ବ୍ୟାଙ୍କ କର୍ମଚାରୀଙ୍କ ଅମାନବିକତା, ଗର୍ଭବତୀଙ୍କୁ ବସିବାକୁ ନା ଦେଲେ ଚୌକି ନା ଟଙ୍କା !

ସାନଖେମୁଣ୍ଡି: କରୋନା ଯେମିତି ମାନବିକତାକୁ ମାରି ଖାଇ ସାରିଲାଣି । ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ଗର୍ଭବତୀଙ୍କ ସହ ହୋଇଛି ଦୁଃବ୍ୟବହାର । କରୋନା ସଂକ୍ରମିତଙ୍କ ସଂଖ୍ୟା ଗଞ୍ଜାମରେ ଯେଉଁଭଳି ଭାବେ ବଢିବାରେ ଲାଗିଛି, ସମସ୍ତଙ୍କ ମଧ୍ୟରେ ଆତଙ୍କ ଖେଳିଯିବା ସ୍ୱାଭାବିକ କଥା । ମାତ୍ର ଏହାର ଅର୍ଥ ଏହା ଆଦୌ ନୁହେଁ ଯେ ଆତଙ୍କ ଭୟରେ ଓ ସଚେତନତା ଆଳରେ ମଣିଷ ମାନବିକତାକୁ ମାରି ବସିବ । ମିଳିଥିବା ସୂଚନା ଅନୁଯାୟୀ ଜଣେ ମହିଳାଙ୍କୁ କରୋନା ସଂକ୍ରମିତ ହୋଇଥିବା ସନ୍ଦେହ କରି ବ୍ୟାଙ୍କ କର୍ମଚାରୀମାନେ ଚେୟାରରେ ବସିବାକୁ ଅନୁମତି ଦେଇନଥିଲେ । ତେବେ ମହିଳା ଜଣକ ଗର୍ଭବତୀ ଥିଲେ ।

pregnant Woman

ମହିଳା ବ୍ୟାଙ୍କରେ ଉପସ୍ଥିତ ଥିବା ବେଳେ ତାଙ୍କୁ ଛାଡି ମାତ୍ର ୫ଜଣ ଲୋକେ ବ୍ୟାଙ୍କରେ ଥିଲେ । ଚେୟାର ଖାଲି ଥିଲେ ମଧ୍ୟ ତାଙ୍କୁ ବସିବାକୁ ଅନୁମତି ମିଳିନଥିଲା ।  ଉକ୍ତ ମହିଳା ସାନଖେମୁଣ୍ଡିର କଙ୍କୋରଡ଼ା ଏସବିଆଇ ଶାଖା ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଇଥିଲେ । ପ୍ରଥମେ ତାଙ୍କୁ ଚେୟାରରେ ବସିବାକୁ ମନା କରାଯାଇଥିଲା । ଅଗତ୍ୟା ସେ ପ୍ରାୟ୨ ଘଣ୍ଟା ସମୟ ଅପେକ୍ଷା କଲେ । ପରେ ଟଙ୍କା ଦେବା ପାଇଁ ମଧ୍ୟ ମନା କରାଗଲା  । ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ପରେ ଆସିବା ପାଇଁ କହିଥିଲେ । ମହିଳା ଜଣକ ବାଧ୍ୟ ହୋଇ ନିରାଶ ହୋଇ ଫେରିଥିଲେ ।

ତେବେ ସୋସିଆଲ ମିଡ଼ିଆରେ ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଏସମ୍ପର୍କିତ ସୂଚନା ସ୍ପଷ୍ଟ ହୋଇଥିଲା । ଅନ୍ୟପକ୍ଷରେ କରୋନା ବେଳେ ଜଣେ ଗର୍ଭବତୀ ମହିଳାଙ୍କ ସହ ବ୍ୟାଙ୍କ କର୍ମଚାରୀଙ୍କର ଏଭଳି ସମ୍ୱେଦନହୀନ ବ୍ୟବହାରକୁ ଅଞ୍ଚଳବାସୀ ନିନ୍ଦା କରିଛନ୍ତି ।

Leave a Reply