ଆନ୍ଧ୍ର ପୋଲିସ କବଳରେ ମାଣିକପାଟଣା, ଆତଙ୍କୀତ ଗ୍ରାମବାସୀ

ଗଜପତି: ଧସେଇ ପଶୁଛି ଆନ୍ଧ୍ର  । କୋଟିଆ ପରେ ଏବେ ଗଜପତି ଜିଲ୍ଲା ମାଣିକପାଟଣାରେ ନିର୍ମାଣ କରିଛି ଅଙ୍ଗନବାଡ଼ି କେନ୍ଦ୍ର  । ପ୍ରଶାସନିକସ୍ତର ଆଲୋଚନାକୁ ଖାତିର ନକରି ଗାଁରେ ଧସେଇ ପଶିଲା ଆନ୍ଧ୍ର ସଶସ୍ତ୍ର ପୋଲିସ ବାହିନୀ । ଏଥର ଖାଲି ଅଙ୍ଗନବାଡ଼ି କେନ୍ଦ୍ର ନୁହେଁ, ପୂରା ଗାଁକୁ କବଜାକୁ ନେବା ପାଇଁ ଷଡ଼ଯନ୍ତ୍ର କରିଛି ଆନ୍ଧ୍ର । ଗାଁରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ, ଭୟ ଓ ଆତଙ୍କିତ ଅବସ୍ଥାରେ ଅଛନ୍ତି ମାଣିକପାଟଣା ଗ୍ରାମବାସୀ । ଏପରକି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ଗାଁରେ ପୂରାଇ ଦେଇନି ଆନ୍ଧ୍ର ପୋଲିସ ।

ଗାଁରେ ଆନ୍ଧ୍ର ଖୋଲିଥିବା ଅସ୍ଥାୟୀ ମିନି ଅଙ୍ଗନବାଡ଼ି କେନ୍ଦ୍ରକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରକୁ ସିଲ୍‌ କରାଯାଇଥିଲା । ସିଲ୍‌ ବେଳେ ତହସିଲଦାରଙ୍କୁ ଦୁର୍ବ୍ୟବ୍ୟବହାର ଦେଖାଇବା ଅଭିଯୋଗ ନେଇ ଗୁରୁନାଥ ଶବରଙ୍କୁ ବାନ୍ଧିଥିଲା ପୋଲିସ । ଏନେଇ ବିବାଦ ଥମିନଥିବା ବେଳେ ପୁଣି ଆନ୍ଧ୍ରର ମନ୍ତ୍ରୀ ତଥା ପଲାସା ବିଧାୟକ ଏସ ଆପ୍ପାଲା ରାଜୁ ସମର୍ଥକଙ୍କ ଆସି ଘଟଣାର ତଦନ୍ତ କରୁ ଥିବା ଗଜପତି ଏଡିଏମଙ୍କୁ ନାଲି ଆଖି ଦେଖାଇଥିଲେ । ଏପରକି ଜୋରଜବରଦସ୍ତ ସିଲ୍‌ ଭାଙ୍ଗି ଅଙ୍ଗନବାଡ଼ି କେନ୍ଦ୍ରରେ ପାଠ ପଢାଇବା ସହ ଅଣ୍ଡା ବାଣ୍ଟିଥିଲେ ।

ଗଜପତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ କରିଥିଲେ ଗଜପତି ଏଡିଏମ । ଗିରଫ ଗୁରୁନାଥ ଶବର ମାଣିକପାଟଣାର ସବିତା ଶବରଙ୍କ ଜାଗାରେ ଜବରଦସ୍ତି ଅସ୍ଥାୟୀ ମିନି ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରିଥିଲେ । ଏପରିକି ନିଜ ପତ୍ନୀ ଲକ୍ଷ୍ମୀଶବରଙ୍କୁ ଆନ୍ଧ୍ର ପକ୍ଷରୁ ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତ କରାଇଥିଲେ । ଏତିକିରେ ଗୁରୁନାଥଙ୍କ କାରନାମା ସରିନଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ପକ୍କାଘର ସମେତ ଭଭୟ ଆନ୍ଧ୍ର ଓ ଓଡ଼ିଶାର ଆଧାରକାର୍ଡ ଓ ଭୋଟର ପରିଚୟ ପତ୍ର ସମେତ ମୌଳିକ ସୁବିଧା ସୁଯୋଗ ମଧ୍ୟ ହାତେଇଥିଲେ ।

ମାତ୍ର ଆନ୍ଧ୍ର ପକ୍ଷରୁ ଦଲାଲି କରିବା ସହ ଆନ୍ଧ୍ର ପଞ୍ଚାୟତ ନିର୍ବାଚନରେ ନିଜ ମାଆଙ୍କୁ ୱାର୍ଡ ମେମ୍ବର ପ୍ରାର୍ଥୀ କରାଇଥିଲେ । କିନ୍ତୁ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ପରେ ପ୍ରାର୍ଥୀପତ୍ର ପ୍ରତ୍ୟାହୃତ ହୋଇଥିଲା । ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀ ସାନି ସୀମା ନିର୍ଦ୍ଧାରଣ ପାଇଁ ରାଜି ହୋଇଥିଲେ । ଏହା ସହିତ ସ୍ଥିତାବସ୍ଥା ବଜାୟ ରଖିବାକୁ ସହମତି ହୋଇଥିଲା । କିନ୍ତୁ ଏହାକୁ ଖାତିର ନକରି ଆନ୍ଧ୍ରର ମନ୍ତ୍ରୀ ଓ ନେତା ନିଜର ଆଧିପତ୍ୟ ଜାହିର କରିବାକୁ ହୀନ ଉଦ୍ୟମ କରୁଛନ୍ତି ।

Leave a Reply