ସଂଧ୍ୟା ନଇଁଲେ ଅନ୍ଧାରରେ ଡୁବୁଛି ଜୟପୁର… ବିପର୍ଯ୍ୟସ୍ତ ସହରର ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା

ନନ୍ଦିଘୋଷ ବ୍ୟୁରୋ : ଜୟପୁର ସହରରେ ଆଲୋକ ବ୍ୟବସ୍ଥା ବିପର୍ଯ୍ୟସ୍ତ । ପ୍ରାୟ ସମସ୍ତ ୱାର୍ଡ ଗୁଡିକରେ ପୁର୍ବରୁ ଲାଗିଥିବା ଲାଇଟ୍ ଗୁଡିକ ଖରାପ ହୋଇଗଲାଣି । ଏଥିପାଇଁ ଅନ୍ଧାରରେ ସାହି ବସ୍ତି । ଏନେଇ ଜୟପୁର ପୌରପରିଷଦରେ ଅଭିଯୋଗ କଲେ ସୁଦ୍ଧା କିଛି ସୁଫଳ ମିଳିପାରୁ ନଥିବା ଅଭିଯୋଗ ହୋଇଛି । ସେପଟେ ମରାମତି ପାଇଁ ଠିକା ସଂସ୍ଥାକୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ସେ ପଦକ୍ଷେପ ନେଉ ନଥିବା ସଫେଇ ଦେଇଛନ୍ତି ପୌର ଅଧିକାରୀ ।

ସଂଧ୍ୟା ହେଲେ ଅନ୍ଧାରେ ବୁଡୁଛି ଜୟପୁର । ଗଳିକନ୍ଦିରେ ଜଳୁନି ଷ୍ଟ୍ରିଟ୍ ଲାଇଟ । ବଢୁଛି ଅସମାଜିକଙ୍କ ଦୌରାତ୍ମ । ଠିକାଦାରର ମନମାନି, ବେଫିକର ପୌରପାଳିକା । ସହରର ପ୍ରାୟ ୨୮ ୱାର୍ଡରେ ଷ୍ଟ୍ରିଟ୍ ଲାଇଟ୍ ଖରାପ ହୋଇଯାଇଥିବା ଅଭିଯୋଗ ହୋଇଛି । ଯାହା ଅଞ୍ଚଳରେ ଅସାମାଜିକଙ୍କୁ ସୁହାଉଛି । ଏହାକୁ ମରାମତି କରିବା ସହ ରକ୍ଷଣାବେକ୍ଷଣ ପାଇଁ ସେଞ୍ଚୁରୀ ଏଲଇଡି ଲିମିଟେଡକୁ ଦାୟିତ୍ବ ଦିଆଯାଇଛି । ମାସିକ ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ସଂସ୍ଥାର ମନମାନି ଯୋଗୁଁ ଏବେ ସଂଧ୍ୟା ନଇଁଲେ ଅନ୍ଧାରରେ ବୁଡ଼ି ଯାଉଛି ପୂରା ସହର । ଅପରାଧ ବଢୁଥିବାରୁ ଏହାକୁ ତୁରନ୍ତ ମରାମତି କରିବାକୁ ଦାବି କରିଛନ୍ତି ଲୋକେ ।

ଅଭିଯୋଗ ପରେ ଠିକା ସଂସ୍ଥାକୁ ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୌରାଧ୍ୟକ୍ଷ । ତେବେ ବାରମ୍ବାର ଲିଖିତ ଚିଠି ପରେ ମଧ୍ୟ ଠିକା ସଂସ୍ଥା ପଦକ୍ଷେପ ନେଉ ନଥିବା ସେ ସଫେଇ ଦେଇଛନ୍ତି । ପୌରପାଳିକା ପକ୍ଷରୁ ବିଲ୍ ବନ୍ଦ କଲେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚାପ ପକାଯାଉଛି । ଆଗକୁ ଏ ନେଇ କାଉନସିଲ ବୈଠକରେ ଆଲୋଚନା କରି ବିଲ୍ ବନ୍ଦ କରାଯିବ ବୋଲି ସେ କହିଛନ୍ତି । ଜୟପୁର ପୌରପାଳିକାରେ ବଡ ଧରଣର ଲାଇଟ୍ ଦୁର୍ନିତି ଚାଲିଥିବାବେଳେ ଏହାର ଫଳ ଭୋଗୁଛନ୍ତି ସାଧାରଣ ଜନତା ।