ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ, ଗୁପ୍ତଧନ ପାଇଁ ବାପାଙ୍କୁ ବଳି ଉଦ୍ୟମ

କଳାହାଣ୍ଡି: ସମ୍ପତ୍ତି ଆଗରେ  ତୁଚ୍ଛ ହେଲା ସମ୍ପର୍କ । ଗୁପ୍ତଧନ ପାଇବା ଲୋଭରେ ବାପାକୁ ବଳି ଉଦ୍ୟମ । ଏହି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କଲମପୁର ଫାଣ୍ଡି ଅଞ୍ଚଳରେ । ଗୁପ୍ତଧନ ପାଇବା ପାଇଁ ବାପାକୁ ବଳି ଦେବାକୁ ଉଦ୍ୟମ କରୁଥିବା ପୁଅ ଓ ତନ୍ତ୍ର ସାଧକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗତକାଲି ସନ୍ଧ୍ୟାରେ ବେଳପଡ଼ା ଗ୍ରାମର ବଳଦେବ ଭୋଇଙ୍କୁ ତାଙ୍କ ପୁଅ ଲିଙ୍ଗରାଜ ବଳିଦେବାକୁ ଉଦ୍ୟମ କରୁଥିଲେ । ଏକ ନୂଆ ଘରେ ବଳଦେବଙ୍କୁ ନୂତନ ବସ୍ତ୍ର ପିନ୍ଧାଇବା ସହ ଫୁଲମାଳ ପକାଇଥିଲେ । ଅସ୍ତ୍ରଶସ୍ତ୍ର ସୁସଜ୍ଜିତ ଭାବେ ରଖାଯାଇଥିବା ବେଳେ ଗ୍ରାମବାସୀ ଏ ସମ୍ପର୍କରେ ଖବରପାଇ ସେଠାରେ ପହଞ୍ଚିଥିଲେ ।

ବଳଦେବଙ୍କୁ ଉଦ୍ଧାର କରିବା ସମୟରେ ଗ୍ରାମରାକ୍ଷୀ ଗଙ୍ଗାରାମ ବାଗ ଆହତ ହୋଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବଳଦେବଙ୍କୁ ଉଦ୍ଧାର କରିବା ସହ ତନ୍ତ୍ର ସାଧକ ଓ ଅଭିଯୁକ୍ତ ପୁଅ ଲିଙ୍ଗରାଜଙ୍କୁ ଗିରଫ କରିଥିଲା । ପୋଲିସ ବଳଦେବଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି । ତେବେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । କିଛିବର୍ଷ ପୂର୍ବେ ଲିଙ୍ଗରାଜଙ୍କ ମାନସିକ ବିକାରଗ୍ରସ୍ତ ହୋଇଥିଲେ । ମାତ୍ର ଏବେ ସେ ସୁସ୍ଥ ଥିବା ଗ୍ରାମବାସୀ କହିଛନ୍ତି ।