ପୁଣି ଏକ ଲଘୁଚାପ, ଦୁଇଦିନ ରାଜ୍ୟରେ ଅତି ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର: ଗୋଟିଏ ପରେ ଗୋଟିଏ ଲଘୁଚାପ । ଅନବରତ ବର୍ଷା କଲାଣି ନାକେଦମ । ଏହାରି ଭିତରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଘୂର୍ଣ୍ଣିବଳୟ । ଆସନ୍ତାକାଲି ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ଯୁଞ୍ଜୟ ମହାପାତ୍ର । ଏହା ପ୍ରଭାବରେ ଆସନ୍ତା ଦୁଇଦିନ ଓଡ଼ିଶାରେ ପ୍ରବରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଓଡ଼ିଶାକୁ ଦୁଇ ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
୨୪ ଘଣ୍ଟାରେ କିଛି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜକୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ଝାରସୁଗୁଡ଼ା, ସମ୍ବଲପୁର,ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ବାଲେଶ୍ଵରକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପାଇଁ ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼ ଓ କେନ୍ଦୁଝରକୁ ସତର୍କତା ଜାରି କରାଯାଇଛି ।
ଏହି ସମୟରେ କମ ଦୃଶ୍ୟମାନ ରହିବା ସହ ରାସ୍ତା ଜଳମଗ୍ନ ଏବଂ ତଳୁଆ ଅଞ୍ଚଳ ଗୁଡିକରେ ପାଣି ଜମି ରହିବାର ସମ୍ଭାବନା ରହିଛି । ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୫୦୭ ମିମି ବର୍ଷା ରେକର୍ଡ ହୋଇଛି । ଏବେ ବି ୧୦ ପ୍ରତିଶତ ନିଅଁଟିଆ ବର୍ଷା ରହିଛି । ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୩ ଜିଲ୍ଲାରେ ଅଧିକ ବର୍ଷା ଓ ୧୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି । ବାକି ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ।