ଅବକାରୀ ନୀତିକୁ ନେଇ କେଜ୍ରିୱାଲଙ୍କ ଉପରେ ବର୍ଷିଲେ ଆନା ହଜାରେ

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ଅବକାରୀ ନୀତିକୁ ନେଇ କେଜ୍ରିୱାଲ ସରକାର ହରଡଘଣାରେ ପଡ଼ିଛନ୍ତି । ବିଜେପି ଲଗାତାର ସରକାରଙ୍କୁ ଏନେଇ ଟାର୍ଗେଟ କରିଆସିଛି । ଅନ୍ୟପକ୍ଷରେ ବରିଷ୍ଠ ସମାଜସେବୀ ଆନ୍ନା ହଜାରେ ମଧ୍ୟ ଅବକାରୀ ନୀତିକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି । କେଜ୍ରିୱାଲଙ୍କୁ ଚିଠି ଲେଖି ଭର୍ତ୍ସନା କରିଛନ୍ତି । ଆନ୍ନା ହଜାରେ ଚିଠି ଲେଖି କହିଛନ୍ତି, ସେ ଦିଲ୍ଲୀରେ ମଦ ଦୋକାନଗୁଡିକୁ ବନ୍ଦ କରିଦିଅନ୍ତୁ ।

ଅରବିନ୍ଦ କେଜ୍ରିୱାଲ ସ୍ୱରାଜ ପୁସ୍ତକରେ ବଡ଼ ବଡ଼ କଥା କହିଥିଲେ, କିନ୍ତୁ ତାଙ୍କ ଆଚରଣରେ ଏହାର ପ୍ରଭାବ ଦେଖାଯାଉନାହିଁ । ସ୍ୱରାଜ ପୁସ୍ତକ ପାଇଁ ଆପଣଙ୍କ ଉପରେ ଲୋକମାନଙ୍କ ଭରସା କରିଥିଲେ । କିନ୍ତୁ ରାଜନୀତିକୁ ଯାଇ ମୁଖ୍ୟମନ୍ତ୍ରୀ ହେବା ପରେ ଆପଣ ଆଦର୍ଶ ଆଚରଣକୁ ଭୁଲିଯାଇଛନ୍ତି । ଯେଉଁଭଳି ମଦ ନିଷା ହୋଇଥାଏ, ସେହିଭଳି କ୍ଷମତାର ମଧ୍ୟ ନିଶା ଥାଏ । ଆପଣ ମଧ୍ୟ ଏହିଭଳି ନିଶାରେ ଡୁବିଯାଇଛନ୍ତି ।

ଏହି କାରଣରୁ ଦିଲ୍ଲୀରେ ଆପଣଙ୍କ ସରକାର ନୂଆ ଅବକାରୀ ନୀତି ଆଣିଛନ୍ତି । ଏପରି ଲାଗୁଛି ଯେ ନୂଆ ନୀତି ଦ୍ୱାରା ମଦ ର ବିକ୍ରି ଏବଂ ମଦ ପିଇବାକୁ ଉତ୍ସାହିତ କରାଯଉଛି । ନୂଆ ମଦ ନୀତି ଦ୍ୱାରା ପ୍ରତି ଗଳିରେ ମଦ ଦୋକାନ ଖୋଲିବା ପାଇଁ ପ୍ରୋତ୍ସାହନ ଦିଆଯାଉଛି । ଏହାଫଳରେ ଦୁର୍ନୀତି ଆହୁରି ବୃଦ୍ଧି ପାଇବ । ଏହା ଜନତାଙ୍କ ହିତରେ ନୁହେଁ । ଐତିହାସିକ ଆନ୍ଦୋଳନକୁ କ୍ଷତି ପହଞ୍ଚାଇ ଯେଉଁ ଦଳ ଗଠିତ ହୋଇଥିଲା ।

ସେ ମଧ୍ୟ ଅନ୍ୟ ଦଳ ରାସ୍ତାରେ ଯାଉଛି । ବଡ଼ ଦୁଃଖର କଥା ବୋଲି ଆନ୍ନା ହଜାରେ କହିଛନ୍ତି । ସୂଚନାଥାଉକି ବିଜେପି ଲଗାତାର ନୂଆ ମଦ ନୀତିକୁ ନେଇ ଦିଲ୍ଲୀ ସରକାରଙ୍କୁ ସମାଲୋଚନା କରିଆସିଛି । ନୂଆ ମଦ ନୀତି ସରକାରଙ୍କ ସମ୍ପର୍କୀୟ ଓ ପାଖ ଲୋକଙ୍କୁ ଲାଭ ଦେବା ପାଇଁ କରାଯାଇଛି ବୋଲି ଅଭିଯୋଗ କରିଥିଲା ବିଜେପି ।