ବାଂଲାଦେଶରେ ହିନ୍ଦୁ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରୁଛନ୍ତି ଛାତ୍ରଛାତ୍ରୀ

1 min read

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶରେ କମୁନି ହିନ୍ଦୁଙ୍କ ଉପରେ ନିର୍ଯାତନା । ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ିବା ପରଠାରୁ ବଢ଼ିବାରେ ଲାଗିଛି ହିନ୍ଦୁ ବିରୋଧୀ କାର୍ଯ୍ୟ । ବିଭିନ୍ନ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କୁ ଇସ୍ତଫା ଦେବା ଲାଗି ବାଧ୍ୟ କରାଯାଉଛି । ଏପରିକି ବିକ୍ଷୋଭ କରିବା ସହ ଚାପ ମଧ୍ୟ ପକାଯାଉଛି । ଯେଉଁ କାରଣରୁ ସେମାନେ ବାଧ୍ୟ ହୋଇ ଚାକିରୀ ଛାଡ଼ୁଛନ୍ତି । ପାଖାପାଖି ୫୦ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ନିଜର ପଦରୁ ଇସ୍ତଫା ଦେଇଥିବା ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଏକ ବାଂଲାଦେଶ ଖବର ମୁତାବକ, ଗତ ୧୮ ତାରିଖରେ ଆଜିମପୁର ସରକାରୀ ବାଳିକା ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ହିନ୍ଦି ଶିକ୍ଷୟିତ୍ରୀ ଗୀତାଞ୍ଜଳି ବାରୁଆଙ୍କ ବିରୋଧରେ ନାରାବାଜି ଲଗାଇଥିଲେ ଛାତ୍ରୀ । ବିଦ୍ୟାଳୟର କିଛି ଶିକ୍ଷକ ଜାଣିଶୁଣି ଏଭଳି କରିଥିଲେ । ପ୍ରଥମେ ତାଙ୍କୁ ଅପମାନିତ କରିବା ସହ ପରେ ଅଫିସ ଘେରାଉ କରିଥିଲେ । ଶେଷରେ ବାଧ୍ୟ ହୋଇ ସେ ନିଜର ଚାକିରୀ ହରାଇଥିଲେ । ଏଭଳି ଅନେକ ପ୍ରଫେସର ମଧ୍ୟ ଅଛନ୍ତି ଯେଉଁମାନେ କି, ସିଧାସଳଖ ଏଭଳି ଅଭିଯୋଗ ଆଣିଛନ୍ତି । ସେମାନଙ୍କୁ ଚାକିରୀ ଛାଡ଼ିବାକୁ ବାଧ୍ୟ କରାଯାଇଛି । ଏପରିକି ଚାକିରୀ ନଛାଡ଼ିଲେ ମାରି ଦେବାକୁ ଧମକ ମଧ୍ୟ ଦେଇଛନ୍ତି ।