ରାଜ୍ୟପାଳଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ହେବେ ଚାନ୍ସେଲର
କୋଲକାତା: ରାଜ୍ୟପାଳଙ୍କ ଦାୟିତ୍ୱ ହ୍ରାସ କରିବାକୁ ମମତା ବାନାର୍ଜୀଙ୍କ ମହା ପ୍ଲାନ । ପଶ୍ଚିମବଙ୍ଗ ବିଧାନସଭାରେ ଏନେଇ ଏକ ବିଲ ଆଣିବାକୁ ଯୋଜନା କରିଛନ୍ତି । ରାଜ୍ୟପାଳଙ୍କ ସ୍ଥାନରେ ମୁକ୍ୟମନ୍ତ୍ରୀ ସମସ୍ତ ବିଶ୍ୱ ବିଦ୍ୟାଳୟର କୁଳାଧିପତି ହେବେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏନେଇ ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ବ୍ରତ୍ୟ ବସୁ ଏନେଇ ସୂଚନା ପ୍ରଦାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ବିବାଦ ପଶ୍ଚିମବଙ୍ଗ ରାଜନୀତିକୁ ସର୍ବଦା ସରଗରମ କରି ଆସିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନକଡ଼ଙ୍କ ମଧ୍ୟରେ କଥା କଟାକଟି ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗରେ ବାଦ ବିବାଦ ସୃଷ୍ଟି ହୋଇଛି । ତେଣୁ ରାଜ୍ୟପାଳଙ୍କ ଠାରୁ କ୍ଷମତା ହ୍ରାସ କରିବାକୁ ମମତା ବାନାର୍ଜୀ ଏହି ବିଲ କ୍ୟାବିନେଟରେ ଆଣିବାକୁ ଯାଉଛନ୍ତି ।
ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ପ୍ରସ୍ତାବକୁ ଆସନ୍ତା ବିଧାନସଭା ଅଧିବେଶନରେ ଉପସ୍ଥାପିତ କରିବେ ମମତା । ପଶ୍ଚିମବଙ୍ଗରେ ଏବେ ରାଜ୍ୟପାଳ ଅଛନ୍ତି ଜଗଦୀପ ଧନକର । ତାଙ୍କ ସହ ଅନେକ ଥର ମମତା ବାନାର୍ଜୀଙ୍କ ବିବାଦ ହୋଇଛି । ଖୋଲାଖୋଲି ଭାବେ ମମତା ତାଙ୍କ ଉପରେ ବିଜେପିକୁ ସମର୍ଥନ କରୁଥିବା ନେଇ ଅଭିଯୋଗ କରିଥିଲେ । ରାଜ୍ୟପାଳ ମଧ୍ୟ ରାଜ୍ୟରେ ବିଭିନ୍ନ ଘଟଣାକୁ ନେଇ ମମତାଙ୍କୁ ନିନ୍ଦା କରୁଥିବା ଦେଖିବାକୁ ମିଳିଥିଲା ।