ଆସାମରେ ପ୍ରଳୟଙ୍କାରୀ ବନ୍ୟା , ମୃତ୍ୟୁସଂଖ୍ୟା ୧୨୧ ପାର୍‌

ଦିସପୁର: ଆସାମରେ ପ୍ରଳୟଙ୍କାରୀ ବନ୍ୟା । ବନ୍ୟା, ଭୂସ୍ଖଳନ ଯୋଗୁ ସ୍ଥିତି ସଙ୍ଗୀନ ହୋଇଛି । ଚାରିଆଡ଼େ ପାଣି ଆଉ ପାଣି । ବନ୍ୟାପାଣି ଘେରରେ ରହିଛନ୍ତି ୩୩ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ । ଚଳିତବର୍ଷ ବନ୍ୟା ଓ ଭୂସ୍ଖଳନରେ ମୃତକଙ୍କ  ସଂଖ୍ୟା ୧୨୧ ଛୁଇଁଛି । ଗତକାଲି ଅପେକ୍ଷା ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ବି ଦୁର୍ଦ୍ଦଶା ଭୋଗୁଛନ୍ତି ଲକ୍ଷ ଲକ୍ଷ ଲୋକ । ବନ୍ୟା ଯୋଗୁ ୨୮ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଛି । ସବୁଠାରୁ ଅଧିକ ଧ୍ୱସ୍ତବିଧ୍ୱସ୍ତ ହୋଇଛି ସିଲଚର । ସହରର ପ୍ରାୟ ୮୦ ଭାଗ ଅଞ୍ଚଳ ଜଳମଗ୍ନ ହୋଇଛି । ରାଜ୍ୟରେ ବ୍ୟାପକ ପାନୀୟ ଜଳ, ଖାଦ୍ୟ ଓ ମେଡିସିନର ଅଭାବ ଦେଖାଦେଇଛି । ହେଲିକପ୍ଟର ଯୋଗେ ବିଚ୍ଛିନ୍ନାଞ୍ଚଳକୁ ରିଲିଫ ଯୋଗାଣ ଜାରି ରହିଛି । ବନ୍ୟା ପୀଡ଼ିତଙ୍କୁ ଉଦ୍ଧାର ଓ ରିଲିଫ ଯୋଗାଣ ପାଇଁ  ଏନଡିଆରଏଫ, ଏସଫିଆରଫ ମୁତୟନ କରାଯାଇଛି । କେତେକ ସ୍ଥାନରେ ଭାରତୀୟ ବାୟୁସେନା ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି ।