‘ମୂକନାୟକ’ ଖବରକାଗଜର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଇଆଇଏମ୍‍ସି ପକ୍ଷରୁ ଇ-ଆଲୋଚନାଚକ୍ର

1 min read

ଢେଙ୍କାନାଳ: ଏବେ ବି ଅନେକ ଲୋକ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଗଣମାଧ୍ୟମରେ ଏଭଳି ଖବରର ସଂଖ୍ୟା ଆଶାଜନକ ନୁହେଁ । ଫଳରେ ଦେଶରେ ସମାନତା ଆସିପାରୁନି । ଏଣୁ ଗଣମାଧ୍ୟମ ଯତ୍ନବାନ ହୋଇ ଲୋକଙ୍କ ସମସ୍ୟାକୁ ଅଗ୍ରାଧିକାର ଦେବାର ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳ ପକ୍ଷରୁ ‘ମୂକନାୟକ’ ଖବରକାଗଜର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ହୋଇଛି ‘ସମାଜର ସମାନତା ଦିଗରେ’ ଶୀର୍ଷକ ଇ-ଆଲୋଚନାଚକ୍ର । ଏଥିରେ ବକ୍ତାଭାବେ ଯୋଗଦେଇ ଓøରଙ୍ଗାବାଦସ୍ଥିତ ମହାତ୍ମା ଗାନ୍ଧୀ ମିଶନ୍‍ ବିଶ୍ୱବିଦ୍ୟାଳୟର କୁଳପତି ଡ. ସୁଧୀର ଗାଓହାନେ କହିଛନ୍ତି, ଆମ୍ବେଦକର କେବଳ ଦଳିତଙ୍କ ସ୍ୱର ନଥିଲେ ବରଂ ସେ ସମଗ୍ର ଦେଶରେ ବାସ୍ତବ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ସ୍ୱର ଉତ୍ତୋଳନ କରୁଥିଲେ ।

ସମଗ୍ର ଦେଶରେ ଏକ ସାମାଜିକ-ଅର୍ଥନୈତିକ ଗଣତନ୍ତ୍ର ଆଣିବା ପାଇଁ ସେ ଅନବରତ ଚେଷ୍ଟା କରୁଥିଲେ । ଜାତିପ୍ରଥା ବା ବର୍ଣ୍ଣ ବ୍ୟବସ୍ଥା ଅର୍ଥନୀତି ଦୃଷ୍ଟିକୋଣରୁ ଫାଟ ସୃଷ୍ଟି କରୁଛି ବୋଲି ସେ ମତ ଦେଉଥିଲେ । ସମସ୍ତଙ୍କର ସମାନ ଅଧିକାର ରହିଛି, ଏହାର ପ୍ରତିପାଦନ ଚତୁବର୍ଣ୍ଣ ବ୍ୟବସ୍ଥା ପାଇଁ ସମ୍ଭବ ନୁହେଁ ବୋଲି ସେ ଯୁକ୍ତି ବାଢୁଥିଲେ । ସମାନତା ସେବେ ସମ୍ଭବ ହୋଇପାରିବ, ଯେବେ ସମସ୍ତଙ୍କୁ ସବୁ କ୍ଷେତ୍ରରେ ସମାନ ସୁଯୋଗ ମିଳିବ । ତେବେ ଦୁର୍ଭାଗ୍ୟବଶତଃ ଦେଶରେ ଅନେକ କ୍ଷେତ୍ରରେ ଫାଟ ସୃଷ୍ଟି ହୋଇଥିଲା । ଏଣୁ ସେ ସାମାଜିକ ଗଣତନ୍ତ୍ର, ସାମାଜିକ ନ୍ୟାୟ ତଥା ଅର୍ଥନୈତିକ ଅଧିକାର ହାସଲ ପାଇଁ ନିଜର ଲଢ଼େଇ ଜାରି ରଖିଥିଲେ । ଏସବୁ ସେ ସମ୍ପୃକ୍ତ ଥିବା ଖବରକାଗଜଗୁଡ଼ିକରେ ପ୍ରତିଫଳିତ ହେଉଥିଲା । ବର୍ତ୍ତମାନ ସମୟରେ ତାଙ୍କ ଚିନ୍ତାଧାରା ସମ୍ପୂର୍ଣ୍ଣ ଭାବେ ପ୍ରାସଙ୍ଗିକ । ଆଜିକାଲିର ଗଣମାଧ୍ୟମ ଯେତିକି ମାତ୍ରାରେ ରାଜନେତା, ପ୍ରଭାବଶାଳୀ ବ୍ୟକ୍ତି ଓ ବାଣିଜ୍ୟିକ ସଂସ୍ଥାର ଖବର ପରିବେଷଣ କରୁଛି, ସେହି ଅନୁସାରେ ଗୋଷ୍ଠୀ ବା ସାଧାରଣ ଲୋକଙ୍କ ଖବର ସ୍ଥାନ ପାଉନାହିଁ । ଏଭଳି ଜାରିରହିଲେ ଦେଶରେ ଏକତା ସମ୍ଭବ ହୋଇପାରିବ ନାହିଁ । ଏଣୁ ଗଣମାଧ୍ୟମ ସଂସ୍ଥା ଏବଂ ତା’ ସହ ଜଡ଼ିତ ସମସ୍ତଙ୍କୁ ଏ ବିଷୟରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।


