ପାଖକୁ ଡାକି ଶକ୍ତ ଚାପୁଡ଼ା ପକାଇଲେ ଦୀପିକା

ବ୍ରହ୍ମପୁର: ଶ୍ବଶୁର ଘରକୁ ଯିବା ଦାବିରେ ଘର ଆଗରେ ଧାରଣାରେ ବସିଥିବା ବ୍ରହ୍ମପୁରର ଦୀପିକା ପୁଣି ଚର୍ଚ୍ଚାରେ । ଜଣେ ମହିଳାଙ୍କୁ ପାଖକୁ ଡାକି କାହିଁକି ଖରାପ ଭାଷାରେ ଗାଳି ଦେଉଥିଲୁ କହିବା ସହ ପକାଇଛନ୍ତି ଶକ୍ତ ଚାପୁଡ଼ା । ତାହା ପୁଣି ପୋଲିସ ଉପସ୍ଥିତିରେ ।

ଅଭିଯୋଗ ଅନୁସାରେ, ଦୀପିକା ଶ୍ବଶୁର ଘର ଆଗରେ ଧାରଣାରେ ବସିଥିବା ବେଳେ ଜଣେ ମହିଳା ଆସିଥିଲେ । ଦୀପିକା ତାଙ୍କୁ ପାଖକୁ ଡାକିଥିଲେ । ମହିଳା ଜଣଙ୍କ ପାଖକୁ ଯିବା ପରେ ହଠାତ ଦୀପିକା ବସିଥିବା ସ୍ଥାନରୁ ଉଠି ମହିଳା ଜଣଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ । ସମ୍ପୃକ୍ତ ମହିଳା କାହିଁକି ମାରୁଛ ପଚାରିବାରୁ, କିଛି ଦିନ ତଳେ କାହିଁକି ଗାଳି ଦେଉଥିଲୁ ବୋଲି ଦୀପିକା ଉତ୍ତର ଦେଇଥିଲେ ।

ସେତିକିରେ କଥା ସରି ନଥିଲା ଚାପୁଡ଼ା ଖାଇବା ପରେ ମହିଳା ଜଣଙ୍କ ରାସ୍ତା ଉପରକୁ ଚାଲି ଆସିଥିଲେ । ଦୀପିକା ତାଙ୍କ ପଛେ ପଛେ ଗୋଡ଼ାଇ ତାଙ୍କୁ ପୁଣି ଆକ୍ରମଣ କରୁଥିଲେ । ପରେ ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ପହଞ୍ଚିବାରୁ ଘଟଣା ଥଣ୍ଡା ପଡିଥିଲା ।

ସୂଚନାଯୋଗ୍ୟ, ଦୁଇଦିନ ପୂର୍ବରୁ ପାଲ ଚିରିବା ଅଭିଯୋଗ ନେଇ ଶାଶୂ ଘର ଲୋକଙ୍କ ସହ ଦୀପିକାଙ୍କ ବଚସା ଓ ହାତାହାତି ହୋଇଥିବା ଅଭିଯୋଗ ହୋଇଥିଲା । ଦୀପିକା ଧାରଣା ଦେବା ପରଠାରୁ ଶାଶୂ ଘର ଲୋକେ ଘରେ ତାଲା ପକାଇ କେଉଁ ଆଡେ ଚାଲି ଯାଇଥିଲେ । ୬ ତାରିଖରେ ସେମାନେ ଫେରି ଚାବି ଖୋଲି ଘରକୁ ଯାଉଥିବା ବେଳେ ଦୀପିକା ଟାଙ୍ଗିଥିବା ପାଲ ଚିରି ଦେଇଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଦୁଇପକ୍ଷ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଶାଶୂ ଘର ଲୋକଙ୍କୁ ଦୀପିକା ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ତେବେ ଆଜି ଦୀପିକା ମହିଳା ଜଣଙ୍କୁ ଡାକି ମାଡ଼ ମାରୁଥିବା ଭିଡିଓ ଭାଇରାଲ ହେଉଛି । ପୋଲିସ ଉପସ୍ଥିତିରେ ଦୀପିକା ଆଇନକୁ ଏମିତି ହାତକୁ ନେବାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।