ଉତ୍କର୍ଷ ଓଡ଼ିଶା ବ୍ରୋଚରରେ ମେକ ଇନ ଓଡ଼ିଶାକୁ ଭୂୟସୀ ପ୍ରଶଂସା

1 min read

ଭୁବନେଶ୍ବର : ଉତ୍କର୍ଷ ଓଡ଼ିଶା । ଅନ୍ୟ ଯୋଜନା ପରି ଏ ବି ଥିଲା ବିଜେପି ସରକାରଙ୍କ ଏକ ନାମ ପରିବର୍ତ୍ତନ ଯୋଜନା । ନବୀନ ପଟ୍ଟନାୟକଙ୍କ ସରକାର ସମୟର ମେକ୍ ଇନ ଓଡ଼ିଶାକୁ ଉତ୍କର୍ଷ ଓଡ଼ିଶାରେ ପରିଣତ କଲେ ନୂଆ ସରକାର । ହେଲେ ଉତ୍କର୍ଷ ଓଡ଼ିଶା ବି ନବୀନ ସରକାର ସମୟର ଶିଳ୍ପ ବିକାଶକୁ ନେଇ ଆଗକୁ ବଢୁଛି ବୋଲି ସ୍ପଷ୍ଟ ହୋଇଛି । ଯାହାକୁ ମୋହନ ମାଝୀ ସରକାର ସ୍ବୀକାର କରିଛନ୍ତି । ଗତ ଦୁଇ ଦଶନ୍ଧରେ ଓଡ଼ିଶାର ଅର୍ଥନୀତି ଜାତୀୟ ହାରଠାରୁ ଆଗରେ ରହିଥିବା ଏହି ବ୍ରୋଚରର ଶୀର୍ଷ ମଣ୍ଡନ କରିଛି। ଉତ୍କର୍ଷ ଓଡ଼ିଶାର ବ୍ରୋଚରକୁ ଯଦି ପ୍ରଥମରୁ ପଢାଯିବ, ତାହାର ପ୍ରତି ଧାଡ଼ିରେ ରହିଛି ନବୀନ ସରକାର ସମୟର ସଫଳତାର ଗାଥା । ନିଜ ଆଲେଖ୍ୟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ଇଣ୍ଡଷ୍ଟ୍ରିଆଲ ପଲିସି ରିଜୋଲ୍ୟୁସନ-୨୦୨୨ ବାଣିଜ୍ୟ ଉପଯୋଗୀ ବାତାବରଣ ସୃଷ୍ଟି କରି ପାରିଛି । ସିଙ୍ଗିଲ ଓ୍ବିଣ୍ଡୋ କ୍ଲିୟରାନସ୍ ସହ ଏହା ଏକ ଶକ୍ତିଶାଳୀ ଶିଳ୍ପ ବିକାଶକୁ ଗୁରୁତ୍ବ ଦେଇଛି । ସେହିପରି ଏକ ସ୍ଥାୟୀ ସରକାର ଯୋଗୁଁ ସାମାଜିକ ଓ ଅର୍ଥନୈତିକ ବିକାଶ ହୋଇଛି । ଯାହା ସଡ଼କ, ଶିକ୍ଷା, ସ୍ବାସ୍ଥ୍ୟ, ଗୃହ ନିର୍ମାଣ, ପରିମଳ, ବିଦ୍ୟୁତ ଓ ନାରୀ ସଶକ୍ତିକରଣ କରି ପାରିଛି । ଆଶ୍ଚର୍ଯ୍ୟର କଥା ଯେଉଁ 5Tକୁ ମୋହନ ସରକାର ବାରମ୍ବାର ଟାର୍ଗେଟ କରୁଛନ୍ତି, ତାକୁ ଏହି ବ୍ରୋଚରରେ ମିଳିଛି ଭୂୟସୀ ପ୍ରଶଂସା । 5T କିପରି ଭାବେ ଓଡ଼ିଶାରେ ପରିବର୍ତ୍ତନ ଆଣି ପାରି ଓଡ଼ିଶା ବିକାଶରେ ସହାୟକ ହୋଇଥିଲା, ତାକୁ ବି ଏଥିରେ ସ୍ଥାନ ମିଳିଛି । ଗତ ୧୦ ବର୍ଷରେ ନିବେଶକଙ୍କ ପାଇଁ ପର୍ଯ୍ୟାପ୍ତ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇ ଇଜ୍ ଅଫ୍ ଡୁଇଂ ବିଜନେସରେ ଏକ ଆଚିଭର ଷ୍ଟେଟ୍ ଭାବେ ଓଡ଼ିଶାକୁ ପରିଗଣିତ କରାଯାଇଥିବା ବି ଉତ୍କର୍ଷ ଓଡ଼ିଶା ବ୍ରୋଚରରେ ସ୍ଥାନ ପାଇଛି । ବିଜେଡି ସମୟର ବିକାଶକୁ ବର୍ତ୍ତମାନର ସରକାର ସ୍ବୀକାର କରିବାକୁ ବାଧ୍ୟ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି । କାରଣ ଉତ୍କର୍ଷ ଓଡ଼ିଶାରେ ଯେଉଁ ପଦ୍ଧତି କରାଯାଇଛି, ତାହା ନବୀନ ପଟ୍ଟନାୟକ ମେକ୍ ଇନ୍ ଓଡ଼ିଶା ଜରିଆରେ କରି ସାରିଛନ୍ତି ।

