ଦିନକୁ ମିଳୁନି ଦିମୁଠା ଖାଦ୍ୟ, ଜଗନ୍ନାଥ ମନ୍ଦିରକୁ କଲେ ଲକ୍ଷେ ଟଙ୍କା ଦାନ

କନ୍ଧମାଳ: ଆଜି ବି ଅଛନ୍ତି ଏମିତି ଲୋକ  । ଯିଏ ଭିକ୍ଷା ମାଗି ଦିନ ବିତାଇଥାନ୍ତି, କିନ୍ତୁ ନିଜର ପ୍ରାଣର ଠାକୁରଙ୍କୁ ଭୁଲି ନଥାନ୍ତି  । ଦିନକୁ ଦି ମୁଠା ଖାଇବାକୁ ପାଇ ନଥାନ୍ତି କିନ୍ତୁ ଦିନ ବାନ୍ଧବ ପାଇଁ ସାଇତି ରଖିଥାନ୍ତି  ।  ଜଗନ୍ନାଥଙ୍କ ପାଇଁ ଭିକାରୁଣୀଙ୍କ ସମର୍ପଣ ମନୋଭାବ । ଜଗା ପାଇଁ ଦାନ କଲେ ଏକ ଲକ୍ଷ ଟଙ୍କା । କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ପୁରୁଣା ଜଗନ୍ନାଥ ମନ୍ଦିରକୁ ଏକ ଲକ୍ଷ ଟଙ୍କା ଦାନ କରିଛନ୍ତି ଭିକାରୁଣୀ ତୁଳା ବେହେରା ।

ମନ୍ଦିରର ପୁନଃଉଦ୍ଧାର କାର୍ଯ୍ୟ ପାଇଁ ପରିଚାଳନ କମିଟି ସଭାପତି ସୁନାଶିର ମହାନ୍ତିଙ୍କ ଉପସ୍ଥିତିରେ ଦାନ କରିଛନ୍ତି ସମସ୍ତ ଟଙ୍କା । ଏହି ଟଙ୍କାରେ ମନ୍ଦିର ପୁନଃଉଦ୍ଧାର କରାଯିବା ସହ ସେଠାରେ ସାଧୁ ସନ୍ଥ ମାନଙ୍କ ପାଇଁ ଭାଙ୍ଗିଯାଇଥିବା ମନ୍ଦିରର କାମ କରାଯିବ ବୋଲି କହିଛନ୍ତି ମନ୍ଦିର ସଭାପତି । ଦୀର୍ଘ ୪୦ ବର୍ଷ ହେବ ଭିକାରୁଣୀ ତୁଳା ବେହେରା ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର ଓ ସାଇ ମନ୍ଦିରର ଭିକ ମାଗି ସଞ୍ଚୟ କରିଥିଲେ ୧ ଲକ୍ଷ ଟଙ୍କା । ଯେଉଁ ଟଙ୍କାକୁ ୭୦ ବର୍ଷ ବୟସରେ ଜଗା ପାଇଁ ସମର୍ପିତ କରିଛନ୍ତି ।

ସମାଜକୁ ସବୁଠି ବଡ଼ ବାର୍ତ୍ତା ଦେଇଛନ୍ତି ଭିକ୍ଷା ମାଗି ଜୀବନ ଅତିବାହିତ କରୁଥିବା ତୁଳା ବେହେରା  । ଗୋଟିଏ ଟଙ୍କାରେ ଆଜିର ମଣିଷ ସମାଜକୁ ସମର୍ପଣ କରୁନଥିବାବେଳେ ଭିକ ମାଗି ପେଟ ପୋଷୁଥିବା ଏ ମହିଳା ଜଣଙ୍କ ଜଗନ୍ନାଥ ମନ୍ଦିର ପାଇଁ ଦେଇଛନ୍ତି ୧ଲକ୍ଷ ଟଙ୍କା  । ଏ ଖବର ଶୁଣିବା ପରେ ସମସ୍ତଙ୍କ ସମ୍ମାନ ବଢି ଯାଇଛି  । ଏମିତି ବି ମଣିଷ ଅଛନ୍ତି, ଯିଏ ବେସାହାରା  । ଦିନକୁ ଓଳିଟିଏ ଖାଇବାକୁ ଅର୍ଥର ଅଭାବ ପଡୁଥିବା ମଣିଷ ବି କିଭଳି ଜଗନ୍ନାଥଙ୍କ ପ୍ରେମକୁ ଜାବୁଡି ଧରିଥାଏ ତୁଳା ତାହାର ବଡ଼ ଉଦାହରଣ  ।