କେଜ୍ରିଓ୍ବାଲ ଇସ୍ତଫା ଦେବା ପରେ ଦିଲ୍ଲୀରେ କିଏ ହେବେ ଆପର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ?

1 min read

ନୂଆଦିଲ୍ଲୀ:  ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଅରବିନ୍ଦ କେଜ୍ରିଓ୍ବାଲ । ଆସନ୍ତା ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି କରିଛନ୍ତି ଘୋଷଣା । କହିଲେ, ଦିଲ୍ଲୀର ଜନତା ନ ଚାହିଁବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବିନି । କେଜ୍ରିଓ୍ବାଲଙ୍କ ଇସ୍ତଫା ଘୋଷଣା ପରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଆତିଶି, ସୌରଭ ଭରଦ୍ଵାଜ ଓ କୈଳାସ ଗେହଲଟଙ୍କ ନାଁ ରେସର ଆଗରେ ରହିଛି । ତେବେ କେଜ୍ରିଓ୍ବାଲଙ୍କ ଏହି ଘୋଷଣା ଏମିତି ଏକ ମୁହୂର୍ତ୍ତରେ ଆସିଛି, ଯେଉଁ ସମୟରେ ହରିୟାଣା ନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର । କେଜ୍ରିଓ୍ବାଲଙ୍କ ଇସ୍ତଫା ହରିୟାଣା ରାଜନୀତି ଚିତ୍ର ବଦଳାଇ ଦେଇପାରେ । ହରିୟାଣା ପ୍ରଚାର ଉପରେ ପୂରା ଫୋକସ କରିପାରନ୍ତି କେଜ୍ରିଓ୍ବାଲ ।

ଆସନ୍ତା ଦୁଇ ଦିନରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି । ଯେ ପର୍ଯ୍ୟନ୍ତ ଦିଲ୍ଲୀର ଜନତା ମୋତେ ସାଧୁତାର ସାର୍ଟିଫିକେଟ ଦେଇନାହାନ୍ତି ସେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବିନି । ଜେଲରୁ ମୁକୁଳିବା ପରେ ଆମ ଆଦମୀ ପାର୍ଟିର କର୍ମୀ ସମ୍ମିଳନୀକୁ ସମ୍ବୋଧିତ କରି ଏଭଳି ରୋକଠୋକ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ତେବେ ବିଧାନସଭାକୁ ଭଙ୍ଗ କରିବେ ନାହିଁ । ଆମ ଆଦମୀ ପାର୍ଟିର ବିଧାୟକ ଦଳ ବୈଠକରେ ନୂତନ ମୁଖ୍ୟମନ୍ତ୍ରୀ ଚୟନ ହେବ । ଯିଏ ଦିଲ୍ଲୀରେ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ସରକାର ଚଳାଇବେ । ସେ କହିଛନ୍ତି, ବ୍ରିଟିଶ ଶାସନ ତୁଳନାରେ କେନ୍ଦ୍ର ସରକାରଙ୍କ ଏକଛତ୍ରବାଦୀ ନୀତି ଅଧିକ । ଆମ ଆଦମୀ ପାର୍ଟିକୁ ଭାଙ୍ଗିବା ଲାଗି ଚାଲିଛି ଷଡ଼ଯନ୍ତ୍ର । ମିଛ ମାମଲାରେ ମୋତେ ଜେଲରେ ଫସାଇ ଦିଆଗଲା । ବିଭିନ୍ନ ରାଜ୍ଯରେ ବିଭିନ୍ନ ଦଳକୁ ଭାଙ୍ଗିବା ଲାଗି ଷଡ଼ଯନ୍ତ୍ର କରାଯାଉଛି । ଗଣତାନ୍ତ୍ରିକ ସରକାର ଗୁଡିକୁ ଭଙ୍ଗାଯାଉଛି ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ଯମନ୍ତ୍ରୀ କେଜ୍ରିଓ୍ବାଲ । କେନ୍ଦ୍ରର ଏକଛତ୍ରବାଦୀ ନୀତି ବିରୋଧରେ ଏକାଠି ହେବାକୁ ବିରୋଧୀ ମୁଖ୍ଯମନ୍ତ୍ରୀମାନଙ୍କୁ ଆହ୍ବାନ ଦେଇଛନ୍ତି କେଜ୍ରିଓ୍ବାଲ ।

