ରୁବେନଙ୍କୁ ବିଜେଡିର ଉତ୍ତର,‘ବିରୋଧିଙ୍କ ଗୁଲିଖଟିକୁ ନେଇ ଲେଖିଛନ୍ତି ଗପ’
1 min readଭୁବନେଶ୍ୱର: ରୁବେନ ବାନାର୍ଜୀଙ୍କ ବହିକୁ ନେଇ ପ୍ରତିକ୍ରିୟା ରଖିଲା ବିଜେଡି । ୨୦୨୪ ନିର୍ବାଚନ କାଳରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ପାଇଁ ଉଦ୍ୟମ ହୋଇଥିଲା ବୋଲି ରୁବେନ ତାଙ୍କ ନୂଆ ବହି ‘Naveen Patnaik-The Authoritative’ରେ ଲେଖିଥିଲେ । ଏହାର ଉତ୍ତର ରଖିଛି ବିଜେଡି । ବିଜେଡିର ବରିଷ୍ଠ ନେତା ଅରୁଣ ସାହୁ ରୁବେନଙ୍କ ବହି କେବଳ ତାଙ୍କ କଳ୍ପନା ଓ କଳ୍ପନାପ୍ରସୂତ ଉପନ୍ୟାସ ବୋଲି କହିଛନ୍ତି ।
ସୋମବାର ଦିନ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ ଅରୁଣ ସାହୁ କହିଛନ୍ତି ଯେ, ରୁବେନ ଗତ ଅନେକ ବର୍ଷ ଧରି ନବୀନ ପଟ୍ଟନାୟକଙ୍କୁ ଭେଟି ନାହାନ୍ତି । କି କେବେ ନବୀନଙ୍କ ସହିତ କଥା ହୋଇ ନାହାନ୍ତି । କଥା ନହୋଇ, ନଭେଟି ରୁବେନ କେବଳ ନିଜ କଳ୍ପନା ଆଧାରରେ ଗୋଟିଏ ଉପନ୍ୟାସ ଲେଖିଛନ୍ତି । ନବୀନ ବିରୋଧୀଙ୍କ ଦ୍ୱାରା ସେ ପ୍ରଭାବିତ ହୋଇ ଏହି ପୁସ୍ତକ ଲେଖିଛନ୍ତି । ବିଜେଡି ରୁବେନଙ୍କ ବହିକୁ ପ୍ରତ୍ୟାଖାନ କରୁଛି । ଓଡ଼ିଶାର ଲୋକ ବି ଏହି ବହିକୁ ପ୍ରତ୍ୟାଖାନ କରିବେ ବୋଲି ସେ କହିଛନ୍ତି ।
ରୁବେନ ଏହି ବହି ଲେଖି କୌଣସି ପ୍ରଶଂସାମୁଳକ କାର୍ଯ୍ୟ କରିନାହାନ୍ତି । ବଂର ସେ ଏକ ନିନ୍ଦନୀୟ କାର୍ଯ୍ୟ କରିଛନ୍ତି । ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ ନକରି କିମ୍ବା କଥା ନହୋଇ ତାଙ୍କ ବିରୋଧୀଙ୍କ ମତକୁ ନେଇ ସେ କେବଳ ବହି ଲେଖିଛନ୍ତି । ନିର୍ବାଚନ ବେଳେ ମଧ୍ୟ ରୁବେନ ଜଣେ ସାମ୍ବାଦିକ ଭଳି ନୁହେଁ ବିରୋଧୀ ଦଳ ନେତାଙ୍କ ଭଳି ବ୍ୟବହାର କରୁଥିଲେ । ଜଣଙ୍କ ସମ୍ପର୍କରେ ଲେଖିବା ବେଳେ ସୌଜନ୍ୟମୁଳକ ଭାବେ ତାଙ୍କ ସାକ୍ଷାତ ନେବାର ଥିଲା । କିନ୍ତୁ ସେ ସେମିତି କିଛି ନକରି କେବଳ ନିଜ ମତାମତ ବହିରେ ରଖିଛନ୍ତି । ଚା’ଖଟି, ଗୁଲିଖଟି କଥାକୁ ନେଇ ବହି ଲେଖିଛନ୍ତି ବୋଲି ଅରୁଣ ସାହୁ କହିଛନ୍ତି । ଏହା ସହିତ ସେ ରୁବେନ ବାନାର୍ଜୀଙ୍କୁ ଓଡ଼ିଶାବାସୀଙ୍କୁ ଏହି ବହି ପାଇଁ କ୍ଷମା ମାଗିବା ପାଇଁ କହିଛନ୍ତି ।
ରୁବେନଙ୍କୁ ସମାଲୋଚନା କରିବାକୁ ଯାଇ ଅରୁଣ କହିଛନ୍ତି ଯେ, ରୁବେନଙ୍କର ସତସାହସ ଥିଲେ ସେ ବିଜେପିର ୪ଶହ ପାର୍ ସ୍ଲୋଗାନ ଉପରେ ବହି ଲେଖନ୍ତୁ । ରୁବେନ ବିଜେପି ବିରୋଧରେ ପଦଟିଏ ଲେଖି ପାରିବେନାହିଁ । ତେଣୁ ତାଙ୍କ ବହିକୁ କେହି ଗ୍ରହଣ କରିବେନାହିଁ । ରୁବେନଙ୍କୁ ଅଣ୍ଡିରି ପୁଅ ଉଦ୍ଧବ ବୋଲି କହିଛନ୍ତି ଅରୁଣ ସାହୁ ।