ରାଜ୍ୟରେ କରୋନା କାଳରେ ବଢ଼ିଚାଲିଛି ଅଣସଂକ୍ରାମକ ରୋଗ: ଜାତୀୟ ହାରଠୁ ବି ଅଧିକ ରହିଛି ରାଜ୍ୟ

ଭୁବନେଶ୍ୱର: ରାଜ୍ୟରେ କିପରି ସ୍ୱାସ୍ଥ୍ୟ ବିଗୁଡିଛି, କରୋନା ସମୟରେ କିପରି ଅଣସଂକ୍ରାମକ ରୋଗ ବଢ଼ିଚାଲିଛି । ଏ ନେଇ ଚିନ୍ତାଜନକ ଚିତ୍ର ଦେଇଛି ଆସୋଚାମ । ଓଡ଼ିଶାରେ ଅଣସଂକ୍ରାମକ ରୋଗ ହାର ଜାତୀୟ ହାର ଠାରୁ ଢେର ଅଧିକ ରହିଛି ।

ଖାଦ୍ୟ ବଦଳରେ ଖାଉଛେ ବିଷ । ମୃତ୍ୟୁକୁ ଡାକୁଛି ଆଧୁନିକ ଜୀବନଚର୍ଯ୍ୟା । ଫାଷ୍ଟଫୁଡ଼ ଆଗରେ ଫଳ, କ୍ଷୀର ତୁଚ୍ଛ । ସଂକ୍ରମଣଠୁ ଅଧିକ ଭୟଙ୍କର ଅଣସଂକ୍ରାମକ ରୋଗ । କରୋନା ମହାମାରୀ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ ଦାରିଦ୍ର୍ୟ, ଖରାପ ଖାଦ୍ୟାଭ୍ୟାସ, ବାୟୁ ପ୍ରଦୂଷଣ, ଚିକିତ୍ସା ଅବହେଳାରୁ ଅଣସଂକ୍ରମକ ରୋଗ ବ୍ୟାପିବାରେ ଲାଗିଛି । ଆସୋଚାମ ସୂଚନା ଅନୁଯାଇ ଓଡିଶାରେ ଅଣସଂକ୍ରାମକ ରୋଗର ବ୍ୟାପିବା ହାର ୨୭.୧୯ ପ୍ରତିଶତ ଥିବାବେଳେ ଜାତୀୟ ହାର ରହିଛି ୧୧.୬୩ ପ୍ରତିଶତ । ପେଟ ରୋଗ କ୍ଷେତ୍ରରେ ଜାତୀୟ ହାର ୩.୧୯% ଥିବାବେଳେ ରାଜ୍ୟରେ ଏହି ହାର ୧୫.୯୧% ରହିଛି । ଅଧିକ ଆମିଷ ଖାଦ୍ୟ, ଲାଲ ମାଂସ ଖାଇବା, ଜଙ୍କ ଫୁଡ ଏବଂ କମ୍ ପରିମାଣ ଫଳ ଖାଇବା ଦ୍ୱାରା ପେଟ ରୋଗ ଓ ମଧୁମେହ ଭଳି ରୋଗ କାୟା ବିସ୍ତାର କରିବାରେ ଲାଗିଛି ।

ରାଜ୍ୟରେ ଜଙ୍କ ଫୁଡ଼ ଚାହିଦା ଅଧିକ ବଢି ଥିବାରୁ ରୋଗର ହାର ମଧ୍ୟ ବଢୁଛି । ସେହିଭଳି ପ୍ରଦୂଷିତ ବାୟୁ କାରଣରୁ ମସ୍ତିଷ୍କ ବିକୃତି ଭଳି ରୋଗ ଦେଖାଯାଉଛି । ଉଚ୍ଚ ରକ୍ତଚାପ, ମଧୁମେହ, ଶ୍ୱାସ ରୋଗ, ମସ୍ତିଷ୍କ ଜନିତ ରୋଗ ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ରେ ଅଧିକ ଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ବିଶେଷଜ୍ଞ । ଖାଦ୍ୟାଭ୍ୟାସ, ଜୀବନଶୈଳୀରେ ପରିବର୍ତ୍ତନ ସହ ବ୍ୟାୟାମ ଓ ଯୋଗ କଲେ ଏଭଳି ବ୍ୟାଧିକୁ ଚେକ ଦିଆଯାଇପାରିବ ।

Leave a Reply