ଓଡିଶାରେ ଡ୍ରୋନ ଉଡାଣ ଉପରେ କଟକଣା ; କିଛି ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ ଭାବେ ଘୋଷଣା

ଭୁବନେଶ୍ବର: ଓଡିଶାରେ ଡ୍ରୋନ ଉଡାଣ ଉପରେ କଟକଣା । ସାରା ଦେଶରେ ଯୁଦ୍ଧ ସ୍ଥିତି ଥିବା ବେଳେ ସବୁ ଜାଗାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏଭଳି ସ୍ଥିତିରେ ଓଡିଶାରେ ଡ୍ରୋନ ଉଡାଣ ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର । କିଛି ଅଞ୍ଚଳରେ ଡ୍ରୋନ ନ ଉଡ଼ାଇବା ପାଇଁ ନୋ ଫ୍ଲାଇଂ ଜୋନ ଭାବେ ଘୋଷଣା କରାଯାଇଛି । ତେବେ କେଉଁଠି କାହିଁକି, କେଉଁ ପରିସ୍ଥିତିରେ ଡ୍ରୋନ ଉଡୁଛି, ତା ଉପରେ ନଜର ରଖାଯାଇଛି । ସରକାର ସଚେତନ ମୂଳକ ପଦକ୍ଷେପ ନେଉଛନ୍ତି । ଲୋକେ ବିଚଳିତ ହୁଅନ୍ତୁ ନାହିଁ । ବର୍ତ୍ତମାନ ବଡ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ପରିସ୍ଥିତିକୁ ଦେଖି ଆଗାମୀ ସମୟରେ ଅନ୍ଯ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ହେବ ।

ସେହିଭଳି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ସୁରକ୍ଷା ବଢାଯିବା ସହ ହୀରାକୁଦ ବନ୍ଦ ସୁରକ୍ଷା ଉପରେ ତୀକ୍ଷ୍ନ ନଜର ରଖାଯାଇଛି । ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର ମଧ୍ୟ ସୁରକ୍ଷା ଭିତରେ ଅଛି । ବଲାଙ୍ଗୀର, କୋରାପୁଟ ଆଦି ସ୍ଥାନରେ ଥିବା ଗୋଳାବାରୁଦ କାରଖାନାରେ ମଧ୍ଯ ସୁରକ୍ଷା ବଢ଼ା ଯାଇଛି । ଅତୀତରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଲୋକଙ୍କ ଗତିବିଧି ଉପରେ ଓଡ଼ିଶା ପୋଲିସ ତୀକ୍ଷ୍ନ ନଜର ରଖିଛି ବୋଲି କହିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।