ଭାରତ ବିରୋଧରେ ପୁଣି କହିଲେ ପାକିସ୍ତାନ ଆର୍ମି ଚିଫ ଅସୀମ ମୁନୀର
1 min read
ନନ୍ଦିଘୋଷ ବ୍ୟୁରୋ : ଭାରତ ବିରୋଧରେ ପୁଣି କହିଲେ ପାକିସ୍ତାନ ଆର୍ମିଚିଫ ଅସୀମ ମୁନୀର । ଓ୍ବାଶିଂଟନ ଗସ୍ତରେ ଥିବା ମୁନୀର ଖୋଲାଖୋଲି ଇରାନ ସହ ରହିଥିବା କହିବା ସହ ଖୁବ୍ ଶୀଘ୍ର ଇସ୍ରାଏଲ-ଇରାନ ଉତ୍ତେଜନା ଥମିବ ବୋଲି କହିଛନ୍ତି । ଆମେରିକୀୟ ପାକିସ୍ତାନୀଙ୍କୁ ଉଦବୋଧନ ଦେଇ ମୁନୀର କହିଛନ୍ତି- ଭାରତ ବିରୋଧରେ ପାକିସ୍ତାନର ବିଜୟ ହୋଇଛି । ନିଜ ଅଭିଭାଷଣରେ ସେ ନିମ୍ନମାନର କୂଟନୀତିକୁ ସମାଲୋଚନା କରିବା ସହ ବିଶ୍ବ ସମୁଦାୟଙ୍କୁ ପ୍ରଭାବିତ କରିବାରେ ଭାରତ ସଫଳ ହୋଇଥିବାବେଳେ ପାକିସ୍ତାନ ବିଫଳ ହୋଇଛି ବୋଲି କହିଥିଲେ । ପାକିସ୍ତାନରେ ରାଜନୈତିକ ଓ ସାମରିକ ନେତୃତ୍ବର ଏକତାକୁ ସେ ପ୍ରାଧାନ୍ୟ ଦେବା ସହ ଉଭୟକୁ ଶରୀର ଓ ଆତ୍ମା ବୋଲି ତୁଳନା କରିଥିଲେ । ପାକିସ୍ତାନର ସହାୟତା ପାଉଥିବା ବିଷୟକୁ ଖୋଲାଖୋଲି ସ୍ବୀକାର କରିବା ସହ ସେ ଦେଶର ଅର୍ଥନୀତିକୁ ଶକ୍ତ କରିବା ଲାଗି ପାକିସ୍ତାନ ନିକଟରେ ସମ୍ବଳ ରହିଛି ବୋଲି କହିଥିଲେ । ସେପଟେ ମୁନୀର ଓ୍ବାଶିଂଟନର ଏକ ହୋଟେଲରେ ପହଞ୍ଚିବା ମାତ୍ରେ କିଛି ଲୋକ ତାଙ୍କୁ ଗଣହତ୍ୟାକାରୀ ବୋଲି କହିବା ସହ ତାଙ୍କୁ ବିରୋଧ କରିଥିଲେ । ନିଜର କହିବାର ଅଧିକାର ରହିଛି ବୋଲି ଆନ୍ଦୋଳନକାରୀ ମତ ଦେଇଥିଲେ । ଆମେରିକା ଓ ପାକିସ୍ତାନ ମଧ୍ୟରେ ସାମରିକ ଓ କୌଶଳଗତ ସମ୍ପର୍କକୁ ମଜଭୁତ କରିବା ଉଦ୍ଦେଶ୍ୟରେ ପାଞ୍ଚ ଦିନିଆ ଆମେରିକା ଗସ୍ତରେ ଅଛନ୍ତି ମୁନୀର । ତେବେ ଆମେରିକା ସେନାର ୨୫୦ ବର୍ଷ ପୂର୍ତ୍ତି ଉତ୍ସବରେ ସେ ସାମିଲ ହୋଇନଥିବା ଜଣାଯାଇଛି । ସେପଟେ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ, ବୈଦେଶିକ ସଚିବ ମାର୍କୋ ରୁବିଓ, ପ୍ରତିରକ୍ଷା ସଚିବ ପିଟି ହେଗସେଥଙ୍କ ସହ ମୁନୀର ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି ।