ଫୁଲୁଛି ବୈତରଣୀ ; ଆଖୁଆପଦା ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ

1 min read

ଭଦ୍ରକ : ଭଦ୍ରକ ଆଖୁଆପଦାରେ ପୁଣି ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଆଜି ସକାଳ‌ ୭ଟା ସୁଦ୍ଧା ବିପଦ ସଂକେତ ଟପି ୧୮.୬୪ ମିଟର ରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଏଠାରେ ବିପଦ ସଂଙ୍କେତ ୧୮.୩୩ ମିଟର ରହିଛି । ଉପରମୁଣ୍ଡରୁ ଖସୁଥିଵାରୁ ଆହୁରି ଜଳସ୍ତର ବଢିବା ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି । ତଳମୁଣ୍ଡରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବା ସହ ଧାମନଗର ଓ ଚାନ୍ଦବାଲି ବ୍ଲକର ବନ୍ୟା ପରିସ୍ଥିତି ଉପୁଜିଛି । ଧାମନଗରର ପଧାନି, କରପଦା, ସୋହଡା, ଆନନ୍ଦପୁର, ଅର୍ଜୁନପୁର, ହସନାଵାଦ, ନଦୀଗାଁ , ବ୍ରାହ୍ମଣୀପାଳ, ବାଲିପାଟଣା ଆଦି ପଞ୍ଚାୟତରେ ୨୫ରୁ ଉର୍ଦ୍ଧ ଗାଁ ଦାଣ୍ଡ ଓ ଘରେ ବନ୍ୟାପାଣି ପସିଛି । ସେହିପରି ଵୈତରଣୀ ନଦୀର ବାମପାର୍ଶ୍ଵ ମଲିମାହାରା ଓ ଗୋୖରାଙ୍ଗ ଏସକେପ କର୍ଲଭଟର ଫାଟ ସୃଷ୍ଟି ହେବା ସହ ଘଳିଆ ପଡ଼ି ବନ୍ୟାପାଣି ଗାଁ ଆଡକୁ ମାଡି

ଅର୍ଜୁନପୁର , ହସନାଵାଦ, ପଧାନି ପଞ୍ଚାୟତ ସମେତ ଅନେକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ପଧାନି ପଞ୍ଚାୟତର ସଇଲୋ ଠାରେ କୋଚିଳା ନଦୀବନ୍ଧ ଧସିଯିଵାରୁ ୫ ଗାଁରେ ଵନ୍ୟାପାଣି ପସିଵା ସହ ଶହଶହ ଲୋକ ବନ୍ୟା ଘେରରେ ଫସି ରହିଛନ୍ତି । ତଳମୁଣ୍ଡରେ ଚାନ୍ଦବାଲି ବ୍ଲକର ଆରଡି ଅଞ୍ଚଳ ସହ ଓଳଗ, ନାନ୍ଦପୁର, ସୁନ୍ଦରପୁରରେ ବନ୍ୟା ସ୍ଥିତି ବଢିବା ସହ ବୋଡକ ନିକଟରେ ବୈତରଣୀ ନଦୀ କୂଳ ଲଘିଂଵାରୁ ଆଖଣ୍ଡଳମଣି-କୁଆଖିଆ ୨୦ନମ୍ଵର ଜାତୀୟ ରାଜପଥର ଦେଢକିମି ଯାଏଁ ୨/୩ଫୁଟ ଉଚ୍ଚରେ ଵନ୍ୟାପାଣି ପ୍ରବାହିତ ହେଉଛି । ପର୍ଯ୍ୟଟନସ୍ଥଳୀ ଆଖଣ୍ଡଳମଣି ଓ ଯାଜପୁରର ବିରଜା କ୍ଷେତ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଦୋହରା ପାଟଣା ଓ ବୋଡକ ତଳିଆ ଅଞ୍ଚଳରେ ଵନ୍ୟାପାଣି ପସିଵାରୁ ଗାଁ ଦାଣ୍ଡରେ ଲହଡ଼ି ମାରୁଛି । ୨ଟି ଵ୍ଲକର ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇଥିବା ବେଳେ ଗୃହପାଳିତ ପଶୁ ଗାଁ ଦାଣ୍ଡ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ।