ମୁଁ ବାଜିଆ କହୁଛି: ସର୍ଦ୍ଦାର ଘାଟ ଜଗିବି, ଦରକାର ପଡିଲେ ଜୀବନ ଦେବି…

1 min read

ନନ୍ଦିଘୋଷ ବ୍ୟୁରୋ: ବାଜିଆ  । ଆମ ବାଜି ରାଉତ  । ପିଲାଦିନୁ ବାପାକୁ ଦେଖିନି  । ବିଧବା ମାଆ ଟିର ଥିଲା ଆରିସା ବାଡ଼ି  ।  ପରିବାର ପାଇଁ ସେହିଁ ଥିଲା ସାହା  ।  କିନ୍ତୁ ପିଲାଟି ଦିନୁ ଅନ୍ୟାୟ, ଅତ୍ୟାଚାର, ଜମିଦାରୀ ପ୍ରଥା  ବିରୋଧର ବହ୍ନି ତା ଭିତରେ ଜଳି ଉଠୁଥିଲା  । ବାଜି ରାଉତର ନିର୍ଭୀକତା ,ଦେଶପ୍ରେମ ଆଉ ପୁରୁଷାର୍ଥର ଥିଲା ସମଗ୍ର ସମାଜ ପାଇଁ ଏକ ନୂଆ କାହାଣୀ ।  ଅନ୍ଧାରୀ ମୂଲକର ଅମୁହାଁ ଦେଉଳ ଭିତରେ ଲିଭିଯାଇଥିବା ଏକ ଦୀପ୍ତିବାନ ଦୀପଶିଖାର କାହାଣୀ ସେ। ଯେଉଁ କାହାଣୀ ଅନେକ ଭୀରୁଙ୍କୁ ବୀର ସଜେଇଛି । ଅନେକଙ୍କ ମୁଣ୍ଡରେ ବିପ୍ଳବର ଶିରିପା ବାନ୍ଧିଛି। ଏ ମାଟିର ଶୌର୍ଯ୍ୟର କାହାଣୀ । ଏ କାହାଣୀ ଜୀବନ ଜିଇଁବାର ମନ୍ତ୍ର ଶିଖାଏ, ଶୂନ୍ୟତାରୁ ପୂର୍ଣ୍ଣତା ପଥେ ଏ କାହାଣୀର ଲମ୍ବା ରାସ୍ତା । ଆଜିବି କାହାଣୀର ନାୟକ ସାମ୍ନାରେ ଇତିହାସ ମୁଣ୍ଡ ନୁଆଏଁ, ଗୁମୁରି ଗୁମୁରି କାନ୍ଦେ । ତା ସଲରେ ପ୍ରାଣ ଭରିବାକୁ ଚେଷ୍ଟା କରେ । କେମିତି ନକରିବ ଯେ । କର୍ମ ଆଉ ଧର୍ମର କୁରୁକ୍ଷେତ୍ରରେ ସେ ଅଭିମନ୍ୟୁ ସାଜିଛି । ଗୁଳି ଖାଇଛି, ନିଜର ଜଳାଞ୍ଜଳି ଦେଇଛି । ଆମ ବାଜିଆ ସେ। 12 ବର୍ଷର ବାଜି ରାଉତ । ବାରଶତ କୋଣାର୍କର ଧର୍ମପଦ, ବାରଶତ ନଚିକେତାଙ୍କ ସଂକଳ୍ପର ପ୍ରତୀକ ସେ ।

 

