ହକି ବିଶ୍ବକପ୍: ସଜେଇ ହେଉଛି ରାଜଧାନୀ ଭୁବନେଶ୍ବର

1 min read

ଭୁବନେଶ୍ବର: ଆଗକୁ ହକି ବିଶ୍ବକପ । ଏଥିପାଇଁ ସଜେଇ ହେଉଛି ରାଜଧାନୀ ଭୁବନେଶ୍ବର । ବିଏମସି, ବିଡିଏ ଓ ସ୍ମାର୍ଟସିଟି ପକ୍ଷରୁ ସହରର ସୌନ୍ଦର୍ଯ୍ୟକରଣ ପାଇଁ ହାତକୁ ନିଆଯାଇଛି ଅନେକ ପଦକ୍ଷେପ । ସହରର ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଲୋକଙ୍କ ସୁରକ୍ଷା ଉପରେ ଦିଆଯାଉଛି ଗୁରୁତ୍ୱ । ଟ୍ରାଫିକ ସମସ୍ୟାର ସ୍ଥାୟୀ ପ୍ରତିକାର ସହିତ ରାସ୍ତାକଡ଼ରେ ଓ ପ୍ରମୁଖ ଛକଗୁଡିକରେ ଥିବା ହୋର୍ଡିଂ ଉପରେ ଲାଗିଲା କଟକଣା ।

ବଦଳିବ ବିଭିନ୍ନ ଛକର ଚିତ୍ର । ୫୦ ମିଟର ପରିଧିରୁ ହଟିବ ବିଜ୍ଞାପନ ହୋର୍ଡିଂ  । ରାଜଧାନୀ ବାସିନ୍ଦାଙ୍କ ସୁରକ୍ଷାକୁ ଗୁରୁତ୍ବ । ଶିଶୁଭବନ, ରୂପାଲି, ଏଜି, ରାଜଭବନ, ଗୋପବନ୍ଧୁ, ମାଷ୍ଟର କ୍ୟାଣ୍ଟିନ, ବାଣୀବିହାର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର ଓ କଳ୍ପନା ଆଦି ପ୍ରମୁଖ ଛକର ଚିତ୍ର ବଦଳିବ । ଏସବୁ ସ୍ଥାନରେ ଟ୍ରାଫିକ ସମସ୍ୟା ଅଧିକ ରହିଛି । ହକି ବିଶ୍ବକପକୁ ଦୃଷ୍ଟିରେ ରଖି ଅଧିକ ଭିଡ଼ ହେବାର ସମ୍ଭାବନା ରହିଛି । ଏଣୁ ସମସ୍ୟାର ସମାଧାନ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ବିଏମସି । ପୂର୍ବରୁ 5T ସଚିବ ବିଭିନ୍ନ ଛକ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । ବିଡିଏ ଓ ବିଏମସିର ମିଳିତ ସହଯୋଗରେ ଏହି କାର୍ଯ୍ୟ ସମ୍ପାଦନ କରାଯିବ ।

ଏବେ ବିଏମସି ଟାର୍ଗେଟରେ ରହିଛି ସହରର ସୌନ୍ଦର୍ଯ୍ୟ ବୃଦ୍ଧିରେ ପ୍ରତିବନ୍ଧକ ସାଜିଥିବା ବ୍ୟବସାୟିକ ହୋର୍ଡିଂ । ରାସ୍ତା କଡରେ ଥିବା ତଥା ପ୍ରମୁଖ ଛକର ୫୦ ମିଟର ପରିଧି ମଧ୍ୟରେ କୌଣସି ହୋର୍ଡିଂ ରହିବନି । ଏଥିପାଇଁ ବିଏମସିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବିଏମସିରେ ୨୦ ଜଣ ଏଜେନ୍ସି ଥିବାବେଳେ ସମସ୍ତଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ଶୀଘ୍ର ପ୍ରମୁଖ ଛକରୁ ହୋର୍ଡିଂ ହଟାଇବେ । ନଚେତ ଘରୋଇ ସଂସ୍ଥା ଜରିଆରେ ସେସବୁକୁ ବାହାର କରିଦିଆଯିବ ।

ପୂର୍ବରୁ ରାସ୍ତାକଡ଼ରେ ଖୁଣ୍ଟ, ଗଛରେ ଝୁଲୁଥିବା ବିଦ୍ୟୁତ ଓ କେବୁଲ ତାରକୁ ହଟାଇଛନ୍ତି ସ୍ମାର୍ଟସିଟି କର୍ତ୍ତୃପକ୍ଷ । ବର୍ତ୍ତମାନ ହୋର୍ଡିଂ ହଟାଇବା ପାଇଁ ନିଆଯାଇଛି ନିଷ୍ପତ୍ତି ।