ଭୟଙ୍କର ରୂପ ନେଉଛି ବାଂଲାଦେଶରେ ଛାତ୍ର ଅଶାନ୍ତି, ଗଲାଣି ୪୦ ଜୀବନ

ଢାକା: ବାଂଲାଦେଶରେ ଛାତ୍ର ଅଶାନ୍ତି ଭୟଙ୍କର ରୂପ ନେଇଛି । ୪୦ରୁ ଅଧିକ ଛାତ୍ରଙ୍କ ମୃତ୍ଯୁ ହେଲାଣି । ୩ ହଜାରରୁ ଅଧିକ ଆହତ ହୋଇଛନ୍ତି । ସରକାରୀ ଚାକିରିରେ ଥିବା ସଂରକ୍ଷଣ ବ୍ଯବସ୍ଥାକୁ ନେଇ ଏହି ହିଂସାକାଣ୍ଡ ଓ ଜଳାପୋଡ଼ା ହୋଇଛି । ବର୍ତ୍ତମାନର ସଂରକ୍ଷଣ ବ୍ଯବସ୍ଥାରେ ସଂସ୍କାର ଆଣିବାକୁ ଦାବି କରୁଛନ୍ତି ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ।

ରାଷ୍ଟ୍ରାୟତ୍ତ ଉଦ୍ଯୋଗରେ ଥିବା ସଂରକ୍ଷଣ ବ୍ଯବସ୍ଥା, ୧୯୭୧ ଯୁଦ୍ଧରେ ଭାଗ ନେଇଥିବା ବ୍ଯକ୍ତିଙ୍କ ପରିବାରର ସଦସ୍ଯଙ୍କ ପାଇଁ ସଂରକ୍ଷଣ ବ୍ଯବସ୍ଥା ରହିଛି । ତେବେ ଏହାକୁ ଶେଖ ହସିନା ସରକାର ଉଚ୍ଛେଦ କରି ଦେଇଥିଲେ । ହେଲେ ହାଇକୋର୍ଟ ଏହି ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ । ଏହା ପରେ ସାରା ଦେଶରେ ଦେଖା ଦେଇଛି ଛାତ୍ର ଅଶାନ୍ତି । ସରକାର ଅପିଲ କରିବା ପରେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି । ଆସନ୍ତା ୭ ତାରିଖରେ ଏହାର ଶୁଣାଣି ହେବ ।

ସେପଟେ ହିଂସାକାଣ୍ଡ ବୃଦ୍ଧି ପାଇବା ପରେ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିବାକୁ ମନା କରିଦେଇଥିଲେ ପ୍ରଧାନମନ୍ତ୍ରୀ ଶେଖ ହସିନା । ଏହାପରେ ହିଂସାକାଣ୍ଡ ଆହୁରି ତେଜିଛି । ଏପରିକି ଗତ ଗୁରୁବାର ବାଂଲାଦେଶର ନ୍ଯାସନାଲ ଟିଭି ଷ୍ଟେସନରେ ନିଆଁ ଲଗାଇ ଦେଇଥିଲେ ଆନ୍ଦୋଳନକାରୀ । ହିଂସାକାଣ୍ଡକୁ ରୋକିବାକୁ ପୋଲିସ ଢାକା ୟୁନିର୍ଭସିଟିରେ ପିଲାଙ୍କ ଉପରକୁ ଗୁଳି ଚଳାଇଥିବା ଜଣାପଡ଼ିଛି । ଅନ୍ଯ ଜାଗାରେ ବି ଫାୟାରି ହୋଇଛି । କେତେକ ସ୍ଥାନରେ ରବର ବୁଲେଟ ଚଳାଇବାକୁ ବାଧ୍ଯ ହୋଇଛି ପୋଲିସ । ଲୁହବୁହା ଗ୍ଯାସ ବି ପ୍ରୟୋଗ କରାଯାଇଛି । ଏତେ ପରେ ବି କିଛି ଲାଭ ହେଉନି । ରାଜଧାନୀ ଢାକା ସମେତ ବିଭିନ୍ନ ସହରରେ ବିକ୍ଷୋଭ ଜୋରଦାର ହେବାରେ ଲାଗିଛି ।