ମାଟିରେ ମିଶିଲା ପାନ ଚାଷୀଙ୍କ ମେହନତର ମୂଲ

ପାରାଦୀପ:  କୁହନ୍ତି ଯାହା ପୁଅକୁ ସାପ କାମୁଡ଼ିଥାଏ । ତାର ମାଆ ପାଳ ଦଉଡ଼ି ଦେଖିଲେ ଡରିଥାଏ । ହେଲେ ଏଠାରେ କେବଳ ଡରିନି ମାଟିରେ ମିଶିଯାଇଛି ସବୁ ସ୍ୱପ୍ନ । ଯତ୍ନରେ ପାଳିଥିବା କଅଁଳା ପତ୍ର ଯେତେ ବେଳେ ଫାଟି ଫାଳ ଫାଳ ହୋଇଯାଏ, କେଉଁ ଚାଷୀର ବା ଦେହ ସହିବ ।

ଏଭଳି ବିକଳ ସ୍ଥିତିର ସାକ୍ଷୀ ପାଲଟିଛନ୍ତି ପାରାଦୀପର ପାନଚାଷୀ । ଭୂତାଣୁ ବିଗାଡିଥିଲା, ଅମ୍ଫାନ ଉଜାଡିଲା । ଅମ୍ଫାନ ଓଡ଼ିଶାକୁ ଘଷି ହୋଇଗଲା ସତ ହେଲେ, ମାଟିରେ ମିଶାଇ ଦେଇଗଲା ପାନଚାଷୀଙ୍କ ମେହନତର ମୂଲ । ବାତ୍ୟାର କୋପ ଆଗରେ କଅଁଳା ଡଙ୍କ ଶୋଇପଡ଼ିଥିବା ବେଳେ ପତ୍ର ଫାଟି ହୋଇଯାଇଛି ଛାରଖାର । ପାରାଦୀପର ଶହ ଶହ ପାନଚାଷୀଙ୍କ ଜୀବନଜୀବିକା ଛଡାଇନେଇଛି ବାତ୍ୟା ଅମ୍ଫାନ ।

ବର୍ଷ ଆରମ୍ଭରୁ ଭୂତାଣୁ ବନ୍ଦୀ ପାଇଁ ବ୍ୟାବସାୟ ମାନ୍ଦା ଥିଲା, ଏବେ ଓଦା ବାଲିରେ ମିଶିଯାଇଛି ଚାଷୀର ସ୍ୱପ୍ନ । ପ୍ରଶାସନ କହୁଛି, ବାତ୍ୟା କ୍ଷୟକ୍ଷତିର ତଦନ୍ତ କରାଯାଉଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ନିୟମ ଅନୁଯାୟୀ ପାନ ଚାଷୀଙ୍କୁ ଦିଆଯିବ ସହାୟତା । ଲକଡାଉନ କଟକଣା କୋହଳ ପରେ ଧୀର ଧୀରେ ଜମୁଥିଲା ପାନପତ୍ର ବ୍ୟବସାୟ । ହେଲେ ଅମ୍ଫାନର ତାଣ୍ଡବଳୀଲା ଚାଷୀକୁ ସଜାଇଛି ହତଭାଗା ।

Leave a Reply