ସାବଧାନ । ଶୁଣ, ଶୁଣ, ଶୁଣ । ମହାରାଜ ଶଙ୍କର ପ୍ରତାପ ମହେନ୍ଦ୍ର ବାହାଦୂର,ଏ ଢେଙ୍କାନାଳ ମୂଳକର ବିଧାତା, ହୁକୁମ କରିଛନ୍ତି । ଆଜିଠାରୁ ଏ ରାଜ୍ୟରେ କେହି ନିଶ ରଖିପାରିବନି । ଜୋତା, ଛତାର ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ । ମଣୀମାଙ୍କ ଆଦେଶକୁ ସମସ୍ତେ ପାଳନ କରିବାକୁ ବାଧ୍ୟ । ଯାହାକୁ ଆଦେଶ ହେବ, ସେ ବେଠି, ବେଗାରି , ଗୋତି ଖଟିବ । ଆଜିଠୁ ରାଜ ଦରବାର “ବାଜେ କରର” ପ୍ରଚଳନ କରିଛି, ବିନା ପ୍ରଶ୍ନ ଓ ଅଭିଯୋଗରେ ସମସ୍ତେ କର ପୈଠ କରିବାକୁ ବାଧ୍ୟ। ଯଦି କେହି ପ୍ରତିବାଦ କରନ୍ତି, ତାହେଲେ ତାକୁ ରାଜଦ୍ରୋହୀ ରୂପେ ଗଣାଯିବ । ମହାରାଜଙ୍କ ନୂଆ ଆଦେଶ ଢେଙ୍କାନାଳବାସୀଙ୍କ ପାଇଁ ଧୀରେ ଧୀରେ ଅସହ୍ୟ ହୋଇପଡୁଥିଲା । ପରାଧୀନ ଭାରତବର୍ଷରେ ଇଂରେଜମାନେ ଅତ୍ୟାଚାରର ନୂଆ କାହାଣୀ ଲେଖୁଥିଲାବେଳେ ଗଡଜାତ ରାଜ୍ୟର ଶାସକମାନେ ମଧ୍ୟ କିଛି କମ ନଥିଲେ । ଆଉ ଢେଙ୍କାନାଳ ରାଜା ଶଙ୍କର ପ୍ରତାପ ତ ସେତେବେଳେ ଅନ୍ୟାୟ ଅତ୍ୟାଚାର କରିବାର ସବୁ ସୀମା ଟପୁଥିଲେ । ପ୍ରଜାମାନଙ୍କର ଧର୍ଯ୍ୟର ବନ୍ଧ ଭାଙ୍ଗୁଥିଲା, ମନେ ତଳେ ଜଳୁଥିଲା ପ୍ରତିବାଦର କୋହ ।ସେ କୋହ ଶଙ୍କର ବହାଦୁରଙ୍କ ଦୁର୍ଗକୁ ଜାଳି ପୋଡ଼ିଦେବା ପାଇଁ ଯଥେଷ୍ଟ ଥିଲା । ହେଲେ ଏଥିପାଇଁ ଏକ ଦୃଢ଼ ନେତୃତ୍ବର ଆବଶ୍ୟକ ଥିଲା । ନେତୃତ୍ୱ ନେଲେ ବୈଷ୍ଣବ ଚରଣ ପଟ୍ଟନାୟକ ।

 

ଢେଙ୍କାନାଳର ବିଭିନ୍ନ ସ୍ଥାନରେ ପ୍ରଜାମେଳି ବସିଲା । ସମସ୍ତେ ଶପଥ କରିଲେ, ଆଉ ଅତ୍ୟାଚାର, ଦମାନଲୀଳା ସହ୍ୟ କରାଯିବ ନାହିଁ । ପ୍ରାଣ ପଛେ ଯାଉ, ଆଉ ସ୍ୱାଭିମାନର ବଳି ପଡ଼ିବ ନାହିଁ । ସର୍ବସମ୍ମତି କ୍ରମେ ରାଜାଙ୍କ ମୁକାବିଲା ଲାଗି ଗଠନ ହେଲା ପ୍ରଜାମଣ୍ଡଳ । ଉଠିଲା ପ୍ରତିବାଦର ସ୍ବର, ତେଜିଲା ଦୁର୍ବାର ଆନ୍ଦୋଳନ । ହେଲେ ସେ ସ୍ୱର ରାଜା ଶଙ୍କର ବାହାଦୂର ଆଉ ଇଂରେଜଙ୍କ ଦମନଲୀଳା ଆଗରେ ଅସହାୟ ମନେ ହେଉଥିଲା । ଠିକ ସେତିକିବେଳେ ଏ ଆନ୍ଦୋଳନରୂପୀ ଯଜ୍ଞରେ ପୂର୍ଣ୍ଣାହୁତି ସାଜିଲା ବାଜିଆ । ବ୍ରାହ୍ମଣୀର ଉଛୁଳା ନଈ ଆଉ ବାଜିଆ । ସତେ ଯେମିତି ନିବିଡ଼ ଆବେଗତାର ଚନ୍ଦ୍ରବନ୍ଧନୀ ଟିଏ । ନଈ ପାଣିରେ ଆହୁଲା ମାରି ଡଙ୍ଗା ବାହିଲା ବେଳେ ବାଜିଆ ମନ ଖୁସିରେ ଗୀତ ଗାଏ । ଉଛୁଳା ସ୍ରୋତ ସଙ୍ଗେ ସତେ ଯେମିତି ତାର ଜନ୍ମ ଜନ୍ମର ସମ୍ପର୍କ । ୧୯୨୮ ମସିହା ଅକ୍ଟୋବର ୫ ତାରିଖରେ ଢେଙ୍କାନାଳ ନିଳକଣ୍ଠପୁରର ଏକ ଗରିବ ଖଣ୍ଡାୟତ ଘରେ ତାର ଜନ୍ମ । ମା ତାର ପର ଘରେ ପାଇଟି କରି, ଧାନ କୁଟି ଗୁଜୁରାଣ ମେଣ୍ଟାଏ । ଏପଟେ ବାଜିଆ ବ୍ରାହ୍ମଣୀ କୂଳରେ ଜୀବନର ଆଦ୍ୟ ପର୍ବକୁ ଭରପୂର ଉପଭୋଗ କରେ  ।

