ଆସୁଛି ଆଉ ଏକ ଲଘୁଚାପ, ପ୍ରଭାବରେ ୧୮ରୁ ଉତ୍ତର ଓଡ଼ିଶାରେ ହେବ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ୩ ଦିନ ଧରି ବର୍ଷାର ବିତ୍ପାତ ପରେ ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ୧୮ ତାରିଖ ବେଳକୁ ଉତ୍ତର ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହାସହ ମାଲକାନଗିରି, କୋରାପୁଟରେ ମଧ୍ୟ ବର୍ଷିବ।

ତେବେ ସେହି ଲଘୁଚାପର ପ୍ରଭାବ କେତେ ରହିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେପଟେ ଲଗାତାର ୩ ଦିନ ଧରି ମୂଷଳ ଧାରାରେ ବର୍ଷିବା ପରେ ମଧ୍ୟ ରାଜ୍ୟର ୯ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ଜୁନ୍ ୧ ତାରିଖରୁ ସେପ୍ଟେମ୍ବର ୧୫ ତାରିଖ ମଧ୍ୟରେ ରାଜ୍ୟରେ ୯୩୨.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ୧୯ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ୨ଟି ଜିଲ୍ଲା ପୁରୀ ଏବଂ ଜଗତସିଂହପୁରରେ ସ୍ୱାଭାବିକ ଠାରୁ ଯଥେଷ୍ଟ ଅଧିକ ବର୍ଷା ହୋଇଛି। କେବଳ ସେପ୍ଟେମ୍ବର ମାସରେ ସ୍ୱାଭାବିକ ଠାରୁ ୧୦୪ ପ୍ରତିଶତ ଅଧିକ ବର୍ଷା ହୋଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ମୌସୁମୀ ସକ୍ରିୟ ରହିଥିବାରୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ୧୭ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ୧୮ ତାରିଖରେ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱରରେ ଏବଂ ୧୯ରେ ଉପକୂଳ ଓଡ଼ିଶାରେ ବର୍ଷା ହେବ। ଏତେ ବର୍ଷା ସ‌ତ୍ତ୍ୱେ ବର୍ତମାନ ସୁଦ୍ଧା ୯ ଜିଲ୍ଲାରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିଛି। ଜଗତ୍‌ସିଂହପୁର ଓ ପୁରୀ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ବାକି ୧୯ ଜିଲ୍ଲାରେ ସ୍ୱାଭାବିକ ହୋଇଛି। ସେପ୍ଟେମ୍ବରରେ ମୋଟ ୨୭୧.୪ ମିମି ବର୍ଷା ହୋଇଛି, ଯାହାକି ସ୍ୱାଭାବିକ ବର୍ଷା ୧୩୨.୯ ମିମିଠାରୁ ଅଧିକ।

Leave a Reply