କାଳବୈଶାଖୀ ତାଣ୍ଡବର ୫ ଦିନ ପରେ ବି ଦୁର୍ଦ୍ଦଶାର ଅନ୍ତ ନାହିଁ

1 min read

ବାରିପଦା : ସବୁ ଛଡାଇନେଲା କାଳବୈଶାଖୀ। କାହାକୁ ବି ଛାଡ଼ିଲାନ ତାଣ୍ଡବ। ଚାଳଘରଠାରୁ ଆରମ୍ଭ କରି ଛାତଘର। ସବୁଠି କ୍ଷତି ପହଞ୍ଚାଇଛି ଅଦିନିଆ ବିପତ୍ତି। କେଉଁଠି ଘର ନଇଁ ପଡିଛି ତ କେଉଁଠି ଉଡିଯାଇଛି ଆଜବେଷ୍ଟସ। ଗଛଲତା ହୋଇଯାଇଛନ୍ତି ଶ୍ରୀହୀନ। ଏବେ ପ୍ରଶ୍ନ- ବଞ୍ଚିବୁ କେମିତି। କିଏ ହେବ ସାହାରା। ମୟୂରଭଞ୍ଜ ବାଙ୍ଗିରିପୋଷି ଓ ବିଶୋଇ ଅଞ୍ଚଳରେ ଗତ ଗୁରୁବାର ଥିଲା କାଳରାତ୍ରୀ। ବହିଥିଲା ଅଣଚାଶ ପବନ। କୁଆପଥର ମାଡ ସହ ପବନର ବେଗ ଓ ବର୍ଷାରେ ଛାରଖାର ହୋଇଯାଇଥିଲା ଭିଟାମାଟି। ନିମିଷକେ ମଧ୍ଯରେ ସବୁ ଫୁଟପାଥର ବାସିନ୍ଦା ହୋଇଯାଇଥିଲେ ହଜାର ହଜାର ଲୋକ। କାଳ ରାତିକୁ ବିତିଲାଣି ପାଞ୍ଚ ଦିନ। ଦୁଃଖ ଦୁର୍ଦ୍ଦଶାରେ ଏବେବି ଜୀବନ କାଟୁଛନ୍ତି କ୍ଷତିଗ୍ରସ୍ତ ଗ୍ରାମବାସୀ।  ନା ମିଳିଛି ପାଲ, ନା ସରକାରୀ ସହାୟତା । ଖୋଲା ଆକାଶ ତଳେ ଦିନରାତି କାଟୁଛନ୍ତି ଲୋକେ। ଧାନ ଭିଜିଯିବା ସହ ବର୍ଷକର ଦାନା ଛଡାଇନେଇଛି କାଳବୈଶାଖୀ। ନଷ୍ଟ ହୋଇଯାଇଛି ପିଲାଙ୍କ ବହିପତ୍ର। ଏକର ଏକର ଚାଷଜମି ହୋଇଯାଇଛି ନଷ୍ଟ। ବିଲରେ ମକା, କୁନ୍ଦୁରି, କଖାରୁ, ବାଇଗଣ ଫସଲର ହଜିଯାଇଛି ଚିହ୍ନବର୍ଣ୍ଣ। ଭାଙ୍ଗିଯାଇଛି ଶହ ଶହ ଅନ୍ନଦାତାଙ୍କ ଅଣ୍ଟା।  ସହାୟତା ଲାଗି ଚାହିଁବସିଛନ୍ତି ବାସିନ୍ଦା।

ଗତକାଲି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବିବୃତି ପରେ ସତ୍ୟତା ଜାଣିବା ପାଇଁ. ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲା ନନ୍ଦିଘୋଷ ଟିଭି । ଗ୍ରାଉଣ୍ଡ ଜିରୋର ଅସହାୟଙ୍କ ନିକଟରେ ପହଞ୍ଚି ସାଉଁଟିଥିଲା ତଥ୍ୟ। ମନ୍ତ୍ରୀଙ୍କ ବକ୍ତବ୍ୟର କିଛି ସତ୍ୟତା ନାହିଁ ବୋଲି କହିଛନ୍ତି ବାଙ୍ଗିରିପୋଷି ବ୍ଲକ ଚାଷୀ ଓ ଗ୍ରାମବାସୀ। ଦୁଇଟି ସ୍ଥାନ ଛାଡିଦେଲେ ଗ୍ରାଉଣ୍ଡ ଜିରୋରେ ମନ୍ତ୍ରୀ କିମ୍ବା ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼ିନାହିଁ। ମନ୍ତ୍ରୀ ମିଛ କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ହୋଇଛି ଅଭିଯୋଗ। ବିପନ୍ନଙ୍କ ନିକଟରେ ଏବେ ବି ପହଞ୍ଚିନାହିଁ ମେଡିକାଲ ଟିମ। ସରକାରଙ୍କ ପକ୍ଷରୁ ବି ମିଳିନାହିଁ ସହାୟତା।

ସରକାରଙ୍କ ପକ୍ଷରୁ ବାଙ୍ଗିରିପୋଷି ତହସିଲ ଅଧିନରେ ପାଖାପାଖି ୧୨ଟି ପଞ୍ଚାୟତର ୮୨ ଗାଁ କ୍ଷତିଗ୍ରସ୍ତ ହୋଇଛି। ଜିଳ୍ଲାର ୧୬ଟି ବିଭିନ୍ନ ତହସିଲରୁ ଅସି ଅଧିକାରୀ ସର୍ଭେରେ ଲାଗିଛନ୍ତି। ସେଥି ମଧ୍ୟରୁ ତିନି ହଜାରରୁ ଉର୍ଦ୍ଧ୍ବ ଘର ନଷ୍ଟ ହୋଇଥିବା ବେଳେ ୨୩୩ ଜଣ କ୍ଷତିଗ୍ରସ୍ତ ହିତାଧୀକାରୀଙ୍କ ଖାତାକୁ ୧୪ଲକ୍ଷ ୯୬ହଜାର ୫୦୦ ଟଙ୍କା ବ୍ୟାଙ୍କ ମାଧ୍ୟମରେ ପଠାଯାଇଛି। ସମ୍ପୂର୍ଣ ସର୍ଭେ ପରେ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ତହସିଲଦାର କହିଛନ୍ତି। କାଳବୈଶାଖୀ ବର୍ଷା ଓ କୁଆପଥର ମାଡରେ ଗରିବ ଅସହାୟ ଲୋକମାନେ ତଳିତଳାନ୍ତ ହୋଇଛନ୍ତି । ସରକାର କେବେ ସେମାନଙ୍କୁ ସହାୟତା ପ୍ରଦାନ କରିବେ ସେହି ଅପେକ୍ଷାରେ ଅଛନ୍ତି କ୍ଷତିଗ୍ରସ୍ତ।