କେଜ୍ରିଓ୍ବାଲଙ୍କ ଇସ୍ତଫା ଘୋଷଣା ଏମିତି ଏକ ସମୟରେ ଆସିଛି, ଯେତେବେଳେ କି ହରିୟାଣାରେ ଜୋରସୋରରେ ନିର୍ବାଚନ ପ୍ରଚାର ଚାଲିଛି । ଆମ ଆଦମୀ ପାର୍ଟି ହରିୟାଣା ବିଧାନସଭା ନିର୍ବାଚନରେ ସମସ୍ତ ୯୦ ଆସନରେ ଲଢୁଛି । କେଜ୍ରିଓ୍ବାଲଙ୍କ ଇସ୍ତଫା ପରେ ହରିୟାଣାରେ ନିର୍ବାଚନ ରଣନୀତି ବଦଳିବା ସମ୍ଭାବନା ରହିଛି । ବିଗତ ୧୦ ବର୍ଷ ଧରି ହରିୟାଣାରେ ବିଜେପି ସରକାରରେ ରହିଛି । କଂଗ୍ରେସ ମୁଖ୍ୟ ବିରୋଧୀ ଭାବେ ରହିଆସିଛି । INLD ଏବଂ JJP ମେଣ୍ଟ କରି ନିର୍ବାଚନ ଲଢୁଛନ୍ତି । ହରିୟାଣାରେ ଆମ ଆଦମୀ ପାର୍ଟିର କ୍ଯାଡର ଏତେଟା ସୁଦୃଢ ନାହିଁ ଯେମିତିକି ପଞ୍ଜାବରେ ରହିଛି । କେଜ୍ରିଓ୍ବାଲଙ୍କ ଇସ୍ତଫା ପରେ ହରିୟାଣା ନିର୍ବାଚନରେ ଆପକୁ ସ୍ଥିତି ସୁହାଇପାରେ । କେଜ୍ରିଓ୍ବାଲ ଲଗାତାର କର୍ମକର୍ତ୍ତାଙ୍କ ମଧ୍ୟରେ ସକ୍ରିୟ ରହିବା ଫଳରେ କର୍ମୀ ଓ ନେତାଙ୍କ ମନୋବଳ ଆହୁରି ମଜଭୁତ ହେବ । ନିର୍ବାଚନରେ ବିଜୟ ହାସଲ କରିବାକୁ ଜୋରଦାର ଉଦ୍ୟମ କରିବ ଦଳ ।

କେଜ୍ରିଓ୍ବାଲଙ୍କ ପରେ କିଏ ହେବ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା । ମୁଣ୍ଡ ଉପରେ ନିର୍ବାଚନ ଥିବାରୁ କୌଣସି ବିବାଦୀୟ ପଦକ୍ଷେପ ନେବାକୁ ଚାହିଁବେନି ଆପ୍ ସୁପ୍ରିମୋ । ବର୍ତ୍ତମାନ ସିଏମ ରେସର ଅଛନ୍ତି ଆତିଶି । ତାଙ୍କ ଉପରେ ଭରସା କରିପାରନ୍ତି ସୁପ୍ରିମୋ । ସେହିପରି ମନ୍ତ୍ରୀ କୈଳାସ ଗେହଲଟଙ୍କୁ ବି ମିଳିପାରେ ମୁଖ୍ୟମନ୍ତ୍ରୀ ଦାୟିତ୍ବ । ମନ୍ତ୍ରୀ ସୌରଭ ଭରଦ୍ବାଜ ବି ହୋଇପାରନ୍ତି ମୁଖ୍ଯମନ୍ତ୍ରୀ । ଅନ୍ଯମାନଙ୍କ ମଧ୍ଯରେ ପରିବେଶ, ସାଧାରଣ ପ୍ରଶାସନ, ଜଙ୍ଗଲ ମନ୍ତ୍ରୀ ଗୋପାଳ ରାୟଙ୍କ ନାମ ବି ଚର୍ଚ୍ଚାରେ । ଖାଦ୍ଯ ଓ ଯୋଗାଣ, ନିର୍ବାଚନ ବିଭାଗ ମନ୍ତ୍ରୀ ଇମରାନ ହୁସେନ ବି ହୋଇପାରନ୍ତି ସିଏମ ।