ବିଜେପି ସରକାର ଭଲ ଭାବେ ଜାଣିଛି ନବୀନ ପଟ୍ଟନାୟକ ସରକାର ସମୟର ଉପଲବ୍ଧି । ଯାହା ବିଭିନ୍ନ ଫୋରମରେ ସେମାନେ ମାନୁଛନ୍ତି । ହେଲେ ରାଜନୈତିକ ଉଦ୍ଦେଶ୍ୟ ରଖି ଦଳକୁ ଖୁସି କରିବାକୁ ବିଜେପି ନେତା ପୁରୁଣା ସରକାରକୁ ବିରୋଧ କରୁଥିବା ବିଜେଡି କଟାକ୍ଷ କରିଛି । ସେହିପରି କଂଗ୍ରେସ ବି ଆଣିଛି ଗୁରୁତର ଅଭିଯୋଗ । ସବୁ କଥାରେ ମୋହନ ସରକାର ପୁରୁଣା ସରକାରକୁ ଦାୟୀ କରିବାରେ ବ୍ୟସ୍ତ । ହେଲେ ନିଜେ କଣ କରିବେ କି କରୁଛନ୍ତି, ତାହା ସେମାନେ ନିଜେ ଜାଣି ନାହାନ୍ତି । ନବୀନ ସରକାରର ଉପଲବ୍ଧିକୁ ସେମାନେ ସମ୍ମାନ ଦେବା କଥା ବୋଲି କଂଗ୍ରେସ ମତ ଦେଇଛି । ବିଜେପି ନେତା ବି ପରୋକ୍ଷରେ ମାନୁଛନ୍ତି ନବୀନ ସରକାର ସମୟର ସଫଳତା । ହେଲେ ଉତ୍କର୍ଷ ଓଡ଼ିଶା ବ୍ରୋଚରରେ ଏହା କିପରି ପ୍ରତିଫଳନ ହେଲା, ତାହା ବିଜେପିକୁ ହରଡ଼ଘଣାରେ ପକାଇଛି । ବିଧାନସଭା ଭିତରେ ବି ବିଭିନ୍ନ ସମୟରେ ପୁରୁଣା ସରକାରକୁ ବିଜେପି ଟାର୍ଗେଟ କରେ । ହେଲେ ଗୃହରେ ଯେଉଁ ଲିଖିତ ଉତ୍ତର ରଖନ୍ତି ମନ୍ତ୍ରୀମାନେ, ତାହା ନବୀନ ସରକାରଙ୍କ ସଫଳତାକୁ ହିଁ ବଖାଣିଥାଏ । ଡବଲ ଇଂଜିନ ସରକାରର ଏପରି ଡବଲ ଷ୍ଟାଣ୍ଡାର୍ଡ ନୀତିକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି ।