ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନରେ ଲାଗିଲା ବ୍ରେକ୍ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆନ୍ଦୋଳନ ସ୍ଥଗିତ ରଖିଲେ ପଶ୍ଚିମ ଓଡ଼ିଶାର ସମସ୍ତ ବାର ଆସୋସିଏସନ୍ । ଏନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ନିଷ୍ପତ୍ତି ନେଇଛି । ସୁପ୍ରିମକୋର୍ଟ ଓ ସମ୍ବିଧାନ ଉପରେ ଭରସା ଦେଖାଇ ଆନ୍ଦୋଳନ ସ୍ଥଗିତ ରଖାଯାଇଛି । ତେବେ ସମ୍ବଲପୁରରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବା ନେଇ କ୍ରିୟାନୁଷ୍ଠାନ କମିଟି ଆଶାବାଦୀ ରହିଛି । ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଭରସା ରହିଥିବା କମିଟି କହିଛି ।

ସୂଚନାଥାଉକି, ଦୀର୍ଘ ଦିନ ହେବ ଓକିଲମାନେ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ କରି ଆସୁଛନ୍ତି । ଏମିତି କି ଗତ ସୋମବାର କୋର୍ଟରେ ପଶି ଓକିଲମାନେ ଧସ୍ତାଧସ୍ତି ଓ ଭଙ୍ଗାରୁଜା କରିବା ସହ ହିଂସାତ୍ମକ ପନ୍ଥା ଆପଣାଇଥିଲେ । ସୁପ୍ରିମକୋର୍ଟ ଏପରି ଘଟଣାକୁ ଭର୍ତ୍ସନା କରିବା ସହ ଓଡ଼ିଶା ପୋଲସକୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହାପରେ ବାର୍ କାଉନ୍ସିଲ ଅଫ୍ ଇଣ୍ଡିଆ ମଧ୍ୟ ୨୯ ଜଣ ଓକିଲଙ୍କ ଲାଇସେନ୍ସ ୧୮ ମାସ ପାଇଁ ବାତିଲ କରିଥିଲା । ଆଜି ହିଂସାତ୍ମକ ଆନ୍ଦୋଳନ ପାଇଁ ୧୭ ଆଇନଜୀବୀଙ୍କୁ ପୋଲିସ ଗିରଫ କରିଥିଲା । ପ୍ରକାଶଥାଉକି ପୂର୍ବରୁ ସୁପ୍ରିମକୋର୍ଟ ଚେତାବନୀ ଦେଇ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଆଦେଶ ଦେଇଥିଲେ । ହେଲେ ଆଇନଜୀବୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ନମାନି ଆନ୍ଦୋଳନ ଜାରି ରଖିଥିଲେ । ଏମିତି ହିଂସାତ୍ମକ ପନ୍ଥା ଆପଣାଇବାକୁ ପଛାଇ ନଥିଲେ । ଏହାପରେ ସୁପ୍ରିମକୋର୍ଟ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ।