ନ୍ୟାୟ ପାଇଁ ଶାଶୁଘର ସମ୍ମୁଖରେ ଧାରଣା ଦେଲେ ଆଉ ଜଣେ ମହିଳା

ପୁରୀ: ନ୍ୟାୟ ପାଇଁ ଶାଶୂଘର ସମ୍ମୁଖରେ ଧାରଣା ଦେଲେ ଆଉ ଜଣେ ବୋହୂ । ୫ ବର୍ଷର ପୁଅକୁ ଧରି ପୁରୀ ଚକ୍ରତୀର୍ଥ ରୋଡ଼ ବାଙ୍କୀ ମୁହାଣସ୍ଥିତ ଶାଶୂଘର ଆଗରେ ଧାରଣା ଦେଇଛନ୍ତି ପୁରୀ ଜିଲ୍ଲା ଚନ୍ଦନପୁର ଜିରା ଗାଁର ଶୁଭଲକ୍ଷ୍ମୀ ପ୍ରଧାନ । ଫାମିଲି କୋର୍ଟରେ ସ୍ଵାମୀ କରିଥିବା ଛାଡ଼ପତ୍ର ମାମଲା ଖାରଜ ହେବା ପରେ ପୁଅକୁ ଧରି ସେ ଧାରଣା ଦେଇଛନ୍ତି ।

୨୦୧୫ରେ ପୁରୀ ଚକ୍ରତୀର୍ଥ ରୋଡ଼ ବାଙ୍କୀ ମୁହାଣର ପ୍ରହଲ୍ଲାଦ ପ୍ରଧାନଙ୍କୁ ଚନ୍ଦନପୁର ଜିରା ଗାଁର ଶୁଭଲକ୍ଷ୍ମୀ ବିବାହ କରିଥିଲେ । ଅଭିଯୋଗ ଅନୁସାରେ ଗର୍ଭବତୀ ଥିବା ବେଳେ ଶାଶୂ ଓ ନଣନ୍ଦ ଯୌତୁକ ପାଇଁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଖାଇବାକୁ ମଧ୍ୟ ଦେଉନଥିଲେ ବୋଲି ଅଭିଯୋଗ ହୋଇଛି । ଶୁଭଲକ୍ଷ୍ମୀ ବାଧ୍ୟ ହୋଇ ନିଜ ବାପଘର ଚନ୍ଦନପୁର ଜିରା ଗାଁକୁ ଚାଲି ଯାଇଥିଲେ ।

ମଝିରେ ମଝିରେ ଶାଶୂଘରକୁ ଯାଉଥିଲା ବେଳେ ତାଙ୍କୁ ନିର୍ଯାତନା ଦିଆଯାଉଥିଲା। ଏମିତିକି ମହିଳା କମିଶନଙ୍କ ନିକଟରେ ମିଛ ଅଭିଯୋଗ ଆଣି ଶାଶୂ ବିଫଳ ହୋଇଥିଲେ । ଶୁଭଲକ୍ଷ୍ମୀ ଶାଶୂଘରକୁ ଆସିଥିବା ବେଳେ ତାଙ୍କୁ ତାଲା ପକାଇ ଦେବାକୁ ଉଦ୍ୟମ କରିବାରୁ ବାଧ୍ୟ ହୋଇ ପୁଅକୁ ଧରି ନ୍ୟାୟ ପାଇଁ ଶାଶୂଘର ସାମ୍ନାରେ ଧାରଣାରେ ବସିଛନ୍ତି ଶୁଭଲକ୍ଷ୍ମୀ । ଶାଶୂଘରେ ରହିବାର ସଂପୂର୍ଣ୍ଣ ଅଧିକାର ତାଙ୍କର ରହିଛି । କିନ୍ତୁ ଶାଶୂ ତାଙ୍କୁ ହତ୍ୟା ଧମକ ଦେଉଥିବା ଶୁଭଲକ୍ଷ୍ମୀ ଅଭିଯୋଗ କରିଛନ୍ତି ।