ଆଫଗାନିସ୍ତାରେ ପଶି ଅଲ୍‌କାଏଦା ମୁଖ୍ୟକୁ ନିପାତ କଲା ଆମେରିକା

1 min read

ଓ୍ୱାସିଂଟନ: ଖୋଜିଲୁ,ମାରିଲୁ । ଅଲ-ଜଓ୍ୱାହିରିକୁ ଡ୍ରୋନ୍ ଆକ୍ରମଣରେ ଉଡ଼ାଇବା ପରେ ଏହା ଥିଲା ଆମେରିକାର ଆଧିକାରିକ ବୟାନ । ଆଫଗାନିସ୍ତାନ ରାଜଧାନୀ କାବୁଲର ସେଫ୍ ହାଉସରେ ଲୁଚିଥିବା ଜୱାହିରିର ମୃତ୍ୟୁ ସହିତ ସରିଛି ଆତଙ୍କରେ ଲାଦେନ ଯୁଗ । ପେଶାରେ ଡାକ୍ତର ଜୱାହିରି ଖାଲି ଲାଦେନର ସାଥୀ ନଥିଲା ସେ ମଧ୍ୟ ଥିଲା ଅଲକାଏଦାର ମାଷ୍ଟର ପ୍ଲାନର । ୯-୧୧ ଆକ୍ରମଣଠାରୁ ବିଦେଶରେ ଆମେରିକା ଦୂତାବାସ ଉପରେ ହେଉଥିବା ଆକ୍ରମଣ ପଛରେ ଥିଲା ଏହି ଆତଙ୍କୀ ଡାକ୍ତରର ମସ୍ତିଷ୍କ । ଲାଦେନ୍ ଯଦି ଥିଲା ଅଲ-କାଏଦା ଜିହାଦୀ ବ୍ରାଣ୍ଡର ବ୍ରାଣ୍ଡ୍ ଆମ୍ବାସଡାର ତେବେ ଜୱାହିରି ଥିଲା ଏହାର ବ୍ରେନ୍ । ଯିଏ ପୁରା ନେଟୱର୍କର ମେସିନକୁ ଚଲାଉଥିଲା ।
ଆମେରିକାର କାବୁଲ ଆଟାକ ପରେ ଖାଲି ଅଲ-କାଏଦା ନୁହେଁ ତାଲିବାନ ଓ ପାକିସ୍ତାନକୁ ମଧ୍ୟ ଜୋରଦାର ଝଟକା ଲାଗିଛି । କାରଣ ଅଲ-ଜୱାହାରୀ ତାଲିବାନର ନମ୍ବର ଦୁଇ,ହକ୍କାନୀ ନେଟୱର୍କର ମୁଖିଆ ଘରେ ହିଁ ଥିଲା । ଯାହା ପ୍ରମାଣିତ କରୁଛି ଯେ, ତାଲିବାନ ଓ ଅଲ କାଏଦା ମଧ୍ୟରେ ବନ୍ଧୁତା ଏବେବି ରହିଛି । ପାକିସ୍ତାନ ପାଇଁ ଏହା ଏଥିଲାଗି ଝଟକା ଯେ, ଜୱାହିରିର ଆଶ୍ରୟଦାତା ହକ୍କାନୀ ନେଟୱର୍କ ମୁଖିଆ ପାକିସ୍ତାନୀ ଏଜେନ୍ସି ଆଇ ଏସ ଆଇର ପେ’ରୋଲରେ ଅଛି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଅଲ୍ ଜଓ୍ୱହିରି ନିହତ ହେବା ପରେ ରାଷ୍ଟ୍ରକୁ ସମ୍ୱୋଧିନ କରିଛନ୍ତି । ସେ କହିଛନ୍ତି, ଆମେ ଜଓ୍ୱାହିରିକୁ ଖୋଜି ମାରିଛୁ । ଆମେରିକା ଏବଂ ଏଠାକାର ଲୋକଙ୍କ ପାଇଁ ଯିଏ କେହିଁ ବି ବିପଦ ସୃଷ୍ଟି କରିବ ଆମେ ତାକୁ ଛାଡ଼ିବୁ ନାହିଁ । ଆତଙ୍କବାଦୀଙ୍କ ବିରୋଧରେ ଆଫଗାନିସ୍ତାନରେ ଆମେରିକାର ଅପରେସନ୍ ଜାରି ରହିବ । ବାଇଡେନ୍ ଟ୍ୱିଟ୍ କରି ମଧ୍ୟ କହିଛନ୍ତି ଶନିବାର ମୋ ନିର୍ଦ୍ଦେଶ ଅନୁଯାୟୀ ଆମେରିକା ଆଫଗାନିସ୍ତାନର କାବୁଲରେ ଡ୍ରୋନ୍ ଆକ୍ରମଣ ହୋଇଥିଲା । ଯେଉଁଥିରେ ଅଲକାଏଦା ମୁଖ୍ୟ ଅୟମାନ ଅଲ୍ ଜଓ୍ୱହିରି ନିପାତ ହୋଇଛି ।

