ଆଜିଠୁ ବିଧାନସଭାର ବଜେଟ ଅଧିବେଶନ; ଗ୍ୟାଲେରୀରେ ବସିବାକୁ ସାଧାରଣ ଲୋକଙ୍କୁ ଅନୁମତି

ଭୁବନେଶ୍ବର : ଆଜିଠୁ ବିଧାନସଭାର ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହେବ । ୨୪ରେ ଆସିବ ବଜେଟ । ଗତକାଲି ସରିଛି ସର୍ବଦଳୀୟ ବୈଠକ । ଗୃହକୁ ସୁଚାରୁ ରୂପେ ଚଳାଇବାକୁ ସବୁ ଦଳର ନେତାଙ୍କ ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି । ସର୍ବଦଳୀୟ ବୈଠକରେ ୧୫ଟି ପ୍ରସଙ୍ଗରେ ଆଲୋଚନା ହୋଇଛି । କୌଣସି ବିଧାୟକ ଚାହିଁଲେ ଭିଡିଓ କନଫରେନସିଂରେ ବିଧାନସଭା ସହ ଯୋଡ଼ି ହୋଇପାରିବେ ।

ଦର୍ଶକ ଗ୍ୟାଲେରୀରେ ବସିବାକୁ ସାଧାରଣ ଲୋକଙ୍କୁ ଅନୁମତି ମିଳିବ । ଦୁଇ ପର୍ଯ୍ୟାୟରେ ବଜେଟ ଅଧିବେଶନ ଚାଲିବା ନେଇ ସୂଚନା ଦିଆଯାଇଛି । ବିଧାନସଭାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆଜିଠୁ ମାର୍ଚ୍ଚ ୧ ତାରିଖ ଓ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଆଜି ସକାଳ ୧୦ଟା୩୦ ରେ ବିଧାନସଭା ୫୪ ନମ୍ବର କକ୍ଷରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସିବ । ବିଧାନସଭା ଅଧିବେଶନରେ କଣ ରହିବ ରଣନୀତି । ସେ ନେଇ ସମସ୍ତ ଦଳିୟ ବିଧାୟକଙ୍କୁ ନବୀନ ଗୁରୁମନ୍ତ୍ର ଦେବେ । ବିରୋଧୀ ଦଳ ନେତା ମହିଳା ଥାନାଧିକାରୀଙ୍କୁ ମାଡ଼ ମାରିବା, କେନ୍ଦ୍ର ଅବହେଳା, କେନ୍ଦ୍ର ବଜେଟରେ ଚାଷୀଙ୍କ ଅନୁଦାନ ୭ ପ୍ରତିଶତ ହ୍ରାସ ପରି ପ୍ରସଙ୍ଗରେ ବିରୋଧୀଙ୍କୁ ଘେରିବ ବିଜେଡି । ସେହିଭଳି କଂଗ୍ରେସ ମଧ୍ୟ ନିଜ ରଣନୀତି ପ୍ରସ୍ତୁତ କରିଛି । ଗତକାଲି ବିଜେପି ବିଧାୟକ ଦଳ ବୈଠକ ବସିଥିଲା ।