ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଅଗଷ୍ଟରେ ଶ୍ରୀଲଙ୍କାରେ ଖେଳାଯିବ ଏସିଆ କପ୍

1 min read
Asia Cup 2022 Date Announced Sri Lanka Asian Cricket Council

ନୂଆଦିଲ୍ଲୀ: ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧୧ ଯାଏ ଶ୍ରୀଲଙ୍କାରେ ଖେଳାଯିବ ଏସିଆ କପ୍ । ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ । ଚଳିତଥର ଏସିଆ କପ୍ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯିବ । ଏଥିପାଇଁ ଅଗଷ୍ଟ ୨୦ କ୍ୱାଲିଫାୟର ମ୍ୟାଚ୍ ଅନୁଷ୍ଠିତ ହେବ ।

ଏସିଆ କପ୍ ଇତିହାସରେ ଟିମ୍ ଇଣ୍ଡିଆ ସବୁଠୁ ସଫଳ ଟିମ୍ । ୧୯୮୪ରେ ପ୍ରଥମ ଥର ଲାଗି ଏସିଆ କପ୍ ଆୟୋଜନ କରାଯାଇଥିଲା । ସେବେଠାରୁ ଭାରତ ୭ ଥର ଟ୍ରଫି ଜିତିଲାଣି । ଭାରତୀ ଦଳ ୧୯୮୪, ୧୯୮୮, ୧୯୯୦-୯୧, ୧୯୯୫, ୨୦୧୦, ୨୦୧୬ ଓ ୨୦୧୮ରେ ଚାମ୍ପିଅନ୍ ହୋଇଥିଲା ।

ସେହିଭଳି ଶ୍ରୀଲଙ୍କା ୫ ଥର ଟ୍ରଫି ଜିତିଛି । ୧୯୮୬, ୧୯୯୭, ୨୦୦୪, ୨୦୦୮ ଓ ୨୦୧୪ରେ ଶ୍ରୀଲଙ୍କା ଚାମ୍ପିଅନ୍ ହୋଇଥିଲା । ପାକିସ୍ତାନ ୨୦୦୦ ମସିହା ଓ ୨୦୧୨ରେ ଟୁର୍ଣ୍ଣାମେଣ୍ଟ ହାତେଇ ଥିବାବେଳେ ଏସିଆ କପ୍ ଇତିହାସରେ ସବୁଠୁ ଅଧିକ ୧୪ ଥର ଶ୍ରୀଲଙ୍କା କ୍ରିକେଟ୍ ଟିମ୍ ଭାଗ ନେଇଛି । ଭାରତ, ପାକିସ୍ତାନ ଓ ବାଂଲାଦେଶ ୧୩ ଥର ଲେଖାଏଁ ଏସିଆ କପ୍ ଖେଳିଛନ୍ତି ।

ଚଳିତଥର ଅନୁଷ୍ଠିତ ହେବାକୁ ଥିବା ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ୬ଟି ଦଳ ଭାଗ ନେବେ । ଆୟୋଜକ ଶ୍ରୀଲଙ୍କା ସମେତ ଭାରତ, ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ ଓ ଏକ କ୍ୱାଲିଫାୟର ସାମିଲ୍ ହେବେ । କ୍ୱାଲିଫାୟର ମୁକାବିଲା ୟୁଏଇ, କୁଏତ, ସିଙ୍ଗାପୁର ଓ ହଂକଂ ମଧ୍ୟରେ ଖେଳାଯିବ ।

ପ୍ରତି ୨ ବର୍ଷରେ ଥରେ ଏସିଆ କପ୍ ଖେଳାଯାଏ । କରୋନା ପାଇଁ ୨୦୨୦ ମସିହାରେ ଏସିଆ କପ୍ ରଦ୍ଦ କରା ଯାଇଥିଲା । ୨୦୨୧ ଜୁନରେ ଶ୍ରୀଲଙ୍କା ମ୍ୟାଚ୍ ଆୟୋଜନ କରିବାକୁ ଚାହୁଁଥିଲା । କିନ୍ତୁ କରୋନା ପାଇଁ ଟୁର୍ଣ୍ଣାମେଣ୍ଟ ଆୟୋଜନ ଉପରେ ରୋକ୍ ଲଗାଇଥିଲା ଏସିଆ କ୍ରିକେଟ ପରିଷଦ ।