ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାକୁ ନେଇ ରାଜ୍ୟରେ ଝଡ଼

1 min read

ନନ୍ଦିଘୋଷ ବ୍ୟୁରୋ: ଏଏସଓଙ୍କୁ ରାଜ୍ଯପାଳ ପୁଅଙ୍କ ମାଡ଼, ହଲଚଲ ଓଡ଼ିଶା। ନ୍ଯାୟ ମାଗିଲା ଏଏସଓଙ୍କ ପରିବାର । ଜୋରଧରିଲା ରାଜ୍ୟପାଳ ପୁଅଙ୍କ ଗରିଫଦାରୀ ଦାବି। ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନହେବା ନେଇ ବର୍ଷିଲା ବିଜେଡି । ରାଜଭନରେ କାର୍ଯ୍ୟରତ ଏଏସଓ ବୈକୁଣ୍ଠ ନାଥ ପ୍ରଧାନଙ୍କୁ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଓ ସହଯୋଗୀ ପୁରୀ ରାଜଭବନରେ ମାଡ଼ ମାରିବା ଓ ହତ୍ଯା ଧମକ ଦେବା ଅଭିଯୋଗ ରାଜ୍ୟରେ ଝଡ଼ ସୃଷ୍ଟି କରିଛି । ଓଡ଼ିଆ ଅଧିକାରୀ ନ୍ୟାୟ ପାଇଁ ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କ ପାଖରେ ୪ଦିନ ହେଲା ଲିଖିତ ଅଭିଯୋଗ କଲେଣି । ହେଲେ ଚୁପ ବସିଛନ୍ତି ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଓ ରାଜ୍ୟ ସରକାର । ଯାହାକୁ ନେଇ ଅଭିଯୋଗକାରୀ ଏଏସଓ ବୈକୁଣ୍ଠ ନାଥ ପ୍ରଧାନଙ୍କ ସ୍ତ୍ରୀ ନ୍ୟାୟ ପାଇଁ ଲଢେଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟପାଳଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ଦେବାକୁ ଦାବି କରିଛନ୍ତି ଏଏସଓଙ୍କ ସ୍ତ୍ରୀ । କାନ୍ଦିକାନ୍ଦି ନ୍ୟାୟ ମାଗିବା ସହ ବ୍ଯବସ୍ଥାକୁ ପ୍ରଶ୍ନ ପଚାରିଛନ୍ତି-କ’ଣ ରାଜ୍ୟପାଳଙ୍କ ପୁଅ ବୋଲି ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବେ, ଧମକ ଦେବେ ? ଅଭିଯୋଗ ପରେ ବି ପୋଲିସ ଚୁପହୋଇ ବସିବ? ତୁରନ୍ତ ନ୍ୟାୟ ନଦେଲେ ଆଗକୁ ରାଜ୍ୟପାଳଙ୍କ ପୁଅ ବିରୋଧରେ କୋର୍ଟକୁ ଯିବେ ବୋଲି ଚେତାବନୀ ଦେଇଛନ୍ତି । ଏଏସଓ ବୈକୁଣ୍ଠ ସରକାରୀ କର୍ମଚାରୀ ହୋଇଥିବାରୁ ଗଣମାଧ୍ୟମ ଆଗରେ ମୁହଁ ଖୋଲିବାକୁ ନାରାଜ ଥିଲେ ବି ସିଧାସିଧା କହିଛନ୍ତି ଥାନାରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନ୍ୟାୟ ଭିକ୍ଷା କରିବୁ ।

ବିଜେଡି ଘଟଣାକୁ ଦୃଢ ନିନ୍ଦା କରିବା ସହ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ରାଜ୍ଯପାଳଙ୍କ ପୁଅଙ୍କର ଏଭଳି ଆଚରଣକୁ ନିନ୍ଦା କରିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ମୁଖ୍ୟମନ୍ତ୍ରୀ ନିଜେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ମନ୍ତ୍ରୀ। ତାଙ୍କ ଅଧିନସ୍ଥ କର୍ମଚାରୀ ହେଉଛନ୍ତି ଏଏସଓ । ରାଜ୍ଯପାଳଙ୍କ ପୁଅଙ୍କ ବିରୋଧରେ ଏତଲା ହୋଇଛି, ମାନବାଧିକାର କମିଶନରେ ବି ଅଭିଯୋଗ ହୋଇଛି । କିନ୍ତୁ ଆଜିଯାଏ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ନେଇନି । ପଣ୍ଡିତ ପୁଅ ମାଙ୍କଡ ମାରିଲେ କଣ ଦୋଷ ନାହିଁ କି ବୋଲି ପ୍ରଶ୍ନ କରିଛି ବିଜେଡି। ଓଡିଆ ଅସ୍ମିତା କଥା କହି ବିଜେପି ରାଜ୍ଯରେ ସରକାର ଗଢିବାରେ ସଫଳ ହୋଇଛି । ଏବେ ରାଜ୍ଯପାଳଙ୍କ ପୁଅ ଓଡିଆ ଅଧିକାରୀଙ୍କୁ ମାଡ ମାରିବା କଣ ଓଡିଆ ଅସ୍ମିତା ଉପରେ ଆକ୍ରମଣ ନୁହେଁ କି ବୋଲି ପ୍ରଶ୍ନ କରିଛି ବିଜେଡି । ରାଜ୍ୟପାଳଙ୍କ ପୁଅଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି କଂଗ୍ରେସ। ଯଦି କାର୍ଯ୍ୟାନୁଷ୍ଠାନ ନହୁଏ ତେବେ ବିଧାନସଭାରେ ରାଜ୍ୟପାଳଙ୍କୁ ବିରୋଧ କରାଯିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ତାରା ପ୍ରସାଦ ବାହୀନପତି କହିଛନ୍ତି।

ସଂପୃକ୍ତ ଏଏସଓ ଏବେ ସଂସଦୀୟ ବ୍ୟାପାର ବିଭାଗରେ ନିଯୁକ୍ତି ପାଇଛନ୍ତି ଓ ଡେପୁଟେସନରେ ରାଜଭବନର ହାଉସହୋଲଡ ସେକ୍ସନରେ ଏଏସଓ ଭାବେ କାର୍ଯ୍ୟରତ ଅଛନ୍ତି । ତେବେ କଣ ଘଟିଥିଲା ଜୁଲାଇ ୭ ତାରିଖ ରାତିରେ ?

ଅଭିଯୋଗ ଅନୁସାରେ- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୁଲାଇ ୭ ଓ ୮ ତାରିଖ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ତାଙ୍କ ରାଜଭବନ ରହଣୀର ପ୍ରସ୍ତୁତି ତଦାରଖ ପାଇଁ ବୈକୁଣ୍ଠ ୫ ତାରିଖରୁ ପୁରୀରେ ରହିଥିଲେ। ୭ ତାରିଖରେ ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପାଦନ ହୋଇଥିଲା । ସେହିଦିନ ରାତି ପ୍ରାୟ ୧୧ଟା ୪୫ମିନିଟରେ ପୁରୀ ରାଜଭବନରେ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓ ତାଙ୍କର ଅନ୍ୟ ୫ ସହଯୋଗୀ ମିଳିତ ଭାବେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ରାଜ୍ଯପାଳଙ୍କ ବ୍ଯକ୍ତିଗତ ରୋଷେୟା ଜରିଆରେ ଡକାଇ ଦେଖୁଦେଖୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ ରାଜ୍ଯପାଳଙ୍କ ପୁଅ । ଏଭଳି ଆଚରଣକୁ ପ୍ରତିବାଦ କରିବାରୁ ଲଳିତ ଏଏସଓଙ୍କୁ ମାଡମାରିବା ସହ ହତ୍ୟା ଧମକ ଦେଇଥିଲେ। ଘଟଣାରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଗତ ଜୁଲାଇ ୮ତାରିଖରେ ବୈକୁଣ୍ଠ ନାଥ ମୌଖିକ ଅବଗତ କରି ନ୍ୟାୟ ପାଇଁ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଜୁଲାଇ ୧୨ତାରିଖରେ ସମୁଦ୍ରକୂଳ ଥାନାରେ ଲିଖିତ ବି ଅଭିଯୋଗ ହୋଇଛି । ନ୍ୟାୟ ପାଇବା ପାଇଁ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଆଇନଗତ ପରାମର୍ଶ ଲୋଡିଥିବା ନେଇ ସୂଚନା ଦେଇଛନ୍ତି ବୈକୁଣ୍ଠ।