ଆଜିଠୁ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା; ଶୁଭିବ କଂସର ଅଟ୍ଟହାସ୍ୟ

ବରଗଡ :  ଆଜିଠୁ ଦୁଲୁକିବ ବରଗଡ । ଶୁଭିବ କଂସର ଅଟହାସ୍ୟ । ଆରମ୍ଭ ହେବ ୭୬ ତମ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ୧୧ ଦିନ ପର୍ଯ୍ୟନ୍ତ ବରଗଡରେ ଚାଲିବ ମହାରାଜା କଂସଙ୍କ ରାଜୁତି । ବରଗଡ଼ ପାଲଟି ଯିବ ମଥୁରା  ନଗରୀ , ଅମ୍ବାପାଲି ପାଲଟିଯିବ ଗୋପପୁର ଏବଂ ଚିର ପ୍ରବାହିତ ଜୀରାନଦୀ ପାଲଟିଯିବ ଜମୁନା ନଦୀ । ଏହା ସହିତ ବରଗଡ଼ର ଆବାଳ ବୃଦ୍ଧ ବନୀତା ପାଲଟିଯିବେ ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଜଣେ ଜଣେ କଳାକାର । ଏନେଇ ସାରା ବରଗଡ଼ ସହର ଚଳଚଂଚଳ ହୋଇଉଠିଥିବା ବେଳେ ମଥୁରାଠାରୁ ଗୋପପୁର ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ବିଶ୍ଵ ଦରବାରର ଏହି ମହାମଞ୍ଚ ପାଇଁ କଳାକାର ମାନେ ନିଜ ନିଜର ଅଭ୍ୟାସ ଶେଷକରିଛନ୍ତି । ଅନ୍ୟପଟେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆ ଠାରେ ଭିନ୍ନ ଭିନ୍ନ ଧରଣର ଝୁଲା ସହିତ ମୀନା ବଜାର ଓ ବ୍ୟବସାୟୀ ମାନେ ଆସି ପହଞ୍ଚି ସାରିଛନ୍ତି । ପୋଲିସ ପ୍ରଶାସନ ମଧ୍ୟ ଧନୁଯାତ୍ରାକୁ ନେଇ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି | କିପରି ଯାତ୍ରା ସମୟରେ ଟ୍ରାଫିକ ସମସ୍ୟା ନହେବ ସେନେଇ ବରଗଡର ବିଭିନ୍ନ ଛକରେ ଟ୍ରାଫିକ ପୋଲିସ ମୃତୟନ କରାଯିବା ସହିତ ବିଭିନ୍ନ ରାସ୍ତାକୁ ଓ୍ବାନ ଓ୍ବେ କରାଯାଇଛି । ବରଗଡ ସହରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇ ଅପରାଧ ଉପରେ ନଜର ରଖାଯାଇଛି ।