‘ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟ ଷଡଯନ୍ତ୍ରକାରୀଙ୍କ ଗିରଫ ଦାବି’

ବଲାଙ୍ଗୀର : ପାଟଣାଗଡ଼ରେ ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟ ଷଡଯନ୍ତ୍ରକାରୀଙ୍କ ଗିରଫ ଦାବି କରିଛନ୍ତି ପୂର୍ବତନ ପାଟଣାଗଡ଼ ବିଧାୟକ ସରୋଜ ମେହେର । ଗିରଫ ଅଭିଯୁକ୍ତ ଯୁଗଳ କିଶୋର ସାହୁଙ୍କୁ ପ୍ରତିମୂର୍ତ୍ତି ପୋଡ଼ିବାକୁ ପ୍ରବର୍ତ୍ତାଇ ଥିବା ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରି ଗିରଫ କରିବାକୁ ପୂର୍ବତନ ବିଧାୟକ ସରୋଜ ମେହେର ତାଙ୍କ ସମର୍ଥକ ମାନଙ୍କ ସହ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି । ଗତ ୨୦୨୨ ନଭେମ୍ବର ୧୨ ତାରିଖରେ ଶାସକ ଦଳର ଦୁଇ ଜଣ ବ୍ୟକ୍ତି ପ୍ରତିମୂର୍ତ୍ତି ସ୍ଥାପନ  କରିବା ପୂର୍ବରୁ ଫାଉଣ୍ଡେସନ ଭାଙ୍ଗିଥିଲେ ।  ଏହି ଘଟଣା ପଛରେ ମଧ୍ୟ ମୁଖ୍ୟ ଷଡଯନ୍ତ୍ରକାରୀ ବିଜେପି ଦଳର ବୋଲି ସେ ଅଭିଯୋଗ ଆଣିଛନ୍ତି । ପାଟଣାଗଡ଼ ଥାନାରେ ପାଟଣାଗଡ଼ ଏସଡିପିଓ ସଦାନନ୍ଦ ପୂଜାରୀଙ୍କ ସହ ବିଜେଡି ଟିମ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି । ଘଟଣାର ନିରପେକ୍ଷ ତଦନ୍ତକରି ମୁଖ୍ୟ ଷଡଯନ୍ତ୍ରକାରୀକୁ ଗିରଫ ନକଲେ ଆଗାମୀ ଦିନରେ ବିଜେଡି ପକ୍ଷରୁ ଏହାର ଜୋରଦାର ପ୍ରତିବାଦ ସହ ଥାନା ଘେରାଉ କରାଯିବ ବୋଲି ସୂଚନା ଦେଇଛନ୍ତି । ପୋଲିସ ଜଣଙ୍କୁ ଗିରଫ କରିଛି ଓ ତାକୁ ପାଗଳ ବୋଲି ଦର୍ଶାଉଛି। କିନ୍ତୁ ପ୍ରତିମୂର୍ତ୍ତି ଜାଳିବା ପାଇଁ ସଂପୃକ୍ତ ବ୍ୟକ୍ତିଙ୍କୁ କିଏ ଉସୁକାଇଛି ସେନେଇ କିନ୍ତୁ ଜଣାପଡିନି।