ବଣାଇଁ ଅଞ୍ଚଳରେ ଗର୍ଭବତୀଙ୍କୁ ହତ୍ୟା ମାମଲା : ଗିରଫ ହେଲା ଅଭିଯୁକ୍ତ ସ୍ବାମୀ

ବଣାଇଁ : ସୁନ୍ଦରଗଡ ବଣାଇଁ ଅଞ୍ଚଳରେ ଗର୍ଭବତୀଙ୍କୁ ହତ୍ଯା ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ଘଟଣାକୁ ୪୮ ଘଣ୍ଟା ନୁପୁରୁଣୁ ରହସ୍ୟ ଉପରୁ ପରଦା ହଟାଇଲା ପୋଲିସ । ପରକୀୟା ପ୍ରିତୀ ପାଇଁ ସଇତାନ ସ୍ବାମୀ ହିଁ ଘଟାଇଥିଲା ନାରକୀୟ କାଣ୍ଡ । ପ୍ରମାଣ ନଷ୍ଟ ପାଇଁ ଲୁଟର ନାଟକ ରଚିଥିଲା । ହେଲେ ଘନ ଘନ ଜେରା ପରେ ସତ ମାନିଲା ଅଭିଯୁକ୍ତ ଦେବେନ ବେହେରା । ହତ୍ୟାରେ ସହଯୋଗ କରିଥିଲା  ସମ୍ପର୍କୀୟ ଜ୍ବାଇଁ ପୋଲିସ ଏଏସଆଇ ସତ୍ୟନାରାୟଣ ବେହେରା । ସତ୍ୟନାରାୟଣର ସର୍ଭିସ ରିଭଲଭରରୁ ହିଁ ଗୁଳି ମାରି କରାଯାଇଥିଲା ହତ୍ୟା । ବନ୍ଧୁକ ଯୋଗାଇବା ଅଭିଯୋଗରେ ତାଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ତେବେ କିଭଳି କରିଥିଲା ହତ୍ୟା, କିଭଳି ହତ୍ୟାକାଣ୍ଡକୁ  ଦେଇଥିଲା ସଫଳ ରୂପ । ସେ ସମସ୍ତ ଘଟଣାର ଡେମୋ ଦେଖାଇଛି ଅଭିଯୁକ୍ତ ଦେବେନ ବେହେରା। ର୍ପୂବରୁ ଏହାକୁ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ ମୃତ ସୀମାମୟୀଙ୍କ ବାପା ଘର ଲୋକ । ଜ୍ବାଇଁଙ୍କ ପରକୀୟା ପ୍ରୀତି ପାଇଁ ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ସୀମାଙ୍କ ମାଆ କହିଥିଲେ । ତାଙ୍କ କହିବା କଥା ଗତ ଫେବୃଆରୀରେ ସୀମାମୟୀଙ୍କର ଦେବେନଙ୍କ ସହ ବାହାଘର ହୋଇଥିଲା । ବାହାଘର ପୁର୍ବରୁ ସମସ୍ତ ନିୟମ ଅନୁଯାୟୀ ଉଭୟଙ୍କ ନିର୍ବନ୍ଧ ହୋଇଥିଲା । ନିର୍ବନ୍ଧର କିଛି ଦିନ ପରେ ସୀମାମୟୀଙ୍କ ପରିବାରକୁ ଜଣେ ଯୁବତୀ ଫୋନ କରି ଦେବେନ ସହ ବିବାହ ନ କରିବାକୁ ଧମକ ଦେଇଥିଲେ । ଏ ସମ୍ପର୍କରେ ସେତେବେଳେ ଦେବେନଙ୍କୁ କୁହାଯାଇଥିଲେ ମଧ୍ୟ ସେ ଏହାକୁ ଏଡାଇ ଦେଇଥିଲେ । ସେହି ଯୁବତୀ ହିଁ ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ । ଏବେବି ଦେବେନଙ୍କ ସହ ସେହି ଝିଅର ସମ୍ପର୍କ ଅଛି ବୋଲି କହିଛନ୍ତି ସୀମାମୟୀଙ୍କ ମାଆ । ତେବେ ଗତ ବୁଧବାର ବିଳମ୍ବିତ ରାତିରେ ଘଟିଥିଲା ଏହି ବୀଭତ୍ସ ହତ୍ୟାକାଣ୍ଡ । ହତ୍ୟାପରେ ନାକଟ ପ୍ଲଟ୍ ରଚିଥିଲେ ଦେବନ୍ ।  ଲୁଟ ପାଇଁ ଦୁର୍ବୃତ୍ତ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା କହିଥିଲେ ସ୍ବାମୀ । ନିଜ ଘରେ ଶୋଇଥିବା ବେଳେ କିଛି ଦୁର୍ବୃତ କବାଟ ବାଡେଇଥିଲେ ।  ସୀମାମୟୀ କବାଟ ଖୋଲି ବାହାରକୁ ଆସିବାରୁ ଦୃର୍ବୁତ୍ତ ମାନେ ସୁନା ଅଳଙ୍କାର ଲୁଟିବା ପରେ ଗୁଳିକରି ହତ୍ୟା କରିଥିବା ମୃତ ମହିଳାଙ୍କ ସ୍ଵାମୀ ଓ ଶାଶୂଘର ଲୋକେ କହିଥିଲେ । ସୀମାମୟୀଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ହେଲେ ବୟାନରେ ତାଳମେଳ ନଥିବାରୁ ଦେବେନ ସହ ୪ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଥିଲା ଟିକାୟତପାଲି ପୋଲିସ ।

ନଜର ପକାନ୍ତୁ