ଡକ୍ଟର ବି.ଆର. ଆମ୍ବେଦକରଙ୍କ ନାମରେ ନାମିତ ହେବ ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଡକ୍ଟର ବାବା  ସାହେବ  ଭୀମରାଓ  ଆମ୍ବେଦକରଙ୍କ  ନାମରେ  ନାମିତ ହେବ ଭୁବନେଶ୍ବର  ବରମୁଣ୍ଡା  ବସଷ୍ଟାଣ୍ଡ । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମ୍ବେଦକରଙ୍କ  ଜୀବନ ଓ  ଆଦର୍ଶକୁ  ନେଇ କରାଯିବ ସ୍ଵତନ୍ତ୍ର ଗ୍ୟାଲେରୀ। ଭାରତୀୟ  ସମ୍ବିଧାନର ଜନକ ତଥା  ସାମାଜିକ  ନ୍ୟାୟର  ମହାନ୍ ପ୍ରବକ୍ତା  ଡକ୍ଟର ଆମ୍ବେଦକର । ଏନେଇ ଭୁବନେଶ୍ଵର ବରମୁଣ୍ଡାର ନବନିର୍ମିତ ବସ ଷ୍ଟାଣ୍ଡ ଆମ୍ବେଦକରଙ୍କ ନାମରେ  ନାମିତ ହେବ। ଆଜି  ମୁଖ୍ୟମନ୍ତ୍ରୀ  ନବୀନ  ପଟ୍ଟନାୟକ  ଏହା  ପ୍ରକାଶ କରିବା ସହ ଡକ୍ଟର ଆମ୍ବେଦକରଙ୍କ ପ୍ରତି ଗଭୀର  ଶ୍ରଦ୍ଧାଞ୍ଜଳି  ଅର୍ପଣ  କରିଛନ୍ତି । ଏବେ  ବରମୁଣ୍ଡା  ବସଷ୍ଟାଣ୍ଡ ବାବା ସାହେବ  ଭୀମ ରାଓ ଆମ୍ବେଦକର ବସ  ଟର୍ମିନାଲ ଭାବରେ  ପରିଚିତ  ହେବ। ଡକ୍ଟର  ଆମ୍ବେଦକର  ଜଣେ  ଦୂରଦର୍ଶୀ ନେତା  ଓ ସମର୍ପିତ  ସମାଜ  ସଂସ୍କାରକ  ଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଦଳିତ ନିଷ୍ପେଶିତଙ୍କ  ପାଇଁ  ସେ  ଥିଲେ  ଆଶାର  ଆଲୋକ । ଏକ ନ୍ୟାୟ ପୂର୍ଣ  ସମାଜ  ଗଠନ ପାଇଁ  ସେ  ସାରା ଜୀବନ  କାମ  କରିଯାଇଛନ୍ତି । ଦେଶ ଗଠନରେ ତାଙ୍କର  ମହାନ୍  ଅବଦାନ  ଓ  ଆଦର୍ଶ ବିଷୟରେ  ଜନସାଧାରଣ ଙ୍କୁ  ସଚେତନ କରିବା  ପାଇଁ  ଡକ୍ଟର ବାବାସାହେବ ଆମ୍ବେଦକର  ବସଷ୍ଟାଣ୍ଡରେ ୯୦୦  ବର୍ଗ ଫୁଟ  ଅଞ୍ଚଳରେ  ଏକ  ସ୍ଵତନ୍ତ୍ର  ଗ୍ୟାଲେରୀ  ନିର୍ମାଣ  କରାଯିବ। ଡିଜିଟାଲ  ଜ୍ଞାନକୌଶଳ  ବ୍ୟବହାର ଜରିଆରେ ଡକ୍ଟର ଆମ୍ବେଦକରଙ୍କ  ଜୀବନୀ ଓ  ଆଦର୍ଶକୁ ଏଠାରେ ସୁନ୍ଦର ଭାବରେ ଉପସ୍ଥାପିତ  କରାଯିବ। ଭାରତୀୟ  ସମ୍ବିଧାନର  ଏକ  ନକଲ  ସହିତ  ବାବା ସାହେବ ଦ୍ଵାରା  ବ୍ୟବହୃତ  ବିଭିନ୍ନ  ଜିନିଷ  ମଧ୍ଯ ଏଠାରେ  ପ୍ରଦର୍ଶିତ ହେବ ।