ଦିନେ ଗାଁରେ  ସଭା ଚାଲିଛି । ହଠାତ ସର୍ଦ୍ଦାର କହିଲେ । ଭାଇମାନେ ଜାଣିଛ, ଆଜି ଗୋରା ବାହିନୀ ଭୁବନ ବଜାରରେ ତାଣ୍ଡବ ରଚିଛି । ଆନ୍ଦୋଳନ ଚାଲୁଥିବା ବେଳେ ଆମ ପ୍ରଜାମଣ୍ଡଳର ଭାଇମାନଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଛି । ଏ ବର୍ବରୋଚିତ କାଣ୍ଡର ଆମକୁ ଜବାବ ଦେବାକୁ ପଡ଼ିବ । ରାଜାଙ୍କ ଅତ୍ୟାଚାରରୁ ଢେଙ୍କାନାଳ ଭୂଖଣ୍ଡର ରକ୍ଷା ପାଇଁ, ଆମକୁ ଦରକାର ପଡ଼ିଲେ ପ୍ରାଣବଳି ଦେବାକୁ ପଡିବ । ତୁମେସବୁ ପାରିବ ତ ? କେହି କିଛି କହିବା ଆଗରୁ ବାଜିଆ ଚିତ୍କାର କରି ଉଠିଲା, ମୁଁ ପାରିବି ସର୍ଦ୍ଦାର । ମୋ ଜନ୍ମଭୂମିର ସୁରକ୍ଷା ପାଇଁ ଦରକାର ପଡ଼ିଲେ ମୁଁ ପ୍ରାଣବଳୀ ଦେବୀ । ସଭାସ୍ଥଳ ସ୍ତବ୍ଧ ହୋଇଗଲା । କିଏ ଏ ବାଳକ । ହସିବା ଖେଳିବା ବୟସରେ ଜୀବନ ହାରିବା କଥା କହୁଛି, ପାଗଳ ହେଇଯାଇନି ତ । ସର୍ଦ୍ଦାର ପିଲାଟିର ସ୍ୱାଭିମାନ, ଦେଶପ୍ରୀତି ଏବଂ ନିର୍ଭୀକତାକୁ ବେଶ ପ୍ରଶଂସା କଲେ । ତାକୁ ଘରକୁ ଚାଲିଯିବା ପାଇଁ କହିଲେ । ବାଜିଆ କିନ୍ତୁ ନଛୋଡବନ୍ଧା । ଶେଷରେ ବାଜିଆର ଦୃଢ଼ତା ଆଗରେ ପୁରା ସଭା ହାରିଗଲା । ବାଜିଆ ପାଲଟିଲା ପ୍ରଜାମଣ୍ଡଳର ସକ୍ରିୟ ସଦସ୍ୟ ।

