ବଲାଙ୍ଗୀରରେ ସରିଲା ଟଙ୍କା ଗଣା: ବାହାରିଲା ୧୭୦ କୋଟି, ଏବେ ଆଗକୁ କ’ଣ…

1 min read

ବଲାଙ୍ଗୀର: ବଲାଙ୍ଗୀର ସୁଦପଡ଼ା ମଦଭାଟିରେ ଆଇଟି ରେଡ ପରେ ଚାଲିଥିବା ଟଙ୍କା ଗଣା ଶେଷ ହୋଇଛି । ତୃତୀୟ ଦିନରେ ଟଙ୍କାର ପାହାଡ଼କୁ ଗଣି ସଫା ଶେଷ କରିଛନ୍ତି ବ୍ୟାଙ୍କ କର୍ମଚାରୀ । ଗଣତି ପରେ ବ୍ୟାଙ୍କରୁ ବାହାରି ଦୀର୍ଘ ନିଶ୍ବାସ ପକାଇଛନ୍ତି ବ୍ୟାଙ୍କ କର୍ମଚାରୀ । ମୋଟ ୧୭୦ କୋଟି ଟଙ୍କା ଗଣତି ସରିଛି ।

ଗତକାଲି ତୃତୀୟ ଦିନରେ ବ୍ୟାଙ୍କ କର୍ମଚାରୀ ୧୨୪ କୋଟି ଟଙ୍କା ଗଣିଥିଲେ । ୧୦୬ଟି ବ୍ୟାଗରୁ ଏହି ଟଙ୍କା ଗଣା ଯାଇଥିଲା । ଏହା ପୂର୍ବରୁ ଶୁକ୍ରବାର ୪୬ କୋଟି ଟଙ୍କା ଗଣା ହୋଇଥିଲା । ଏତେ ଟଙ୍କା ଗଣିବାକୁ ବ୍ୟାଙ୍କ କର୍ମଚାରୀଙ୍କୁ ୬୦ ଘଣ୍ଟା ସମୟ ଲାଗିଥିଲା । ଏପରିକି ଟଙ୍କା ଗଣିବାକୁ ମଧ୍ୟ ମେସିନ କମ ପଡ଼ିଯାଇଥିଲା । ବିଭିନ୍ନ ବ୍ୟାଙ୍କରୁ ମେସିନ ମଗାଯାଇ ଟଙ୍କା ଗଣାଯାଇଥିଲା ।

ଅନ୍ୟପକ୍ଷେ, ସୁଦପଡା ମଦ ଭାଟିରେ ଥିବା ପୁରୁଣା ଟ୍ରେଜେରୀ ଗ୍ୟାସ୍ କଟର ମାଧ୍ୟମରେ ଆୟକର ବିଭାଗ ପକ୍ଷରୁ କଟାଯାଇଛି । ଟ୍ରେଜେରୀ ଖାଲି ଥିବା ଜଣାପଡ଼ିଛି । ଗ୍ୟାସ୍ କଟର ମାଧ୍ୟମରେ ଟ୍ରେଜେରୀ କାଟିଥିବା ଅବଦୁଲ ଅସଗର ଏହି ସୂଚନା ଦେଇଛନ୍ତି । ଟ୍ରେଜେରୀଟିକୁ ପୂର୍ବରୁ ସ୍ଵର୍ଗତ ବଳଦେବ ସାହୁ ବ୍ୟବହାର କରୁଥିଲେ । ଟ୍ରେଜେରୀ ଚାବି ହଜି ଯାଇଥିବାରୁ ଗ୍ୟାସ୍ କଟରେ ମାଧ୍ୟମରେ ଏହାକୁ କଟାଯାଇଥିଲା ।

ସେପଟେ ଜବତ ଟଙ୍କା ଗଣତି ସମୟରେ ଇନ୍ସପେକ୍ଟର ତିଓ୍ବାରୀ ନାଁରେ ଏକ ୫ ଲକ୍ଷ ଟଙ୍କା ଭର୍ତ୍ତି ପଲିଥିନ୍ ଜବତ କରିଛି ଆୟକର ବିଭାଗ I ବସ୍ତାରେ ଥିବା ଟଙ୍କା ବାହାର କରିବା ବେଳେ ଇନ୍ସପେକ୍ଟର ତିଓ୍ବାରୀ ନାଁ ଲେଖା ଯାଇଛି ।

ଏବେ ଟଙ୍କା ଗଣତି ସରିଥିବା ବେଳେ ଆଗକୁ କ’ଣ ରହିବ କାର୍ଯ୍ୟାନୁଷ୍ଠାନ ତାକୁ ନେଇ ସମସ୍ତଙ୍କ ନଜର ଆଇଟି ବିଭାଗ ଉପରେ ରହିଛି ।

ସମ୍ବଲପୁରରେ ବି ଟଙ୍କା ଗଣା ଶେଷ

ସମ୍ବଲପୁର ଷ୍ଟେଟ ବ୍ୟାଙ୍କରେ ଶେଷ ହୋଇଛି ଟଙ୍କା ଗଣତି । ସହରର ଦୁଇଟି ସ୍ଥାନରେ ମଦଭାଟି ଓ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ରେଡ୍ ହୋଇଥିଲା । ରେଡ୍ ବେଳେ ମୋଟ ୩୭ କୋଟି ୫୦ ଲକ୍ଷ ଜବତ ହୋଇଥିବା ଷ୍ଟେଟବ୍ୟାଙ୍କ ପକ୍ଷରୁ ପ୍ରାଥମିକ ସୂଚନା ମିଳିଛି । ଆୟକର ବିଭାଗ କେବଳ ଗୋଟିଏ ଦିନ ରେଡ କରି ଏତେ ପରିମାଣର ଟଙ୍କାକୁ ଜବତ କରିଥିଲା ।