ବନ୍ୟା ପାଣି ଘେରରେ ସମଗ୍ର ଉତ୍ତର ପୂର୍ବାଞ୍ଚଳ, ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ : ପାଣି ଘେରରେ ଆସାମର ୨୧ ଜିଲ୍ଲା । ସମଗ୍ର ଉତ୍ତର ପୂର୍ବାଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ବନ୍ୟା ପରିସ୍ଥିତି ଯୋଗୁଁ ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି । ଆସାମ, ସିକ୍କିମ, ମଣିପୁର, ଅରୁଣାଚଳ ପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ତାଣ୍ଡବ ରଚିଛି ବନ୍ୟା । ଆସାମର ୨୧ ଜିଲ୍ଲାରେ ବନ୍ୟା ପରିସ୍ଥିତି ଯୋଗୁଁ ମୋଟ ୬ ଲକ୍ଷ ୭୯ ହଜାର ଲୋକ ପାଣି ଘେରରେ ରହିଛନ୍ତି । ୧୫ ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡ଼ି ରହିଛି । ବନ୍ୟାଘେରରୁ ଲୋକଙ୍କୁ ରେସକ୍ୟୁ କରି ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି ।
ଅନ୍ୟପଟେ ବ୍ରହ୍ମପୁତ୍ର, ନିଆମାଟିଘାଟ, ତେଜପୁର ଏବଂ ଧ୍ରୁବିରେ ଜଳସ୍ତର ବିପଦ ସଂକେଦ ଟପିଛି । ମେଘାଳୟ, ତ୍ରିପୁରା, ମଣିପୁରର ସମସ୍ତ ଜିଲ୍ଲା ଓ ଅରୁଣାଞ୍ଚଳ ପ୍ରଦେଶ ଏବଂ ମିଜୋରାମର ଅନେକ ଅଞ୍ଚଳରେ ସ୍ଥିତି ଗମ୍ଭୀର ରହିଛି । ମଣିପୁରରେ ଏବେବି ସ୍ଥିତି ସଙ୍ଗୀନ ରହିଛି । ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ଲକ୍ଷ ଲକ୍ଷ ବିପନ୍ନ । ବନ୍ୟା ପ୍ରଭାବିତ ଅଞ୍ଚଳରେ ଜରୁରୀ କାଳୀନ ସାମଗ୍ରୀ ଯୋଗାଇ ଦିଆଯାଉଛି ।
ଗତ ମେ’ ୨୯ରୁ ଜାରି ରହିଥିବା ଜଳ ପ୍ରଳୟରେ ହଜାର ହଜାର ରାସ୍ତା ଧୋଇଯିବା ସହ ଲକ୍ଷାଧିକ ଘର ମାଟିରେ ମିଶିଛି। ଆସାମରେ ୧୯ ଜଣ, ଅରୁଣାଚଳ ପ୍ରଦେଶରେ ୧୨ ଜଣ, ମେଘାଳୟରେ ୬ ଜଣ, ମିଜୋରାମରେ ୫ ଜଣ, ତ୍ରିପୁରାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଏନଡିଆରଏଫ, ଏସଡିଆରଏଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ସମସ୍ତ ରାଜ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କେବଳ ଆସାମରେ ସାଢେ ୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।