ସର୍ଦାର କହିଲେ, ଗୋରା ବାହିନୀ ଆଜି ରାତିରେ ଘାଟ ପାରିହେବାକୁ ନଈ କୂଳକୁ ଆସିପାରନ୍ତି, ଗୁପ୍ତ ସୂଚନା ମିଳିଛି । ସାବଧାନ, ଯେ କୌଣସି ବି ପରିସ୍ଥିତିରେ ଆମେ ତାଙ୍କୁ ଘାଟପାରି କରେଇଦେବା ନାହିଁ । ତାହେଲେ ଘାଟର ପ୍ରହରୀ ଦାଇତ୍ଵରେ କିଏ ରହିବ କୁହ । ବାଜିଆ ସଂଗେ ସଂଗେ ଉତ୍ତର ଦେଲା, ସର୍ଦାର , ମୁଁ ଘାଟ ଜଗିବି । ଏଠି, ବଜ୍ର ଶପଥ ନଉଛି, ପ୍ରାଣ ଚାଲିଯିବ ପଛେ, କିନ୍ତୁ ବ୍ରାହ୍ମଣୀ ଘାଟରୁ ଡଙ୍ଗା ଚଳିବ ନାହିଁ । ପ୍ରଜାମଣ୍ଡଳର ଦାଇତ୍ୱକୁ ଦୃଢତାର ସହ ପୁରା କରିବି । ଶେଷରେ ଘାଟ ଜଗିବାର ଗୁରୁ ଦାଇତ୍ୱ ମିଳିଲା ବାଜିଆକୁ । ଅନ୍ଧାର ରାତି । ନଈକୂଳରେ ସୁଲୁସୁଳିଆ ପବନ । ବାଜିଆ ଆଖିରେ ଟିକେ ନିଦ ଲାଗିଯାଇଛି । ହଟାତ ଗଳାପଠା ଚିତ୍କାର ଶୁଭିଲା, ଏ ଟୋକା ଜଲଦି ଡଙ୍ଗା ଚଲା । ଆମକୁ ଶୀଘ୍ର ନଈ ପ୍ରଥମ ପାରି କରେଇଦେ । ପ୍ରକୃତିସ୍ଥ ହେଲା ବାଜିଆ । ସାମ୍ନାରେ ଗୋରା ବାହିନୀ । ବାରବର୍ଷର ବାଜିଆ ଭିତରେ ଯେପରି ସଂଚରିତ ହେଲା ବାରସତ ସିଂହର ବଳ । ବାରସତ ସୂର୍ଯ୍ୟର ଶୌର୍ଯ୍ୟ । ପ୍ରଜାମଣ୍ଡଳର ହୁକୁମ , ତମକୁ ନଦୀ ପାରିକରେଇଦେବି ନାହିଁ । ରାଗିଗଲେ ଗୋରବହିନୀ ।

ଧମକ ପରେ ଧମକ ଦେଇ ଚାଲିଲେ । କିନ୍ତୁ ବାଜିଆ ନିଜ ଜିଦରେ ଅଟଳ । ପାହାଡ଼ ସମ ଧୈର୍ଯ୍ୟ ଆଉ ସାହାସ ପ୍ରଦର୍ଶନ ପୂର୍ବକ ସେମିତି ଖୁଣ୍ଟ ପରି ଛିଡା ହୋଇଥାଏ ସେ। ଗୁଳିର ଶବ୍ଦ । ବାଜିଆର ମୁଣ୍ଡରେ ବାଜିଲା ଗୁଳି । କଅଁଳିଆ କପାଳଟା ତାର ଦୁଇଫାଳ ହୋଇଗଲା । ଟଳିପଡ଼ିଲା ବାଜିଆ । ହେଲେ ସାହାସ ହାରିନଥିଲା । ଚିତ୍କାର କରି ଉଠିଲା ସେ, ପ୍ରଜାମଣ୍ଡଳର ଭାଇମାନେ କିଏ କୋଉଠି ଅଛ । ଶୀଘ୍ର ଆସ । ଗୋରବାହିନୀ ନଦୀ ପାର ହେବାକୁ ବସିଛି । ପ୍ରଜାମଣ୍ଡଳର ଅନ୍ୟ ସଦସ୍ୟମାନେ ନଇ କୂଳକୁ ଦୌଡ଼ି ଆସିଲେ । ପୁଲିସ ଯେମିତି ନଦୀ ପାର ନହୁଏ ସେଥିପାଇଁ ସମସ୍ତେ ଡଙ୍ଗାର ଦୌଡିକୁ ଭିଡି ଧରିଲେ । ହେଲେ ପୋଲିସ ଶଙ୍କି ମୁନରେ ଦୌଡ଼ିକୁ କାଟି ନଈ ମଝିକୁ ନେଇଗଲା । ଆଉ ନଇଁ ମଝିରୁ ଆରମ୍ଭ କରିଦେଲା ଆଖିବୁଜା ଗୁଳିବର୍ଷା । ସେଇଠି ଟଳିପଡିଲେ ନିଳକଣ୍ଠପୁର ଗାଁର ରଘୁ, ଗୁର, ନଟ, ହୁରୁଷି, ଫଗୁ ଆଉ ଲକ୍ଷ୍ମଣ । ସବୁ ଶେଷ । ସାନ ବଡ଼ କରି 7 ଜଣ ଦେଶମାତୃକା ପାଇଁ ଜୀବନ ହାରିଦେଲେ । ଗଡ଼ଜାତ ଆନ୍ଦୋଳନର ପ୍ରଥମ ଏବଂ ଦେଶର ସର୍ବକନିଷ୍ଠ ସହିଦ ଭାବେ ବାଜିଆ ଇତିହାସରେ ନାଁ ଲେଖିଦେଲା । ପରଦିନ ଅର୍ଥାତ ୧୯୩୮ ମସିହା ଅକ୍ଟୋବର ୧୨ ତାରିଖ ଦିନ ସମସ୍ତଙ୍କ ଶବକୁ ଏକ ଭେଳା ସାହାଯ୍ୟରେ ବ୍ରାହ୍ମଣୀ ନଦୀ ଦେଇ ଚଉଷଠିପଡା ଘାଟକୁ ଅଣାଯାଇଥିଲା । କାରଣ ଇଂରେଜଙ୍କ ସହ ରାଜାଙ୍କର ସନ୍ଧି ଥିବାରୁ ନିଳକଣ୍ଠପୁର ଗ୍ରାମରେ ଶବ ସଂସ୍କାର ସମ୍ଭବ ନଥିଲା । ଚଉଷଠିପଡା ଘାଟରୁ କଟକର ଖାନନଗର ସ୍ମଶାନ । ରୁଣ୍ଡିଭୁତ ଜନତା, ଶୋକାକୁଳ ପରିବେଶ । ସବୁକିଛି ମିଳେଇଯାଉଥିଲା ମହାଶୂନ୍ୟରେ, ଶୁଭୁଥିଲା ବଜ୍ର ସପଥର ନିନାଦ । କବି ସଚ୍ଚି ରାଉତରାୟ ସେଦିନ ଚିତାଗ୍ନିକୁ ଲକ୍ଷ୍ୟ କରି ଲେଖିଥିଲେ,

ନୁହେଁ ବନ୍ଧୁ, ନୁହେଁ ଏହା ଚିତା

ଏ ଦେଶ ତିମିର ତଳେ,

ଏ ଅଲିଭା ମୁକତି ସଳିତା ।

ନୁହେଁ ଏହା ଜଳିଯିବା ପାଇଁ

ଏହାର ଜନମ ଏଠି ଜାଳିପୋଡ଼ି ଦେବାକୁ ଧସେଇ ।

 ଢେଙ୍କାନାଳର ସାତପାହାଡ଼ ବାଜିଆ ସ୍ମୃତିରେ ଆଜିବି ଗୀତ ଗାଏ । ବ୍ରାହ୍ମଣୀ ଆଜିବି ଗର୍ବରେ ଛାତି ଫୁଲାଏ । ଆଜି ବି ଏ ପୁରୁଷାର୍ଥର କାହାଣୀ ଶୁଣିଲେ ମନ ଅଥୟ ହୁଏ । ଆଖି କୋଣରେ ଲୁହ ଜକେଇ ଆସେ । ଝରିପଡ଼େ ଟୋପା ଟୋପା ଆନନ୍ଦାଶ୍ରୁ । ଉତ୍ତପ୍ତ ପାଣି ଦୁଇ ବୁନ୍ଦାକୁ ହାତ ପାପୁଲିରେ ସାଇତି ରଖିବାକୁ ଇଚ୍ଛା ହୁଏ । କିନ୍ତୁ ସେ ମିଳେଇ ଯାଏ ଆଉ କହେ – “ମିଳେଇ ଯାଇ ମଧ୍ୟ ମୁଁ ହଜି ଯାଇନି, ପୁଣି ବହୁଥାଏ ।“ ମନେପଡେ ପୁଣି ତା’ର ଗୌରବୋଜ୍ଜ୍ଵଳ ମୁହଁ । ସେ ବାଜିଆ ଆଜି ବି ପ୍ରତିଟି ଯୁବକର ଉତ୍ସାହ , ସାହାସ ଓ ଶକ୍ତି  । ତାର ବୀରତ୍ୱ ଯୁବ ସମାଜରେ ଆହ୍ନାନରେ ବୀଜ ବୁଣେ  । ଆଉ କୁହେ, ଶୋଇ ରୁହ ନାହିଁ  । ଉଠ, ଏ ମାଟି ମାଆ ତୁମଜକୁ ଅପେକ୍ଷା କରିଛି…..

 

Opn Commnet Area

Leave a Reply

Your email address will not be published. Required fields are marked *