କରୋନା ମୁକାବିଲାରେ ବ୍ୟାଙ୍କର ମାନଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କରୋନା ମୁକାବିଲାରେ ଡାକ୍ତରମାନେ ଜୀବନ ବଞ୍ଚାଉଥିବା ବେଳେ ବ୍ୟାଙ୍କ ଗୁଡିକ ଜୀବିକା ବଞ୍ଚାଉଥିଲେ । ତେଣୁ ସବୁ ବ୍ୟାଙ୍କ କର୍ମଚାରୀ ଜଣେ ଜଣେ ଯୋଦ୍ଧା । ମହାମାରୀ ବେଳେ ଜନସାଧାରଣ ଆର୍ଥିକ ମାନଦଣ୍ଡକୁ ଶୃଙ୍ଖଳିତ ରଖିବାରେ ପ୍ରମୁଖ ଭୁମିକା ନେଇଥିଲେ । ନିଜ ଜୀବନକୁ ଖାତିର ନକରି ଲୋକଙ୍କ ହିତ ସକାଶେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ ।

ଏପରିକି ରାଜ୍ୟରେ ବି ଆର୍ଥିକ ସ୍ଥିତି ସ୍ୱାଭାବିକ ରଖିବାରେ ଏମାନେ ରାଜ୍ୟ ସରକାରଙ୍କୁ ସହଯୋଗ କରିଥିଲେ । କରୋନାରେ ପ୍ରାଣତ୍ୟାଗ କରିଥିବା ସେହି ମହାନ ବ୍ୟାଙ୍କ କର୍ମଚାରୀ ମାନଙ୍କୁ ରାଜ୍ୟସ୍ତରୀୟ ବ୍ୟାଙ୍କର କମିଟି ବୈଠକରେ ଗୁରୁବାର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ବ୍ୟାଙ୍କ କର୍ମଚାରୀଙ୍କ ସହ ଚାଷୀ, ମିଶନ ଶକ୍ତି ଗୃପ୍‌ ଏବଂ ଏମ୍‌ଏସ୍ଏମ୍ଇ କ୍ଷେତ୍ରକୁ ବ୍ୟାଙ୍କ ଗୁଡିକ ପ୍ରାଧାନ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଚାଷୀଙ୍କୁ ଋଣ ରିହାତି ବାବଦରେ ରାଜ୍ୟସରକାର ୬ ଶହ କୋଟି ଟଙ୍କା ପ୍ରଦାନ କରିଛନ୍ତି ।

୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ଛାଡ଼ କରାଯାଇଥିବା ବେଳେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁଇ ପ୍ରତିଶତ ସୁଧ ସୁବିଧା ରହିଛି । ଏଥିସହ ଭାଗଚାଷୀଙ୍କ ପାଇଁ ‘ବଳରାମ’ ଯୋଜନା କାର୍ଯ୍ୟକାରୀ ହୋଇଛି । ମିଶନଶକ୍ତି ମହିଳାଙ୍କୁ ୧୦୦ ପ୍ରତିଶତ ଋଣ ଛାଡ କରାଯାଇଛି । ଏମଏସ୍ଏମଇ ଋଣ ଛାଡ ବ୍ୟବସ୍ଥା ରହିଛି । ରାଜ୍ୟ ଅର୍ଥନୀତିର ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ବିକାଶକୁ ନିୟମିତ ମନିଟର କରିବେ ମୁଖ୍ୟମନ୍ତ୍ରୀ । ନଭେମ୍ବର ଶେଷ ସୁଧା ସବୁଜିଲ୍ଲା ବ୍ୟାଙ୍କ ଓ ଜିଲ୍ଲାପାଳ ମାନଙ୍କ ସହ ସ୍ଥିତିର ଅନୁଧ୍ୟାନ କରାଯିବ ।

Leave a Reply