ବ୍ରହ୍ମପୁର ଖାସ୍ପା ସାହିରେ କଣ୍ଢେଇ ଯାତ୍ରା, ସାମିଲ ହେଲେ ଜିଲ୍ଲା ଏବଂ ଜିଲ୍ଲା ବାହାରର କଣ୍ଢେଇ କାରିଗର

ନନ୍ଦିଘୋଷ ବ୍ୟୁରୋ: ବ୍ରହ୍ମପୁରରେ ବେଶ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି ପ୍ରସିଦ୍ଧ ପାରମ୍ପରିକ କଣ୍ଢେଇ ଯାତ୍ରା । ଖାସ୍ପାସାହିରେ ଅନୁଷ୍ଠିତ ଏହି ଯାତ୍ରାରେ ବ୍ରହ୍ମପୁର ସହର ସମେତ ସମଗ୍ର ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଲୋକଙ୍କ ଭିଡ଼ ଜମିଥିଲା । ୩ଶହ ବର୍ଷ ପୁରୁଣା ଏହି ଯାତ୍ରାକୁ ଆସି ଲୋକେ ଖାସ୍ପା ସାହି ଜଗନ୍ନାଥ ମନ୍ଦିରରେ ଜଗନ୍ନାଥଙ୍କ ଶ୍ରୀରାମଙ୍କ ପଟ୍ଟାଭିଷେକ ଓ ମାଆ ବୁଢୀ ଠାକୁରାଣୀଙ୍କୁ ଅନ୍ନପୂର୍ଣ୍ଣା ବେଶ ଦର୍ଶନ କରିଥିଲେ । ଯାତ୍ରାରେ ମାଟି କଣ୍ଢେଇ ପରିବର୍ତ୍ତେ ଇଲୋକଟ୍ରୋନିକ୍ସ ଓ ପ୍ଲାଷ୍ଟିକ କଣ୍ଢେଇ ଚାହିଦା ଅଧିକ ଦେଖିବାକୁ ମିଳିଥିଲା ।

ହାତୀ, ଘୋଡ଼ା, ବାଘ, କୁକୁର ସାଙ୍ଗକୁ ଦେବୀ ଦେବତାଙ୍କ ମୂର୍ତ୍ତି । ମାଟିରେ ଅତି ନିଖୁଣ ଭାବେ ନିର୍ମାଣ କରିଛି କାରିଗର । ଗୋଟିଏ ସ୍ଥାନରେ ଜାତିଜାତିକା ଓ ବିଭିନ୍ନ ରକମର କଣ୍ଢେଇ । ଛୁଆଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତଙ୍କ ଆକୃଷ୍ଟ କରୁଛି ସୁନ୍ଦର କାରୁକାର୍ଯ୍ଯ । ଇଏ ହେଇଛି ବ୍ରହ୍ମପୁର ଖାସ୍ପା ସାହିର ଦୃଶ୍ଯ । ଆଷାଢ ପୁର୍ଣ୍ଣିମାଦିନ ଏଠି ଜମିଛି ଖଚାଖଚ ଭିଡ଼ । ଗଡ ଜଗନ୍ନାଥ ଓ ବଡଜଗନ୍ନାଥଙ୍କୁ ପ୍ରଭୁ ଶ୍ରୀରାମଙ୍କ ପଟ୍ଟାଭିଷେକ ଓ ମାଆ ବୁଢୀ ଠାକୁରାଣୀଙ୍କୁ ମାଆ ଅନ୍ନପୂର୍ଣ୍ଣା ବେଶରେ ଶ୍ରଦ୍ଧାଳୁଙ୍କୁ ଦେଇଛନ୍ତି ଦର୍ଶନ । ରାଜାରାଜୁଡା କାଳରୁ ଏଠାରେ ପାଳିତ ହେଉଛି କଣ୍ଢେଇ ଯାତ୍ରା । ପ୍ରାୟ ୩ଶହ ବର୍ଷର ପୁରୁଣା ଏହି ଯାତ୍ରା ଦେଖିବାକୁ ଖାଲି ବ୍ରହ୍ମପୁର ନୁହେଁ ଆଖପାଖ ଜିଲ୍ଲାର ଲୋକଙ୍କ ବି ଭିଡ଼ ଦେଖିବାକୁ ମିଳିଥିଲା । ଅଣକୁଶଳୀ, ଅର୍ଦ୍ଧକୁଶଳୀ ଓ କୁଶଳୀ କାରୀଗରକୁ ପ୍ରୋତ୍ସାହିତ କରିବା ଉର୍ଦ୍ଦେଶ୍ୟରେ ଯାତ୍ରା ପାଳିତ ହୋଇ ଆସୁଛିବୋଲି କହିଛନ୍ତି ସଂସ୍କୃତି ଗବେଷକ ।

ରଥଯାତ୍ରାରୁ ବାହୁଡ଼ା ପର୍ଯ୍ୟନ୍ତ ନବଦିନାତ୍ମକ ଯାତ୍ରାକୁ ମନେରଖିବା ପାଇଁ ଜଗନ୍ନାଥଙ୍କୁ ପଟ୍ଟାଭିଷେକ ବେଶରେ ସଜ୍ଜିତ କରାଯାଇଥାଏ । ମହୁରୀରାଜାଙ୍କ ମହୁରୀଗଡ଼ ଭାଙ୍ଗିବା ପରେ ବ୍ରହ୍ମପୁରରେ ଆରମ୍ଭ ହୋଇଥିଲା ଏହି କଣ୍ଢେଇ ଯାତ୍ରା । ମହୁରୀ ରାଜା ଆନ୍ଧ୍ରପ୍ରଦେଶର କିଛି ବ୍ୟବସାୟୀଙ୍କୁ ଆଣି ଜଗନ୍ନାଥଙ୍କ ଶ୍ରୀରାମଙ୍କ ପଟ୍ଟାଭିଷେକ ବେଶ ପାଳନ ଅବସରରେ କଣ୍ଢେଇ ଯାତ୍ରାର ଆୟୋଜନ କରିଥିଲେ । କାଳକ୍ରମେ ଏହି ଯାତ୍ରା ଲୋପ ପାଇ ଆସୁଥିବାବେଳେ ୨୦୦୫ରୁ ଏକ କମିଟି ଗଠନ କରାଯାଇ ଯାତ୍ରାକୁ ପାଳନ କରାଯାଉଛି ତେବେ ସରକାରୀ ସ୍ତରରେ ଉଦ୍ଯମ ହେଲେ ଯାତ୍ରା ଆହୁରି ଅଧିକ ଲୋକପ୍ରିୟ ହୋଇ ପାରନ୍ତା ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।