ଔଷଧ ନା ବିଷ! ସିରପରେ ଭାସୁଛି ମଲା ସାପ ଭଳି ପଦାର୍ଥ

ବାରିପଦା: ଔଷଧ ଖାଇଲେ ରୋଗ ଭଲ ହେବ କଷ୍ଟରୁ ମୁକ୍ତି ମିଳିବ । ଏଭଳି ବିଶ୍ୱାସରେ ରୋଗୀ ଖାଇଥାନ୍ତି ଔଷଧ । କିନ୍ତୁ ଏଥିରେ ଏକ ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଠି ଚାଲିଛି ଜୀବନ ସହ ଖେଳ । ମହାରାଷ୍ଟ୍ର ପାଲଘରର ହିନ୍ଦୁସ୍ତାନ ଲାବୋରାଟୋରୀ ଦ୍ୱାରା ପ୍ରସ୍ତୁତ ଆଜିଥ୍ରୋମେସିନ୍ ସିରପରେ ଔଷଧ ନୁହେଁ ବରଂ ମଲା ସାପ ଭଳି ପଦାର୍ଥ ଭାସୁଛି  । ନିରାମୟ ଯୋଜନାରେ ସରକାରୀ ଟେଣ୍ଡର ହାତେଇ କମ୍ପାନୀ ମେଡିସିନ ଯୋଗାଇଛି  ସତ, ହେଲେ ତା’ର ମାନ ନିର୍ଦ୍ଧାରଣ ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଯେମିତି ଭୁଲିଯାଇଛନ୍ତି  ।

ବାରିପଦା ପିଆରଏମ ହସ୍ପିଟାଲରୁ ଆସିଛି ଏ ଅଭିଯୋଗ । ସୂଚନା ଅନୁସାରେ ବାରିପଦା ଥାନା ଶୂନଗାଡ଼ିଆର ସେକ ସେରାଜୁଲ ନିଜ ଶିଶୁର ଚିକିତ୍ସା ପାଇଁ ହସ୍ପିଟାଲକୁ ଆସିଥିଲେ । ଡାକ୍ତରଙ୍କୁ ଦେଖାଇବା ସହ ପ୍ରେସକ୍ରିପସନ ଅନୁସାରେ ଔଷଧ ନେଇଥିଲେ । ତେବେ ଔଷଧ ଖୁଆଇବା ପାଇଁ ଢାଳିଲା ବେଳେ ସିସିରେ ମଲା ସାପ ଛୁଆ ଭଳି ପଦାର୍ଥ ଭାସୁଥିବା ଦେଖିବାକୁ ପାଇଥିଲେ  । ଏନେଇ ନିରାମୟ କେନ୍ଦ୍ରରେ ଅଭିଯୋଗ କରିଥିଲେ ହେଁ କର୍ତ୍ତୃପକ୍ଷ ଶୁଣିନଥିବା ଅଭିଯୋଗ ହୋଇଛି  । ଏପରିକି ଆମେ କେବଳ ଏକ୍ସପାଇରୀ ଦେଖି ମେଡିସିନ ଦେଉଛୁ, ଶିଶି ମଧ୍ୟରେ କଣ ଅଛି ଆମେ କେମିତି ଜାଣିବୁ ବୋଲି ଓଲଟା ପ୍ରଶ୍ନ କରିଥିଲେ  । ଏନେଇ ବାରିପଦା ଥାନାରେ ଅଭିଯୋଗ କରିଛନ୍ତି ସେକ୍  । ଘଟଣା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି  । ଅଭିଯୋଗ ପରେ ଜିଲ୍ଲା ଭେଷଜ ନିରୀକ୍ଷକ ସମସ୍ତ ଔଷଧକୁ ସିଲ କରିବା ସହିତ ବ୍ୟବହାର କରିବାକୁ ବାରଣ କରିଛନ୍ତି । ଔଷଧର ପରୀକ୍ଷା ପାଇଁ ଲାବୋରେଟୋରୀ ପଠାଯିବା ସହ କଂପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି  ।

ଏଥିସହିତ ପଢ଼ନ୍ତୁ: ପୁରୀ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ: ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ବର୍ଷା ହୋଇଛି

Leave a Reply