ରଶାନ୍ତ କୁମାର ସାହୁ ଏବଂ ରାଜକିଶୋର ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଭଦ୍ରକ ଆର୍ଯ୍ୟ ସମାଜର ସଭାପତି ବୀଣାପାଣି ପଣ୍ଡା, ଲକ୍ଷ୍ମୀଧର ପଣ୍ଡା, ରବିନାରାୟଣ ଲେଙ୍କା ସହଯୋଗ କରିଥିଲେ ।