spot_img

Latest Posts

ଅନଲାଇନରେ ଛାତ୍ରଛାତ୍ରୀ ପଢ଼ିବେ ପ୍ରାଚୀନ ବିରଳ ଗ୍ରନ୍ଥ, ପୋଥି ଓ ପାଣ୍ଡୁଲିପିର ହେବ ଡିଜିଟାଇଜେସନ

କଟକ: ଛାତ୍ରଛାତ୍ରୀ ପଢିବେ ପ୍ରାଚୀନ ଗ୍ରନ୍ଥ । ଅନଲାଇନରେ ଉପଲବ୍ଧ ହେବ ଇତିହାସଠାରୁ ପୁରାଣ । ରେଭେନ୍ସା ବିଶ୍ବବିଦ୍ୟାଳୟର ନିଆରା ପ୍ରୟାସ । ପୋଥି ଓ ପାଣ୍ଡୁଲିପିର ହେବ ଡିଜିଟାଇଜେସନ । ଓଡ଼ିଆ ସାହିତ୍ୟର ବହୁ ପ୍ରାଚୀନ ଗ୍ରନ୍ଥଗୁଡି଼କ ବିଲୁପ୍ତ ହେବାକୁ ବସିଲାଣି । ବିଭିନ୍ନ ପାଠାଗାର ଏବଂ ସଂଗ୍ରହାଳୟରେ କିଛି ପୁରାତନ ପୁସ୍ତକ ଥିବାବେଳେ ଏହା ପାଠକ ପାଇଁ ଉପଲବ୍ଧ ହୋଇପାରୁ ନାହିଁ । ଦ୍ବାଦଶ ଶତାବ୍ଦୀର ପୁରାତନ ପାଣ୍ଡୁଲିପି ଏବଂ ପୋଥିଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ କାଳକ୍ରମେ ନଷ୍ଟ ହେବାକୁ ବସିଲାଣି । ଏସବୁ ବିରଳ ଗ୍ରନ୍ଥଗୁଡିକୁ ଅନଲାଇନରେ ଉପଲବ୍ଧ କରାଇବେ ରେଭେନ୍ସା ବିଶ୍ବବିଦ୍ୟାଳୟ । ପ୍ରଥମ ପର୍ଯ୍ୟାୟରେ ବ୍ରିଟିଶ ଅମଳର ରେଭେନ୍ସା ରେକର୍ଡସ୍, କନିକା ଲାଇବ୍ରେରୀର ବିରଳ ପୁସ୍ତକ, ତାଳପତ୍ର ପାଣ୍ଡୁଲିପି ଏବଂ ବିଭିନ୍ନ ପବ୍ଲିକ ଲାଇବ୍ରେରୀର ରେୟାର କଲେକ୍ସନ ଡିଜିଟାଇଜେସନ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ୧୭୯୫ ରୁ ୧୯୭୫ ମସିହା କିଛି ଏଭଳି ତାଳପତ୍ର ରାଜ୍ୟ ସଂଗ୍ରହାଳୟରୁ ଫଟୋ ଉଠାଇ ଅଣାଯାଇଥିଲା ବେଳେ ଆଉ କିଛି ପୁରୀ, ଯାଜପୁର ବିରଜା ମନ୍ଦିର, ସାରଳାଙ୍କ ପୀଠ, ଉତ୍କଳ ସାହିତ୍ୟ ସମାଜର ମଧୁସୂଦନ ପାଠାଗାର, ଭାଗବତ, ମହାଭାରତର କିଛି ଅଂଶ ପୋଥିକୁ ଡିଜିଟାଇଜେସନ କରାଯାଉଛି।

ଓଡ଼ିଆ ଭାଷାରେ ନାଚୁରାଲ ଲାଙ୍ଗୁଏଜ ପ୍ରୋସେସେସିଂ ରିସର୍ଚ୍ଚ ପାଇଁ ଏହି ଟୁଲ୍ ତିଆରି କରିବା ଉଦ୍ଦେଶ୍ୟରେ ଏହାର ଡିଜିଟାଇଜେସନ କରାଯାଉଛି । ଚିକାଗୋ ସ୍ଥିତ ସେଣ୍ଟର ଫର ରିସର୍ଚ୍ଚ ଲାଇବ୍ରେରୀର ସାଉଥ ଏସିଆ ମ୍ୟାଟେରିଆଲ ପ୍ରୋଜେକ୍ଟ ମାଧ୍ୟମରେ ରେଭେନ୍ସାର କିଛି ଗବେଷଣାରତ ଛାତ୍ରଛାତ୍ରୀ ଏବଂ ସଦସ୍ୟଙ୍କ ଦ୍ବାରା ଏହା କରାଯାଉଛି । ୨୦୧୯ ଠାରୁ ପୁରାତନ ଗ୍ରନ୍ଥ ରେକର୍ଡ ଗୁଡ଼ିକ ଡିଜିଟାଲ ମାଧ୍ୟମରେ ସଂରକ୍ଷଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ବିଶ୍ବବ୍ୟାଙ୍କ ସହାୟତାରେ ପ୍ରଥମେ ଶାରଳା ମହାଭାରତ ଡିଜିଟାଇଜେସନ କରିବାକୁ ପ୍ରୋଜେକ୍ଟ ହାତକୁ ନିଆଯାଇଥିଲା । ପରେ ଏହାର ଆବଶ୍ୟକତା ଦୃଷ୍ଟିରେ ରଖି ଅନ୍ୟ ସବୁ ଡିଜିଟାଇଜ କରିବାକୁ ଆରମ୍ଭ ହୋଇଥିଲା ପ୍ରୟାସ । SAMP, ରେଭେନ୍ସା ବିଶ୍ୱବିଦ୍ୟାଳୟ, ସେଣ୍ଟର ସଂଯୋଜିକା ଉର୍ମିଶ୍ରୀ ବେଦମାତାଙ୍କ ଉଦ୍ୟମରେ ଏହାକୁ ସଂଗ୍ରହ ପାଇଁ ଅଭିଯାନ ଆରମ୍ଭ ହୋଇଥିଲା ।

ପାଠାଗାର ରକ୍ଷଣାବେକ୍ଷଣ ଅଭାବରୁ ଆଲମାରୀ ମଧ୍ୟରେ ରହି ନଷ୍ଟ ହୋଇ ଲୋକଲୋଚନକୁ ଆସିପାରୁନଥିଲା ଅନେକ ବିରଳ ଗ୍ରନ୍ଥ । ଏବେ ବିଶ୍ବବିଦ୍ୟାଳୟର ଉଦ୍ୟମରୁ ଏହା ଅନଲାଇନରେ ପଢିବାର ସୁଯୋଗ ପାଇବେ ସଭିଏଁ ।

Latest Posts

Don't Miss