ନନ୍ଦିଘୋଷ ବ୍ୟୁରୋ: ଶିଶୁ ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଦାୟିତ୍ଵ ବହନ କରି ଆସୁଛନ୍ତି ଅଙ୍ଗନବାଡି କର୍ମୀ। ଦିନକୁ ଦିନ କାର୍ଯ୍ୟ ଭାର ବଢୁ ଥିବା ବେଳେ ଦରଦାମ ବୃଦ୍ଧି ଯୋଗୁଁ ପରିବାର ପ୍ରତି ପୋଷଣ କଷ୍ଟକର ହୋଇ ପଡୁଛି।
୪ ଦଫା ଦାବି ନେଇ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ହଜାର ହଜାର ଅଙ୍ଗନବାଡି କର୍ମୀ, ସହାୟିକା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଭାରତୀୟ ମଜଦୁର ସଙ୍ଘ ମିଳିତ ସହଯୋଗରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ବିଭିନ୍ନ ବିଭାଗରେ କର୍ମଚାରୀଙ୍କ ଦରମା ବୃଦ୍ଧି ପାଉଥିବା ବେଳେ ବାରମ୍ବାର ଦାବି ସତ୍ତ୍ୱେ ସରକାର ଅଙ୍ଗନବାଡି କର୍ମୀଙ୍କ ଦୀର୍ଘ ଦିନର ଦାବିକୁ ଶୁଣୁନାହାନ୍ତି। ବରଂ ପ୍ରତାରଣା କରି ଚାଲୁଥିବା ଅଭିଯୋଗ କରିଛି ଅଙ୍ଗନବାଡି ସଙ୍ଘ।
ଶୋଭାଯାତ୍ରା ସମୟରେ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ସରକାରୀ ବିରୋଧୀ ନାରାବାଜି ଦେଇ ନିଜର ଆକ୍ରୋଶ ପ୍ରକାଶ କରିଥିଲେ। ସଙ୍ଘର ନେତୃବୃନ୍ଦ ଅଭିଯୋଗ କରିଛନ୍ତି ଯେ ମାତୃ ଓ ଶିଶୁ ମଙ୍ଗଳ, ପୋଷଣ, ଟିକାକରଣ ଏବଂ ସରକାରଙ୍କ ବିଭିନ୍ନ ସାମାଜିକ ସର୍ଭେ କାର୍ଯ୍ୟରେ ଅଙ୍ଗନବାଡି କର୍ମଚାରୀମାନଙ୍କୁ ଦିନରାତି ନିୟୋଜିତ କରାଯାଉଛି, କିନ୍ତୁ ସେମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା କିମ୍ବା ଉଚିତ୍ ପାରିଶ୍ରମିକ ଦିଆଯାଉନାହିଁ।
ଅଙ୍ଗନବାଡି ସଙ୍ଘ ପକ୍ଷରୁ ରଖାଯାଇଥିବା ପ୍ରମୁଖ ୪ ଦଫା ଦାବିଗୁଡ଼ିକ ମଧ୍ୟରେ ରହିଛି – ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ, ମାସିକ ସ୍ୱଳ୍ପ ପ୍ରୋତ୍ସାହନ ବଦଳରେ ସର୍ବନିମ୍ନ ବେତନ ବୃଦ୍ଧି, କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ଘଟିଲେ ଶୋକସନ୍ତପ୍ତ ପରିବାରକୁ ଆର୍ଥିକ ସହାୟତା ଏବଂ ସାମାଜିକ ସୁରକ୍ଷା ପେନସନ୍ ଯୋଜନାରେ ସାମିଲ କରିବା।
ବିକ୍ଷୋଭ ପରେ ସଙ୍ଘର ଏକ ପ୍ରତିନିଧି ଦଳ ଗଜପତି ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଯଦି ଆଗାମୀ ଦିନରେ ସରକାର ଏହି ଦାବିଗୁଡ଼ିକୁ ଗ୍ରହଣ ନକରନ୍ତି, ତେବେ ସାରା ରାଜ୍ୟରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ଏବଂ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି

