ବାରବାଟୀ ଦିନିକିଆ: ବିସିସିଆଇ ଦେଲା ୧୦ କୋଟି, ଡିସେମ୍ବର ପୂର୍ବରୁ ପ୍ରସ୍ତୁତି ଶେଷ ପାଇଁ ଡେଡଲାଇନ୍

ବାରବାଟୀ ଦିନିକିଆ ପାଇଁ ଓଡ଼ିଶା କ୍ରିକେଟ  ଆସୋସିଏସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରତ୍ୟେକ ଦିନ ମାରାଥନ ବୈଠକ ହେଉଛି ଏବଂ ନୂଆ ନୂଆ ପଦକ୍ଷେପ ନିଆଯାଉଛି। ଏହାରି ଭିତରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟା୍ଚ ପାଇଁ ବିସିସିଆଇ ପକ୍ଷରୁ ଓସିଏକୁ ୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି। କ୍ରିକେଟ୍ ମ୍ୟାଚର ଆୟୋଜନ ପାଇଁ ବ୍ୟାପକ୍ ଅର୍ଥ ଆବଶ୍ୟକ ଥିବା ବେଳେ ଓସିଏ ପକ୍ଷରୁ ବିସିସିଆଇକୁ ସହାୟତା ପାଇଁ ଅନୁରୋଧ କରାଯାଇଥିଲା। ଫଳରେ ବିସିସିଆଇ 10 କୋଟି ଟଙ୍କା ଓସିଏକୁ ପ୍ରଦାନ କରିଛି। ଟ୍ୟାକ୍ସ କାଟି ଓସିଏ ନିକଟରେ 9 କୋଟି ଟଙ୍କା ହସ୍ତଗତ ହୋଇଛି। ଯାହା ବର୍ତ୍ତମାନ ସମୟରେ ଓସିଏ ପାଇଁ କୌଣସି ବରଦାନ ଠାରୁ କମ ନୁହେଁ।  ଅର୍ଥ ନ ମିଳିଥିଲେ ବାରବାଟୀରେ କ୍ରିକେଟ ମ୍ୟାଚ ଆୟୋଜନ କରିବା କଷ୍ଟକର ହୋଇପଡ଼ିଥାନ୍ତା ବୋଲି ଓସିଏ ସମ୍ପାଦକ କହିଛନ୍ତି। ସେ ଏଥିପାଇଁ ବିବିସିଆଇକୁ ଧନ୍ୟବାଦ ଦେଇଛନ୍ତି।

ଏହାସହ ସାଧାରଣ ଲୋକଙ୍କ ସମର୍ଥନ ମିଳିଲେ ଏହି ମ୍ୟାଚ ସଫଳତାର ସହ ଆୟୋଜନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା। ମ୍ୟାଚ ପାଇଁ ରାସ୍ତା. ସଫେଇ, ସୌନ୍ଦର୍ଯ୍ୟକରଣ, ଟିକେଟ ବିକ୍ରି ପାଇଁ ବ୍ୟାରିକେଡ଼ ନିର୍ମାଣ, ପାନୀୟଜଳ ଯୋଗାଣ ପାଇଁ ସୁବ୍ୟବସ୍ଥା ଇତ୍ୟାଦି କାର୍ଯ୍ୟକୁ ଡିସେମ୍ବର ୫ ସୁଦ୍ଧା ସାରିବାକୁ  ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ବାରବାଟୀ ମ୍ୟାଚ ପାଇଁ  ଏଥର ୫୨୦୦ ସିଟ୍ ସଂଖ୍ୟା କମାଇ ଦିଆଯାଇଛି।  ଷ୍ଟାଡିୟମର ୭ନମ୍ବର ଗ୍ୟାଲେରୀ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ଏହି ଗ୍ୟାଲେରୀକୁ ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଯାହା ଫଳରେ ପାଖାପାଖି ୫ହଜାର୨ଶହ ସିଟ୍ ସଂଖ୍ୟା କମିଯିବ। ମ୍ୟାଚ ସମୟରେ ବାରବାଟୀ ଷ୍ଟାଡିୟମ ଓ ଏହାର ଆଖାପାଖ ଅଞ୍ଚଳରେ ଯେପରି ବିଦ୍ୟୁତ ସରବରାହ ବ୍ୟାହତ ନ ହୁଏ ସେ ଦିଗ ପ୍ରତି ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

ସେହିପରି ମ୍ୟାଚ ବେଳେ ଦର୍ଶକଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା କରିବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏଥର ମ୍ୟାଚ ପାଇଁ ଡିସେମ୍ବର ୫ରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବ। ୧୯ତାରିଖରୁ ବାରବାଟୀ ଷ୍ଟାଡିୟମରେ ଥିବା ବିଭିନ୍ନ କାଉଣ୍ଟରରେ ଲୋକଙ୍କୁ ଅଫଲାଇନରେ ଟିକେଟ ବିକ୍ରି କରାଯିବ। ତେବେ ସମସ୍ତ ପ୍ରସ୍ତୁତି ୫ତାରିଖ ପୂର୍ବରୁ ସାରିବାକୁ ଓସିଏକୁ ବିସିସିଆଇ ନିର୍ଦ୍ଦେଶ ଦେଇଛି।

 

Leave a Reply