ଅନ୍ୟତମ ବକ୍ତାଭାବେ ଯୋଗଦେଇ ଆଇଆଇଏମ୍‍ସି ଅମରାବତୀର ଆଞ୍ଚଳିକ ନିର୍ଦ୍ଦେଶକ ବିଜୟ ସତୋକର କହିଛନ୍ତି, ବର୍ତ୍ତମାନ ଅନେକ ପ୍ରସଙ୍ଗ ଓ ସମସ୍ୟା ରହିଛି । ଅଧିକାରରୁ ବଞ୍ଚିତ ହେଉଥିବା ଲୋକ ବି ଅଛନ୍ତି । ଲୋକେ ଅଧିକରୁ ଅଧିକ ଶିକ୍ଷିତ ହେଲେଣି । ଦିନକୁ ଦିନ ବୈଷୟିକ ବିଦ୍ୟାରେ ଉନ୍ନତି ହେଉଛି । ଏମିତି ସ୍ଥିତିରେ ଅଧିକାରରୁ ବଞ୍ଚିତ ହେଉଥିବା ଲୋକ ବା ଦଳିତଙ୍କ ସମସ୍ୟା ଉପସ୍ଥାପନ କରିବାରେ ଗଣମାଧ୍ୟମ ବିଶେଷ ଦୃଷ୍ଟି ଦେଉନଥିବା ଭଳି ମନେ ହେଉଛି । ଏଭଳି ସମୟରେ ଖବରକାଗଜ ଓ ନିଉଜ୍‍ ଚ୍ୟାନେଲଗୁଡ଼ିକ ସବୁ କ୍ଷେତ୍ରରେ ସମାନତା ଆଣିବା ତଥା ଦଳିତଙ୍କ ସମସ୍ୟା ଉପସ୍ଥାପନ କରିବା ନିହାତି ଲୋଡ଼ା ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ସେହିପରି କୋଲ୍‍କାତା ସେଣ୍ଟ ଜାଭିୟର୍ସ କଲେଜର ସହକାରୀ ପ୍ରଫେସର ଡ. ଝୁମ୍ପା ମୁଖାର୍ଜୀ କହିଛନ୍ତି, ଯେପର୍ଯ୍ୟନ୍ତ ସାମାଜିକ ଗଣତନ୍ତ୍ର ହୋଇପାରିନି ଯେତେ ପର୍ଯ୍ୟନ୍ତ ରାଜନୈତିକ ଗଣତନ୍ତ୍ରର ଯଥାର୍ଥତା ପ୍ରତିପାଦନ ହୋଇପାରିବ ନାହିଁ । କେବଳ ଆଇନ କାନୁନ ଦ୍ୱାରା ମୌଳିକ ଅଧିକାର, ସମାନତା ଆଦି ଆସିପାରିବନି । ବରଂ ଏ ଦିଗରେ ସମସ୍ତେ ସଚେତନ ରହିବା ଜରୁରୀ । ଏଥିପାଇଁ ଗଣମାଧ୍ୟମର ମଧ୍ୟ ଏକ ଶକ୍ତିଶାଳୀ ଭୂମିକା ରହିଛି । ଅନ୍ୟମାନଙ୍କ ସମସ୍ୟାକୁ ନିଜର ସମସ୍ୟା ଭାବି ଉପସ୍ଥାପନ କରିବାର ଆବଶ୍ୟକତା ରହିଛି । ସେ ସମୟରେ ଅଧିକାରରୁ ବଞ୍ଚିତ ହେଉଥିବା ଲୋକଙ୍କ ସ୍ୱର ଥିଲା ‘ମୂକନାୟକ’ ଖବରକାଗଜ । ମହିଳାଙ୍କ ସମସ୍ୟା ଉପରେ ସେତେବେଳେ ଖୁବ୍‍ କମ୍‍ ଆଲୋଚନା ହେଉଥିଲା । ଏହି ଖବରକାଗଜ ମହିଳାଙ୍କ ପ୍ରସଙ୍ଗକୁ ଗୁରୁତ୍ୱ ଦେଇଥିଲା । ବର୍ତ୍ତମାନ ମଧ୍ୟ ଅନେକ ସମସ୍ୟା ଅଣଦେଖା ହୋଇଚାଲିଛି । ଏମିତି ସ୍ଥିତିରେ ରାଜନୈତିକ ଗଣତନ୍ତ୍ରର କିଛି ଲାଭ ନାହିଁ । ପ୍ରଥମେ ସାମାଜିକ ଗଣତନ୍ତ୍ର ଆସିବା ଜରୁରୀ ।


ଦୈନିକ ‘ସମାଜ’ର ପୂର୍ବତନ ବାର୍ତ୍ତା ସମ୍ପାଦକ ତପନ ମିଶ୍ର କହିଛନ୍ତି, ସେତେବେଳର ଗଣମାଧ୍ୟମ ଆଉ ଏବର ଗଣମାଧ୍ୟମ ଭିତରେ ବେଶ୍‍ ଫରକ୍‍ ରହିଛି । ସେତେବେଳେ ସ୍ୱାଧୀନତା ପ୍ରାପ୍ତି, ଦେଶ ଗଠନ, ଲୋକଙ୍କ ସମସ୍ୟା ଉପସ୍ଥାପନ ଆଦି ଉଦ୍ଦେଶ୍ୟ ନେଇ ଗଣମାଧ୍ୟମ ସଂସ୍ଥା ଖୋଲୁଥିଲା । ଆଉ ଏବେ ଅଧିକାଂଶ ଗଣମାଧ୍ୟମ ସଂସ୍ଥା ଆର୍ଥିକ ଲାଭ ଉଦ୍ଦେଶ୍ୟରେ ଖୋଲୁଛି । ଏମିତି ଏକ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗଣମାଧ୍ୟମରେ ଆଲୋଚିତ ହେଉନି । ବିଶେଷତଃ ଅଧିକାରରୁ ବଞ୍ଚିତ ହେଉଥିବା ଲୋକଙ୍କ ଖବର ଆଗ ଅପେକ୍ଷା ଖୁବ୍‍ କମ୍‍ ଦେଖିବାକୁ ମିଳୁଛି । ସମାନତା ପ୍ରସଙ୍ଗ କେବଳ ସାମ୍ବିଧାନିକ ବୋଲି ମନେ ହେଉଛି । ବାସ୍ତବ କ୍ଷେତ୍ରରେ ଏବେ ବି ଅନେକ ଲୋକ ନିଜ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଏମିତି ଏକ ସମୟରେ ଆମକୁ ଯତ୍ନର ସହ ଏଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ । ଗଣମାଧ୍ୟମ ମାନବିକତାର ସହ ଲୋକଙ୍କ ହିତକୁ ପ୍ରଥମେ ଗୁରୁତ୍ୱ ଦେବା ଦରକାର ବୋଲି ସେ କହିଛନ୍ତି ।


ପ୍ରାରମ୍ଭିକ ଭାଷଣ ପ୍ରଦାନ କରି ଆଇଆଇଏମ୍‍ସି, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ୧୯୨୦ ଜାନୁଆରୀରେ ବାବା ସାହେବ ‘ମୂକନାୟକ’ ଆରମ୍ଭ କରିଥିଲେ । ଦଳିତଙ୍କ ସ୍ୱର ଉପସ୍ଥାପନ କରି ସେଗୁଡ଼ିକର ସମାଧାନ ପାଇଁ ସେ ବେଶ୍‍ ଚେଷ୍ଟା କରିଥିଲେ । ସମଗ୍ର ଦେଶରେ ବିଶେଷତଃ ମହାରାଷ୍ଟ୍ରରେ ଦଳିତ ରାଜନୀତିକୁ ଆଗେଇ ନେବାରେ ଏହି ଖବରକାଗଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ପରବର୍ତ୍ତୀ ସମୟରେ ଦଳିତଙ୍କ ଅଧିକାର ପାଇଁ ଦାବି କରୁଥିବା ଆଉ କିଛି ଖବରକାଗଜ ସହ ଆମ୍ବେଦକର ସମ୍ପୃକ୍ତ ଥିଲେ । ତେବେ ଭାରତୀୟ ସାମ୍ବାଦିକତା ପ୍ରତି ଏହି ଖବରକାଗଜର ଏକ ବିଶେଷ ଅବଦାନ ରହିଛି ନିଶ୍ଚୟ । ଶହେ ବର୍ଷ ପରେ ବର୍ତ୍ତମାନ ଏକ ସମତୁଲ୍ୟ ସମାଜ ଗଠନ ହୋଇନଥିବା ପରିସଂଖ୍ୟାନ କହୁଛି । ତେବେ ଏହା କାହିଁକି ହେଉଛି ଏବଂ ଆମକୁ କ’ଣ କରିବା ଦରକାର ବିଶେଷକରି ଗଣମାଧ୍ୟମର କି’ ଦାୟିତ୍ୱ ରହିଛି, ସେସବୁ ବିଷୟକୁ ନେଇ ଆଜିର ଇ-ଆଲୋଚନାଚକ୍ର ଅନେକ ଗୁରୁତ୍ୱ ରଖୁଛି । ଆଇଆଇଏମ୍‍ସିର ସହକାରୀ ପ୍ରଫେସର ସମ୍ବିତ ପାଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଇ-ଆଲୋଚନାଚକ୍ରରେ ଧନ୍ୟବାଦ ଅର୍ପଣ କରିଥିଲେ ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର।

Leave a Reply