ଅମୀରଙ୍କୁ ଘାରିଛି ଲାଲ ସିଂ ଚଡା ଚିନ୍ତା, ଏବେ ଗଣିବେ କ୍ଷତିପୂରଣ

ମୁମ୍ବାଇ: ଫିଲ୍ମ ଡିଷ୍ଟ୍ରିବ୍ୟୁଟରଙ୍କୁ କ୍ଷତିପୂରଣ ଦେବେ ମିଷ୍ଟର ପରଫେକ୍ସନିଷ୍ଟ ଅମୀର ଖାନ୍‌ । ଫିଲ୍ମ ଲାଲ ସିଂ ଚଡା ଫ୍ଲପ୍‌ ପରେ ଫିଲ୍ମ ବିତରକଙ୍କୁ କ୍ଷତି ସହିବାକୁ ପଡିଛି  । ଯାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଫିଲ୍ମ ବିତରକ । ଯେଉଁଥିପାଇଁ ଅମୀରଙ୍କୁ ଘାରିଛି ଚିନ୍ତା । ଫିଲ୍ମର ସହ ପ୍ରଯୋଜକ ଥିବା ଅମୀର ଖାନଙ୍କୁ କ୍ଷତିପୂରଣ ଦେବାକୁ ଏବେ ଅଡି ବସିଛନ୍ତି ବିତରକ  । ମିଡିଆ ରିପୋର୍ଟ ଅନୁସାରେ ଅମୀରଙ୍କ ଜଣେ ବନ୍ଧୁ କହିଛନ୍ତି ଯେ ଲାଲ ସିଂ ଚଡା ପାଇଁ ଅମୀର ବହୁ ପରିଶ୍ରମ କରିଥିଲେ  ।

ଫରେଷ୍ଟ ଗମ୍ପ ରିମେକର ବେଷ୍ଟ ଭର୍ସନ ଆଣିବା ପାଇଁ ଅମୀର ଦିନରାତି ଏକାଠି କରି ଦେଇଥିଲେ  । କିନ୍ତୁ ଏଥର ଦର୍ଶକଙ୍କୁ ନିରାଶ କରିଛନ୍ତି ଅମୀର  । ଯାହାର ସିଧା ପ୍ରଭାବ ଏବେ ମେକର୍ସଙ୍କ ପକେଟ୍‌ ଉପରେ ପଡିଛି  । ଫିଲ୍ମ ନିର୍ମାତା ବିତରକଙ୍କୁ କ୍ଷତିପୂରଣ ଦେବା ପାଇଁ ପ୍ରୟାସ ଆରମ୍ଭ କଲେଣି  ।

 

ବହୁ ପ୍ରତିକ୍ଷିତ ଲାଲ ସିଂ ଚଡା ପାଇଁ ଦୀର୍ଘଦିନରୁ ସୋସିଆଲ  ମିଡିଆରେ ବଏକଟ ନାରା ଦେଖିବାକୁ ମିଳୁଛି  । ଏହାର ସିଧା ପ୍ରଭାବ ବକ୍ସ ଅଫିସ୍‌ରେ ପଡିଛି  । ୧୮୦ କୋଟି ବଜେଟରେ ନିର୍ମିତ ଫିଲ୍ମ ପ୍ରଥମ ସପ୍ତାହରେ ମାତ୍ର ୩୮.୨୧ କୋଟି ଟଙ୍କା ଆୟ କରିଛି  । ଯେତେବେଳେ କି ଅମୀରଙ୍କ ଅନ୍ୟ ଫିଲ୍ମ ରିଲିଜର ପ୍ରଥମ ସପ୍ତାହରେ ରେକର୍ଡଛୁଆଁ ରୋଜଗାର କରିଥାଏ  ।

 

ଏବେ ଲଗାତାର ଛୁଟିଦିନ ଥିବା ସତ୍ତ୍ବେ ଫିଲ୍ମ ସେତେଟା ଆଶାନୁରୁପ ଇନକମ୍‌ କରିପାରିନାହିଁ  । କେବଳ ଯେ କମ ଆୟ ନୁହେଁ ବିବାଦକୁ ବି ଜାବୁଡି ଧରିଛି ଲାଲ ସିଂ ଚଡା  । ଦିଲ୍ଲୀର ଜଣେ ଆଇନଜୀବୀ ଅମୀର ଖାନ, ପାରାମାଉଣ୍ଟ ପିକ୍ଚର୍ସ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି  । ଭାରତୀୟ ସେନାକୁ ଅପମାନ କରିବା ସହ ହିନ୍ଦୁ ସମାଜର ଭାବନାକୁ ଅମୀର ଆଘାତ ପହଞ୍ଚାଇଥିବା ଆଇନଜୀବୀ ତାଙ୍କ ଅଭିୟୋଗ ପତ୍ରରେ ଦର୍ଶାଇଛନ୍ତି  । ଫିଲ୍ମରେ ଆପତ୍ତିଜନକ ଦୃଶ୍ୟ ମଧ୍ୟ ରହିଛି  । ଯେଉଁଥିପାଇଁ ଅମୀର, ପପାରାମାଉଣ୍ଟ ପିକ୍ଚର୍ସ, ନିର୍ଦ୍ଦେଶକ ଅଦ୍ବୈତ ଚନ୍ଦନଙ୍କ ବିରୁଦ୍ଧରେ ଧାରା ୧୫୩, ୧୫୩ଏ, ୨୯୮ ଓ ୫୦୫ ଧାରା ଲାଗୁ କରିବା ପାଇଁ ଆଇନଜୀବୀ ଦାବି କରିଛନ୍ତି  ।