ଆସୁଛି ଅଯୋଧ୍ୟା ରାୟ, ସାରା ଦେଶରେ ହାଇ ଆଲର୍ଟ

1 min read

ଖୁବ୍ ଶୀଘ୍ର ଆସିପାରେ ଆଉ ଏକ ଐତିହାସିକ ନିଷ୍ପତ୍ତି । ପ୍ରଥମେ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଏମିତି ଆଉ ଏକ ଐତିହାସିକ ପରିବର୍ତ୍ତନ ଆସିବା ନେଇ ଅନୁମାନ କରାଯାଉଛି । ଅଯୋଧ୍ୟା ଜମିବିବାଦ ନେଇ ସୁପ୍ରିମ କୋର୍ଟ କିଛି ଦିନ ଭିତରେ ଫଇସଲା ଶୁଣାଇପାରନ୍ତି । ଏ ନେଇ ଉତ୍ତରପ୍ରଦେଶ ସହ ଅନ୍ୟ କିଛି ପ୍ରଦେଶରେ ଖାସ୍ ବ୍ୟବସ୍ଥା ମଧ୍ୟ କରାଯାଇଛି । ଉତ୍ତର ପ୍ରଦେଶର କିଛି ଜିଲ୍ଲାରେ ୧୪୪ଧାରା ଲାଗୁ ସହ ଅଯୋଧ୍ୟା ଇସ୍ୟୁ ନେଇ ଭାଷଣବାଜି ଏବଂ ଧାରଣା ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଅଯୋଧ୍ୟାର ପାଖ ଜିଲ୍ଲା ଅମ୍ବେଦକରନଗରର ଭିନ୍ନ ଭିନ୍ନ ସ୍କୁଲରେ ୮ଟି ଅସ୍ଥାୟୀ ଜେଲ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେହି ଅଞ୍ଚଳର ସାଂସଦ ଓ ମନ୍ତ୍ରୀଙ୍କୁ ନିଜ ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦେଶର ଭିନ୍ନ ଭିନ୍ନ ସହର ଗୁଡ଼ିକରେ ପ୍ରଶାସନ ମଧ୍ୟ ସଜାଗ ହୋଇଛନ୍ତି ଏବଂ ସହରର ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ଏହା ବ୍ୟତୀତ ପ୍ରଶାସନିକ ଅଧିକାରୀ ଭିନ୍ନ ଭିନ୍ନ ସହରର ସବୁ ଧର୍ମୀୟ ପ୍ରତିନିଧିମାନଙ୍କ ସହ ବୈଠକ କରି ଶାନ୍ତିର ସନ୍ଦେଶ ଦେଉଛନ୍ତି । ଅଯୋଧ୍ୟା ମାମଲାର ଶୁଣାଣି ପରେ ଦେଶରେ ଶାନ୍ତି ବଜାୟ ରଖିବାକୁ ସବୁ ପ୍ରକାର ପ୍ରୟାସ କରାଯାଉଛି  ।

ଦେଶରେ ଶାନ୍ତି ଶୃଙ୍ଖଳା ଯେମିତି ବ୍ୟାହତ ନହେବ ସୋସିଆଲ ମିଡ଼ିଆ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି । ଏନେଇ ଉତ୍ତର ପ୍ରଦେଶରେ ସୋସିଆଲ ମିଡିଆ ଉପରେ ନଜର ରଖିବାକୁ ଏକ ସ୍ୱତନ୍ତ୍ର ଟିମ୍ କରାଯାଇଛି  । ଏହି ଟିମ ଗତ ୧୫-୨୦ ଦିନ ଭିତରେ ୭୨ ଲୋକଙ୍କୁ ଗିରଫ କରିଛି  ।

ଅଯୋଧ୍ୟାର ଜିଲ୍ଲା ଗୁଡ଼ିକରେ ୧୪୪ ଧାରା ଲଗାଯିବା ସହ ସ୍ଥାନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି  । ଉତ୍ତର ପ୍ରଦେଶର ସବୁ ଜିଲ୍ଲାଗୁଡ଼ିକର ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଇଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ ପ୍ରଶାସନର ସବୁ ଅଫିସରଙ୍କ ଛୁଟିକୁ ୩୦ ନଭେମ୍ବର ପ୍ରର୍ଯ୍ୟନ୍ତ ରଦ୍ଦ କରିଦେଇଛନ୍ତି ଏବଂ ସେମାନଙ୍କୁ ମୁଖ୍ୟ କାର୍ଯ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଉତ୍ତର ପ୍ରଦେଶର ସିୟା ସେଣ୍ଟ୍ରାଲ ୱାକଫ ବୋର୍ଡ ନିଜ ଅଧିନରେ ଥିବା ଇମାମବାଡ଼ା, ମସଜିଦ, ଦରଘା, କାର୍ଯାଳୟ, କବରସ୍ଥାନ ଓ ମଜାର ଆଦିରେ ଅଯୋଧ୍ୟା ମାମଲା ନେଇ କୌଣସି ଭାଷଣବାଜି ଓ ଧାରଣା ପ୍ରଦର୍ଶନ ଆଦିରେ ପ୍ରତିବନ୍ଧକ ଲଗାଇଛି  । ଏହାସହ ମୁସଲମାନ ସଙ୍ଗଠନର ପଦାଧିକାରୀ, ମଲବି ଓ ବୁଦ୍ଧିଜୀବୀଙ୍କ ସହ ବୈଠକ କରାଯାଇଛି  ।

ପ୍ରଧାନମନ୍ତ୍ରୀ କ୍ୟାବିନେଟ ବୈଠକରେ ସାଂସଦ ଓ ବିଧାୟକମାନଙ୍କୁ ଅଯୋଧ୍ୟା ମାମଲା ଉପରେ ବିବାଦୀୟ ବୟାନ ନଦେଇ ନିଜ ନିଜ ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ')}

Leave a Reply