ବିଜେପିର ଦବଙ୍ଗ ନେତା ବ୍ରିଜଭୂଷଣ, ବିବାଦୀୟ ବୟାନ ଓ ଦବଙ୍ଗଗିରି ପାଇଁ ସବୁବେଳେ ଚର୍ଚ୍ଚାରେ

ନୂଆଦିଲ୍ଲୀ: ବିଜେପିର ଦବଙ୍ଗ ନେତା ବ୍ରିଜଭୂଷଣ ଶରଣ ସିଂ । ବିବାଦୀୟ ବୟାନ, ଦବଙ୍ଗଗିରି ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ବ୍ରିଜଭୂଷଣ । ୟୁପିର ବାହୁବଳି ନେତା ଭାବେ ଜଣାଶୁଣା ବ୍ରିଜଭୂଷଣଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ରାଜଧାନୀ ରାଜରାସ୍ତାରେ ଧାରଣାରେ ବସିଛନ୍ତି କୁସ୍ତିଯୋଦ୍ଧା । ଭାରତୀୟ ଜନତା ପାର୍ଟିର ଦବଙ୍ଗ ନେତା ବ୍ରିଜଭୂଷଣଙ୍କର ପୂର୍ବରୁ ଅନେକ ବିବାଦୀୟ ପ୍ରସଙ୍ଗରେ ସମ୍ପୃକ୍ତି ରହିଛି । ବାବରୀ ମସଜିଦ ଢାଞ୍ଚା ବିଗାଡ଼ିବା ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଥିଲେ ବ୍ରିଜଭୂଷଣ । ବ୍ରିଜଭୂଷଣଙ୍କର ଅଣ୍ଡରଓ୍ବାଲଡ କନେକ୍ସନ ମଧ୍ୟ ସାମ୍ନାକୁ ଆସିଥିଲା ।

ଟାଡା ଆକ୍ଟରେ ସେ ଜେଲ ମଧ୍ୟ ଯାଇଥିଲେ । ସମାଜବାଦୀ ପାର୍ଟିର ବରିଷ୍ଠ ନେତା ବିନୋଦ ସିଂଙ୍କ ମରଣାନ୍ତକ ଆକ୍ରମଣ ମାମଲା ମୁଖ୍ୟ ଅଭିଯୁକ୍ତ ଥିଲେ ବ୍ରିଜଭୂଷଣ । ୨୦୧୪ରେ ବି ଅଯୋଦ୍ଧାରେ ସରକାରୀ କାର୍ଯ୍ୟରେ ଅବହେଳାକୁ ନେଇ ବ୍ରିଜଭୂଷଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ୪ଟି ବଡ଼ ବଡ଼ ମାମଲାରେ ବ୍ରିଜଭୂଷଣଙ୍କ ନାଁ ରହିଥିଲେ ବି କୌଣସି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇନି । ଜଣେ ସରକାରୀ ଅଧିକାରୀଙ୍କୁ ବନ୍ଦୀ ରଖିବା ଅଭିଯୋଗରେ ତାଙ୍କ ନାଁରେ ଏବେ ବି ମାମଲା କୋର୍ଟରେ ରହିଛି । ଏହାସହ ରାଷ୍ଟ୍ରୀୟ କୁସ୍ତିଯୋଦ୍ଧା ଚାମ୍ପିୟନସିପ୍ ସମାରୋହରେ ମଞ୍ଚ ଉପରେ ଜଣେ କୁସ୍ତିଯୋଦ୍ଧାଙ୍କୁ ଚାପୁଡ଼ା ମାରି ଚର୍ଚ୍ଚାରୁ ଆସିଥିଲେ ବ୍ରିଜଭୂଷଣ ।