ଖାଁ ଖାଁ ବ୍ରହ୍ମପୁର ପରିବା ବଜାର

ନନ୍ଦିଘୋଷ ବ୍ୟୁରୋ: ବ୍ରହ୍ମପୁର ସହରରେ ପରିବା ଦରରେ ଲାଗିଛି ନିଆଁ । କିଲେ ପରିବା କିଣିବାକୁ ଭୟ କରୁଛନ୍ତି ଖାଉଟି । ଆଳୁ, ପିଆଜ ଓ ଟମାଟ ଦର ବି ଆକାଶ ଛୁଆଁ ହୋଇଛି । ଏଭଳି ପରିସ୍ଥିତି ପାଇଁ ଗ୍ରାହକ ଚିନ୍ତାରେ ପଡିଛନ୍ତି । ପ୍ରଶାସନ ଦର ନିୟନ୍ତ୍ରଣ ପାଇଁ କୌଣସି ଉଦ୍ୟମ କରୁନଥିବା ଅଭିଯୋଗ କରିଛନ୍ତି ଖାଉଟି।

ଖାଁ ଖାଁ ବ୍ରହ୍ମପୁର ପରିବା ବଜାର । ନାହିଁ ଗ୍ରାହକଙ୍କ ଭିଡ଼ । ଶଭୁନି ବ୍ୟବସାୟୀଙ୍କ ଡାକ । ଅଢେଇଶ ପରିବାରେ ପକେଟ ଖାଲି ହୋଇଯାଉଥିବା ଅଭିଯୋଗ । କିଛି ଦିନ ହେଲା ପନିପରିବା ଦର ଆଶାତୀତ ଭାବେ ବୃଦ୍ଧି ପାଇଛି  । ବିଭିନ୍ନ ପରିବା ଦର ଏବେ ଆକାଶଛୁଆଁ ହୋଇଛି । ଟମାଟ ଓ କାଙ୍କଡ଼ କିଲୋ ପ୍ରତି ୮୦ ଟଙ୍କା, ଫୁଲକୋବି ୭୦ ଟଙ୍କା, ପୋଟଳ , ସଜନା ଛୁଇଁ ଓ ଫୁଲକୋବି ୬୦ ଟଙ୍କା ରହୁଛି । ବାଇଗଣ  ୭୦ଟଙ୍କା ଥିବା ବେଳେ ଅଦା ୨୦୦ ଟଙ୍କା , ରସୁଣ ୧୪୦ ଟଙ୍କା, ପେପସିକମ୍ ୧୨୦ ଟଙ୍କା ଓ ବିନ୍ସ ୧୦୦ ଟଙ୍କାରେ ବିକ୍ରି ହେଉଛି । ଫଳରେ ଗରିବ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ପନିପରିବା କିଣିବା ବେଳକୁ ଖୁବ୍ ବାଧୁଛି । ପନିପରିବା ଦର ନିୟନ୍ତ୍ରଣ ପାଇଁ ସ୍ଥାନୀୟ ପ୍ରଶାସନିକ ସ୍ତରରେ କୌଣସି ତତ୍ପରତା ପ୍ରକାଶ ପାଉନଥିରବା ଅଭିଯୋଗ ହୋଇଛି ।

ଆମଦାନି କମ ଯୋଗୁ ପରିବା ଦର ବୃଦ୍ଧି ପାଉଥିବା କୁହାଯାଇଛି । ଏପଟେ ଚାଷ କ୍ଷେତ୍ରରେ ବି ପାଣିର ଅଭାବ ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହେଉଥିବା କହିଛନ୍ତି ଚାଷୀ ଓ ବ୍ୟବସାୟୀ । ପୂର୍ବରୁ ଖାଉଟି ମାନେ ଶହେ ଟଙ୍କାରେ ଗୋଟିଏ ବ୍ୟାଗ୍ ପରିବା ଘରକୁ ନେଉଥିବା ବେଳେ ଏବେ ପାଞ୍ଚଶହ ଟଙ୍କାରେ ବି ପରିବା ଆଖିକୁ ଦେଖାଯାଉନଥିବା କହିଛନ୍ତି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ  ଅଞ୍ଚଳର ପନିପରିବା ଦରକୁ ନିୟନ୍ତ୍ରଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।