ପୁଣି ସିକ୍କିମରେ କ୍ଷମତାକୁ ଫେରିଲା ଏସକେଏମ୍

ବ୍ୟୁରୋ ରିପୋର୍ଟ:  ସିକ୍କିମରେ ପୁଣି ଏସକେଏମ୍ ସରକାର ! ପୁଣିଥରେ କ୍ଷମତାକୁ ଫେରିଲା ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା । ମୋଟ ୩୨ଟି ଆସନ ମଧ୍ଯରୁ ଏହି ଦଳ ୧୮ ଆସନରେ ବିଜୟୀ ହୋଇଥିବା ବେଳେ ଆଉ ୧୩ଟି ଆସନରେ ଆଗୁଆ ଅଛି। ଏସକେଏମ୍ ଏଠାରେ ଏକ ତରଫ ବିଜୟୀ ହାସଲ କରିଛି। ପ୍ରେମ ସିଂ ତାମଙ୍ଗ ପୁଣି ଥରେ ମୁଖ୍ଯମନ୍ତ୍ରୀ ହେବା ନେଇ ପକ୍କା ହୋଇଛି ।

ଅନ୍ୟପଟେ ବିରୋଧୀ ସିକିମ ଡେମାକ୍ରାଟିକ ଫ୍ରଣ୍ଟ ମାତ୍ର ଗୋଟିଏ ସିଟରେ ଜିତିଛି। ଏପରିକି ଏହି ଦଳର ପୂର୍ବତନ ମୁଖ୍ଯମନ୍ତ୍ରୀ ପୱନ କୁମାର ଚାମଲିଂ ଗୋଟିଏ ଆସନରେ ହାରିଥିବା ବେଳେ ଆଉ ଏକ ଆସନରେ ପଛୁଆ ଅଛନ୍ତି। ଏକଦା ଦେଶର ସବୁଠୁ ଅଧିକ ଦିନ ମୁଖ୍ଯମନ୍ତ୍ରୀ ରହିବାର ରେକର୍ଡ ପୱନ କୁମାର ଚାମଲିଂଙ୍କ ନାଁରେ ଥିଲା। ସେପଟେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ଏସକେଏମ୍‌ର କର୍ମୀମାନେ ଉତ୍ସବ ଆରମ୍ଭ କରିଦେଇଛନ୍ତି। ସିକ୍କିମ୍‌ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତୋମାଙ୍ଗ ରେନକ ଓ ସୋରେଙ୍ଗ ଉଭୟ ଆସନରେ ଜିତିଛନ୍ତି। ସେ ଲଗାତର ଦ୍ୱିତୀୟ ଥର ପାଇଁ ଏଠାରେ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛନ୍ତି ।