ଶନିବାର ଦିନ ହୋଇଥିବା ଡ୍ରୋନ୍ ଆକ୍ରମଣର ତିନି ଦିନରେ ଆମେରିକା ଏହି ଘୋଷଣା କରିବାର ଅର୍ଥ ହେଉଛି ସେମାନେ କୌଣସି ସୂଯୋଗ ନେବାକୁ ଚାହୁଁନଥିଲେ । ସୁନିଶ୍ଚିତ ହେବାକୁ ଚାହୁଁଥିଲେ ଯେ, ମରିଥିବା ବ୍ୟକ୍ତି ଜଓ୍ୱାହିରି । ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା ସହିତ ତାଲିବାନ ମୁହଁ ଖୋଲି ଦୋହା ଚୁକ୍ତି କଥା ଉଠାଇଛି । କାବୁଲ ଉପରେ ଆକ୍ରମଣ ଦ୍ୱାରା ଆମେରିକା ଦୋହା ଚୁକ୍ତିର ଉଲ୍ଲଂଘନ କରିଛି ବୋଲି ତାଲିବାନ କହିଛି । ଆଗକୁ ଏହାକୁ ନେଇ ତାଲିବାନ ଓ ଆମେରିକା ମଧ୍ୟରେ ବାକଯୁଦ୍ଧ ହୋଇପାରେ । ଅଲ-କାଏଦା ପ୍ରତିଶୋଧର ଘୋଷଣା ମଧ୍ୟ କରିପାରେ ।

୧୧ ସେପ୍ଟେମ୍ୱର ୨୦୦୧ରେ ୧୯ଜଣ ଆତଙ୍କବାଦୀ ୪ କମର୍ସିଆଲ ପ୍ଳେନ୍ ହାଇଜାକ୍ କରି ଆମେରିକାର ଓ୍ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଉପରେ ଆକ୍ରମଣ କରିଥିଲେ । ଆମେରିକାରେ ଏହାକୁ ୯/୧୧ ଆଟାକ୍ ଭାବେ ପାଳନ କରାଯାଏ । ଏହି ଆକ୍ରମଣରେ ୯୩ ଦେଶର ୨ହଜାର ୯୭୭ ନାଗରିକଙ୍କ ପ୍ରାଣହାନୀ ଘଟିଥିଲା । ଏହି ଆକ୍ରମଣରେ ଓସାମା ବିନ୍ ଲାଦେନ୍ ଅଲ୍ ଜଓ୍ୱାହିରି ସମେତ ଅଲକାଏଦାର ସମସ୍ତ ଆତଙ୍କବାଦୀଙ୍କୁ ଆମେରିକୀୟ ତଦନ୍ତକାରୀ ସଂସ୍ଥା ଦାୟୀ କରିଥିଲା ।

ପୂର୍ବରୁ ଜଓ୍ୱହିରିକୁ ମାରିବାକୁ ୨ଥର ଚେଷ୍ଟା କରି ବିଫଳ ହୋଇଥିଲା ଆମେରିକା । ୨୦୦୧ରେ ଜଓ୍ୱହିରି ଆଫଗାନିସ୍ତାନର ତୋରାବୋରେ ଲୁଚିଥିବା ନେଇ ଖବର ଆସିଥିଲା । ମାତ୍ର ଆକ୍ରମଣ ହେବା ପୂର୍ବରୁ ସେଠାରୁ ପଳାୟନ କରିବାରେ ସଫଳ ହୋଇଥିଲା । ତେବେ ଏହି ଆକ୍ରମଣରେ ତା’ ସ୍ତ୍ରୀ ଏବଂ ପିଲାମାନଙ୍କ ମୃତ୍ୟୁ ଘଟିଥିଲା । ୨୦୦୬ରେ ଜଓ୍ୱହିରିକୁ ମାରିବା ପାଇଁ ଆମେରିକାର ଗୁଇନ୍ଦା ଏଜେନ୍ସି ପୁଣି ଥରେ ଜାଲ ବିଛାଇଥିଲା । ସେହି ସମୟରେ ପାକିସ୍ତାନର ଦାମଦୋଲରେ ଲୁଚିଥିବା ନେଇ ସୂଚନା ମିଳିଥିଲା । କିନ୍ତୁ ମିସାଇଲ ଆକ୍ରମଣ ପୂର୍ବରୁ ପଳାୟନ କରିବାରେ ସଫଳ ହୋଇଥିଲା । ଜଓ୍ୱହିରି ଏପ୍ରିଲ ୯ ତାରିଖରେ ନିଜର ଶେଷ ଭିଡିଓ ଜାରି କରିଥିଲା । ଭିଡଓରେ ସେ ଫ୍ରାନ୍ସ, ମିଶର ଏବଂ ହଲାଣ୍ଡକୁ ଇସ୍ଲାମ ବିରୋଧୀ ଦେଶ କହିଥିଲା । ଏହା ସହିତ ଭିଡିଓରେ ଭାରତରେ ହିଜାବ ବିବାଦ ନେଇ ମଧ୍ୟ ବିତଣ୍ଡା ଯୁକ୍ତି ବାଢ଼ିଥିଲା ।

ଏଥିସହିତ ପଢ଼ନ୍ତୁ: ଶିବସେନା ନେତା ସଞ୍ଜୟ ରାଉତଙ୍କୁ ୪ଦିନିଆ ରିମାଣ୍ଡରେ ନେଲା ED